ମମିତା ନିଖୋଜ ମାମଲା: ମାନିଲେ ଡିଆଇଜି, ଅଧିକାରୀଙ୍କ ଭୁଲ ଯୋଗୁଁ ଫେରାର୍‍ ମାରିଥିଲା ଗୋବିନ୍ଦ

ବଲାଙ୍ଗିର/ଟିଟିଲାଗଡ଼: ମଙ୍ଗଳବାର ସନ୍ଧ୍ୟାରେ ବଲାଙ୍ଗିର ଜିଲା ପୁଲିସ୍‍ ମୁଖ୍ୟାଳୟରେ ଉତ୍ତରାଞ୍ଚଳ ଡିଆଇଜି ଡ. ଦୀପକ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ବହୁ ଚର୍ଚ୍ଚିତ ମମିତା ନିଖୋଜ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଗିରଫ ସମ୍ପର୍କରେ ସୂଚନା ଦେଇଛନ୍ତି।

ଡିଆଇଜି ଡ. କୁମାର କହିଛନ୍ତି ଯେ, ଆମ ପୁଲିସ୍‍ ଅଧିକାରୀଙ୍କ ଭୁଲ ଯୋଗୁଁ ଗତ ୧୭ ତାରିଖ ଦିନ ରାତିରେ ଟିଟିଲାଗଡ ପୁଲିସ ବ୍ୟାରେକରୁ ଗୋବିନ୍ଦ ସାହୁ ଫେରାର ମାରିବାରେ ସଫଳ ହୋଇଥିଲେ। ଏହି ଭୁଲକୁ ଆମେ ସ୍ୱୀକାର କରୁଛୁ। ଦାୟିତ୍ୱରେ ଅବହେଳା ପାଇଁ ୩ ଜଣ ପୁଲିସ୍‍ କର୍ମଚାରୀଙ୍କୁ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ନିଲମ୍ବିତ କରାଯାଇଛି। ବଲାଙ୍ଗିର ପୁଲିସ୍‍ ପାଇଁ ମୋଷ୍ଟ ୱାଣ୍ଟେଡ ଥିବା ଗୋବିନ୍ଦ ସମ୍ପର୍କରେ ସୂଚନା ଦେଲେ ପ୍ରଥମେ ୨୦ ହଜାର ଟଙ୍କା ଓ ପରେ ୧ ଲକ୍ଷ ଟଙ୍କା ପୁରସ୍କାର ପୁଲିସ୍‍ ପକ୍ଷରୁ ଘୋଷଣା କରାଯାଇଥିଲା। ମଙ୍ଗଳବାର ସନ୍ଧ୍ୟାରେ ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ଝରିଆଲପଞ୍ଚାୟତ ବୁଢୀପଦର ଗାଁରେ ଚଢାଉ କରିଥିଲେ। ଉକ୍ତ ଗାଁ ପାଖରେ ଥିବା ଏକ ଆଖୁ କିଆରିରେ ଥିଲେ। ସେଠାରୁ ପୁଲିସ୍‍ ଦଳ ଧରିବାରେ ସଫଳ ହୋଇଛନ୍ତି। ଏଥି ପାଇଁ ପୁଲିସ୍‍ ଦଳକୁ କ୍ରେଡିଟ୍‍ ଦେଉଛି ବୋଲି ସୂଚନା ଦେଇଛନ୍ତି। ସିନ୍ଧେକେଲା ଥାନାରେ ହୋଇଥିବା ମାମଲାର ତଦନ୍ତ ଚାଲିଛି।

ବର୍ତ୍ତମାନ ଟିଟିଲାଗଡ ଥାନାରେ ମାମଲା ରୁଜୁ ପରେ ଏହା ଦୁଇଟି କେସରେ ପହଞ୍ଚିଛି। କିଏ କିଏ ଏହି ମାମଲାରେ ସଂପୃକ୍ତି ଅଛନ୍ତି ତାର ପୁଲିସ୍‍ ପକ୍ଷରୁ ତଦନ୍ତ ଚାଲିଛି। ପୁଲିସ୍‍ର ଗୁଇନ୍ଦା ବିଭାଗ ଏହା ଉପରେ କାମ କରୁଥିଲା। ବିଭିନ୍ନ ସମୟରେ ଅନେକ ନୂଆ ନୂଆ ତଥ୍ୟ ଆସୁଥିଲା। ସମସ୍ତ ଦିଗକୁ ଧ୍ୟାନ ଦେଇ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗୋବିନ୍ଦଙ୍କୁ ପଚରା ଉଚରା ଚାଲିବ। ଯେହେତୁ ତଦନ୍ତ ଚାଲିଛି ଅଧିକ କିଛି କହିହେବ ନାହିଁ। ଖୁବଶୀଘ୍ର ଘଟଣାର ପର୍ଦ୍ଦାଫାଶ ହେବ ବୋଲି ଡିଆଇଜି ଡ.କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Comments are closed.