ତାଲା ବନ୍ଦରେ ବନ୍ଦୀ ଜୀବନ, ବାସନ୍ତୀ ହାତରେ ପଡିଛି ବେଡି

ବଲାଙ୍ଗିର:ନାଁ ଧରି ଡାକିଲେ ଶୁଣୁଥିଲା। ହାତର ଅଙ୍ଗଭଙ୍ଗଶରେ କଥା ହେଉଥିଲା। ମନରେ କଷ୍ଟରେ ଖନେଇ ଖନେଇ କାନ୍ଦୁଥିଲା। କେତେବେଳେ କେମିତି ତା’ ମନକୁ ପାଇଲେ ମୁରୁକି ହସୁଥିଲା। ମାନସିକ ଅନଗ୍ରସର ହେଲେ ବି କିଛି କିଛି ପରିବାର ଲୋକଙ୍କ ଭାବକୁ ବୁଝି ପାରୁଥିଲା। ହେଲେ ଏ ସବୁ ଭିତରେ ବିତି ଯାଇଛି ଦୀର୍ଘ ୧୯ ବର୍ଷ। ପୂର୍ବରୁ ଯେତେ ଶାନ୍ତ ସରଳ ଥିଲା। କିନ୍ତୁ, ନିଜକୁ ନିଜେ ଆଉ ସମ୍ଭାଳି ପାରୁନି। ଏବେ ବାସନ୍ତୀ ହାତରେ ପଡିଛି ବେଡି।

ବଲାଙ୍ଗିର ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନମ୍ବର ୪ରେ ଆସେ ତାଲପାଲି ପଡା। ଏହି ଅଞ୍ଚଳର ନୃସିଂହ ଭୋଇ ବା ନୃସିଂହ କାଠ ବଢିଆ କହିଲେ ପରିଚୟ ଯଥେଷ୍ଟ। ସମସ୍ତେ ଜାଣିଛନ୍ତି। ନୃସିଂହଙ୍କ ପରିବାର କହିଲେ ସ୍ତ୍ରୀ ଦୁଇ ଝିଅ, ଗୋଟେ ପୁଅ। ଏମିତି ୫ ପ୍ରାଣୀ କୁଟୁମ୍ବ। ଘରେ ସେ ଜଣେ ମାତ୍ର ରୋଜଗାରିଆ ମଣିଷ ଥିବା ବେଳେ ଯାହା ରୋଜଗାର ହୁଏ ସେଥିରେ ଚଳେ ସମ୍ପୂର୍ଣ୍ଣ ପରିବାର। ହେଲେ ଗଲା ବର୍ଷେ ହେଲା ତାଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି। ସବୁଠୁ ବଡ ଝିଅ ବାସନ୍ତୀ ଭୋଇ(୧୯) ମାନସିକ ଅନଗ୍ରସର ଭିନ୍ନକ୍ଷମ। ଯେତେବେଳେ ତାକୁ ୫ ବର୍ଷ ହେଉଥିଲା ସେବେଠୁ ସରକାରୀ ପ୍ରଦତ୍ତ ମାନସିକ ଅନଗ୍ରସର ହଷ୍ଟେଲ(ଆଶ୍ରା)ରେ ରହିଆସୁଛି। ଯାନି ଯାତ୍ରା କି ଖରା ଛୁଟି ହେଲେ ଘରକୁ ଆସୁଥିଲା। ଗତ ବର୍ଷ ତାଲା ବନ୍ଦ ହେବା ପରଠୁ ପ୍ରାୟ ବର୍ଷେ ଉପରେ ହେଲା ସେ ଏବେ ଘରେ ଅଛି। ହଷ୍ଟେଲରୁ ଘରକୁ ଆସିବା ପରେ ତାର ବ୍ୟବହାର ବଦଳି ଯାଇଛି। ପରିବାର ଅନ୍ୟ ସଦସ୍ୟଙ୍କ ସହ ନିଜକୁ ସାମିଲ କରି ପାରୁନି ବାସନ୍ତୀ। ତାକୁ ଘର ଲୋକ ବି ସମ୍ଭାଳି ପାରୁ ନାହାନ୍ତି। ଫଳରେ ବାଧ୍ୟ ହୋଇ ତାର ଦୁଇ ହାତରେ ଲୁହାଚେନ୍‍ ଓ ତାଲାର ବେଡି ଲାଗେଇଛନ୍ତି।

ହଷ୍ଟେଲରେ ସ୍ୱାଧୀନ ଭାବେ ଥିବା ବେଳେ କରୋନା କାଳରେ ଘରକୁ ଆସି ବନ୍ଦୀ ଜୀବନ କାଟୁଛି ବାସନ୍ତୀ। ଯାହା ତାଙ୍କ ମା’ ବିଳାସିନୀଙ୍କୁ ଖୁବ କଷ୍ଟ ଦେଉଛି। ସେ ଝିଅର ଏଭଳି ଅବସ୍ଥା ଦେଖି ଆଖିରୁ ଲୁହ ସୁଖୁନି। ତାଲା ବନ୍ଦ ଯୋଗୁଁ କାମଧନ୍ଦା ବନ୍ଦ ହୋଇଯାଇଥିବା ବେଳେ ପରିବାର ପାଇଁ ଦାନା ମୁଠାଏ ଯୋଗାଡ କରିବା ନୃସିଂହ ବଢିଆଙ୍କ ପାଇଁ କଷ୍ଟକର ବ୍ୟାପାର। ବାସନ୍ତୀକୁ ମାସକୁ ଭତ୍ତା ବାବଦରେ ୫ ଶହ ଟଙ୍କା ମିଳୁଥିବା ବେଳେ ତାର ଔଷଧ ପାଇଁ୧୫ ଶହ ଟଙ୍କା ମାସକୁ ଖର୍ଚ୍ଚ ହେଉଛି। ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ପୁଣି ହଷ୍ଟେଲରେ ରଖିବାର ବ୍ୟବସ୍ଥା କରିବାକୁ ସେ ଅନୁରୋଧ କରିଛନ୍ତି। ବିଳାସିନୀଙ୍କ କହିବା ଅନୁସାରେ, ବେଙ୍ଗାଲୁରୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ସେଠାକୁ ନେଲେ ତାର ରୋଗ ଅନେକାଂଶରେ ଭଲ ହୋଇଯିବ। ହେଲେ ସେଠାକୁ ନେବା ପାଇଁ ହାତରେ ସେତିକି ଟଙ୍କା ନାହିଁ। ଜିଲା ପ୍ରଶାସନ ପକ୍ଷରୁ ରେଡକ୍ରସ କି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ଫଣ୍ଡ ଅଥବା ତାର ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ଅର୍ଥ ବହନ କଲେ ଏହା ସମ୍ଭବ ହେବ ବୋଲି ପରିବାର ଲୋକେ କହିଛନ୍ତି। ସ୍ୱେଚ୍ଛାସେବୀ ଅନୁଷ୍ଠାନ, ବଦାନ୍ୟ ବ୍ୟକ୍ତିବିଶେଷ ସହଯୋଗ ହାତ ବଢେଇବାକୁ ବାସନ୍ତୀର ବାପା ନୃସିଂହ ଅନୁରୋଧ କରିଛନ୍ତି।
ଅନ୍ୟପକ୍ଷରେ ଜିଲାରେ ଦିନକୁ ଦିନ ମାନସିକ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ଚିକିତ୍ସା ଅଭାବରୁ ଦୟନୀୟ ଜୀବନ ଯାପନ କରୁଛନ୍ତି। ବାସନ୍ତୀଙ୍କ ଭଳି ଅନେକ ମାନସିକ ଅନଗ୍ରସର ରୋଗୀ ଥିବା ବେଳେ ଦୁର୍ଷ୍କମର ଶିକାର ହେଉଥିବା ମଧ୍ୟ ନଜିର ରହିଛି। ତେଣୁ ବାସନ୍ତୀଙ୍କ ପ୍ରତି ପ୍ରଶାସନ, ବିଭାଗୀୟ ଅଧିକାରୀ ସହାୟ ହୋଇ ଉଦାହରଣ ସୃଷ୍ଟିକରିବାକୁ ଦାବି ହେଉଛି।

Comments are closed.