ବହୁପ୍ରତିକ୍ଷିତ ଟ୍ରକ ଟର୍ମିନାଲର ଭିତ୍ତିପ୍ରସ୍ତର ରଖିଲେ ବିଧାୟକ

ବଲାଙ୍ଗିର: ବଲାଙ୍ଗିରର ଟ୍ରକ ଟର୍ମିନାଲ ଏକ ବହୁ ପ୍ରତିକ୍ଷିତ ପ୍ରକଳ୍ପ। ଏହାକୁ ନେଇ ଅନେକ ଦିନର ଦାବି ତଥା ପରିକଳ୍ପନା ରହିଥିଲା। ୯କୋଟି ୪୦ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ଏଠାକାର ଟ୍ରାଫିକ ସହିତ ମାଲ ପରିବହନ କ୍ଷେତ୍ରରେ ଥିବା ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ କରିବ। ଟ୍ରାଫିକ ତଥା ଅଞ୍ଚଳର ବ୍ୟବସାୟ ଦିଗରେ ଏହା ଏକ ବେଶ ଉପଯୋଗୀ ପ୍ରକଳ୍ପ ବୋଲି ଆଜି ଟିଟିଲାଗଡ ରୋଡ ସ୍ଥିତ ବିଜାଖମନର ରାସ୍ତା କଡରେ ନିର୍ମାଣ ହେବାକୁ ଥିବା ଟ୍ରକ ଟର୍ମିନାଲ ଭିତ୍ତି ପ୍ରସ୍ତର ଉତ୍ସବରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କହିଛନ୍ତି।

ସୂଚନା ଯୋଗ୍ୟ ଯେ, ଏହି ଟ୍ରକ ଟର୍ମିନାଲରେ ଟ୍ରକ ତଥା ଡ୍ରାଇଭର ଓ ମାଲିକମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବ୍ୟବସ୍ଥା କରାଯାଇଛି। ଏଠାରେ ଅନେକ ଦୋକାନ, କାର୍ଯ୍ୟାଳୟ, ଡ୍ରାଇଭର ତଥା କର୍ମଚାରୀଙ୍କ ପାଇଁ ଡର୍ମିଟୋରି, ଢାବା ବା ହୋଟେଲ ବ୍ୟବସ୍ଥା, ଟ୍ରକ ମରାମତି ୟୁନିଟ, ଉଭୟ ମହିଳା ଓ ପୁରୁଷ ଶୌଚାଳୟ ବ୍ୟବସ୍ଥା ରହିଛି। ଏହା ସହିତ ପରିସର ଭିତରେ ଏକ ଡିଜେଲ ପମ୍ପର ବ୍ୟବସ୍ଥା ମଧ୍ୟ କରାଯିବା ନେଇ ନିଷ୍ପତ୍ତି କରାଯାଇଛି ବୋଲି ଜାତୀୟ ରାଜପଥ ନିର୍ବାହୀ ଯନ୍ତ୍ରୀ ଜୟନ୍ତ ନାୟକ ସୂଚନା ଦେଇଛନ୍ତି। ଏଠାରେ ଏକକାଳୀନ ସମସ୍ତ ସୁବିଧା ସୁଯୋଗ ସହିତ ପ୍ରାୟ ୭୭ଟି ଟ୍ରକ ରହିପାରିବ। ଏହି ପ୍ରକଳ୍ପ ନିର୍ମାଣ ଦାୟିତ୍ୱରେ ଥିବା ଏଜେନ୍ସି ଏଭିଆର ଇନ୍‍ଫ୍ରାଟେକ ଗତ ଡିସେମ୍ବର ୨୩ରେ ଚିକ୍ତି ପତ୍ର ସ୍ୱକ୍ଷରିତ କରିଥିବା ବେଳେ ଏକ ବର୍ଷ ଭିତରେ ଏହି ପ୍ରକଳ୍ପ ସଂପୁର୍ଣ୍ଣ ହେବ ବୋଲି ଉପସ୍ଥିତ ନିର୍ବାହୀ ଯନ୍ତ୍ରୀ କହିଛନ୍ତି। ଆଜିର ଏହି ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମରେ ନିର୍ମାଣ ସଂସ୍ଥା ପକ୍ଷରୁ ବିଶାଲ ଅଗ୍ରୱାଲ, ନିରଜ ଅଗ୍ରୱାଲ, ଟ୍ରକ ମାଲିକ ସଂଘର ରାଜ୍ୟ କାର୍ଯ୍ୟକାରୀ ସଭାପତି ବିରେନ୍ଦ୍ର ମିଶ୍ର, ଜୁଲୁ ପଟ୍ଟନାୟକ, ସୁଧାଂଶୁ ପଣ୍ଡା, ଟୁନା ସାହୁ, ଶୁଭ୍ରାଂଶୁ ପଣ୍ଡା, ଜୟନାରାୟଣ ବହିଦାର, ଭାଗ୍ୟ ପଣ୍ଡା, କୁଲଦିପ ସିଂଙ୍କ ସମେତ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ।

Comments are closed.