ଦାଦନ ଶ୍ରମିକର ଦୁଃଖ – ଅଭିଯୋଗର ବର୍ଷେ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ

ବଲାଙ୍ଗିର: ଦାଦନ ଶ୍ରମିକଙ୍କ ଦୁଃଖ ବୁଝିବ କିଏ? କାମ ଧନ୍ଦା ଅଭାବରୁ ବାହାର ରାଜ୍ୟକୁ ଦୁଇ ପଇସା ରୋଜଗାର ଆଶାରେ ଯାଇଥିଲେ। ହେଲେ ସେଠାରୁ ଫେରିଲା ପରେ ଦିବ୍ୟାଙ୍ଗ ହୋଇ ଫେରିଛନ୍ତି। ସାହାଯ୍ୟ, ସହଯୋଗ ତଥା ଆଇନ ଅନୁଯାୟୀ ସହାୟତା କିଛି ମିଳିଲାନି। ଅଭିଯୋଗକୁ ପ୍ରାୟ ବର୍ଷେ ହୋଇଯାଇଥିଲେ ସୁଦ୍ଧ କାର୍ଯ୍ୟାନୁଷ୍ଠାନ ଶୂନ। ଜିଲାପାଳଙ୍କୁ ଗୁହାରୀ କରିବା ପାଇଁ ଜିଲାର ଅପହଞ୍ଚ ଇଲାକାରୁ ପ୍ରାୟ ଶହେ କିମି ଯାତ୍ରା କରିଛନ୍ତି। ଶେଷରେ ଜିଲା ମୁଖିଆଙ୍କ କାର୍ଯ୍ୟାଳୟରେ ପହଞ୍ଚି ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଶ୍ରମ ବିଭାଗ ହାତ ବାନ୍ଧି ବସିଥିବା ବେଳେ କୌଣସି ଅଧିକାରୀ ଶୁଣୁ ନଥିବାରୁ ଏଠାକୁ ବାଧ୍ୟ ହୋଇ ଆସିଲି ବୋଲି ଗୁରୁତର ଅଭିଯୋଗ କରିଛନ୍ତି ଦାଦନ ଶ୍ରମିକ।

ଦାଦନ ପ୍ରବଣ ଜିଲା ବଲାଙ୍ଗିର। ଏହି ଜିଲାରୁ ପ୍ରତିବର୍ଷ କାମ ଧନ୍ଦା ଅଭାବରୁ ଲକ୍ଷାଧିକ ଲୋକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥାନ୍ତି। ସେଠାରୁ ଫେରିଲା ବେଳେ କାହାର ସଂସାର ଉଜୁଡି ଯାଇଥାଏ ତ ଆଉ କିଏ ଶବ ଧରି ଫେରେ। ଠିକ ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲା ତୁରେକେଲା ବ୍ଲକ ଝରଣୀ ପଞ୍ଚାୟତ ରାମୋଡ ଗାଁର ନରୋତ୍ତମ ନିଆଲଙ୍କ କ୍ଷେତ୍ରରେ। ପ୍ରତିବର୍ଷ ଭଳି ଦାଦନ ସର୍ଦ୍ଦାରଙ୍କ ଠାରୁ ବଇନା ନେଇ ଗତ ବର୍ଷ ମଧ୍ୟ ଦାଦନ ଶ୍ରମିକ ଭାବେ ଆନ୍ଧ୍ରପ୍ରଦେଶର ଆନନ୍ତପୁରମ୍‍ ଅଞ୍ଚଳକୁ ସପରିବାରକୁ ଧରି କାମ କରିବାକୁ ଯାଇଥିଲେ। ସେଠାରେ କିଛି ମାସ କାମ କରିବା ଭିତରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ। ଯାହା ଫଳରେ ତାଙ୍କ ବାଁ ଗୋଡ ଅକାମୀ ହୋଇଗଲା। ଅସ୍ତ୍ରୋପ୍ରଚାର ମଧ୍ୟ ତାହା ଠିକ ହେଲା ନାହିଁ। ବର୍ତ୍ତମାନ ସେ ସହୟତା ବାଡି କିମ୍ବା କାହା ସହଯୋଗ ନହେଲେ କୌଣସି ସ୍ଥାନକୁ ଯାଇ ପାରୁନାହାନ୍ତି।

ଡାକ୍ତରଙ୍କ କହିବା ଅନୁସାରେ, ତାଙ୍କ ଚିକିତ୍ସା ପାଇଁ ଆହୁରି ଅର୍ଥ ଦରକାର। ହେଲେ ମୋଟା ଅଙ୍କ ପାଇବେ କେଉଁଠୁ ଏହି ଗରିବ ଦାଦନ ଶ୍ରମିକଙ୍କ ପରିବାର। ସ୍ତ୍ରୀ କାମ କଲେ ଯାଇ ଦୁଇ ଓଳି ଚୁଲି ଜଳୁଥିବା ବେଳେ ଲକଡାଉନ, ସଟ୍‍ଡାଉନରେ ଅବସ୍ଥା ଆହୁରି ସାଂଘାତିକ ହୋଇଛି। ତେବେ ସେଠାରେ ଦୁର୍ଘଟଣା ଗ୍ରସ୍ତ ହେବା ପରେ ମଧ୍ୟ ଆଇନ ଅନୁଯାୟୀ କୌଣସି ଆର୍ଥିକ ସହୟତା ଦିଆଯାଇ ନଥିବା ବେଳେ ଏହି ପରିବାର ଇଟାଭାଟିରେ କାମ କରିଥିବା ଟଙ୍କା ମଧ୍ୟ ଆଜି ଯାଏଁ ପାଇନାହାନ୍ତି। ସ୍ତ୍ରୀ, ଦୁଇ ପୁଅ, ଦୁଇ ଝିଅ ଓ ତାଙ୍କୁ ମିଶେଇ ଛଅ ପ୍ରାଣୀ କୁଟୁମ୍ବ ଦୟନୀୟ ସ୍ଥିତିରେ ରହିଛନ୍ତି। ଗୋଡ ଅକାମୀ ଯୋଗୁଁ ଆଗକୁ ଆଉ କାମ କରିପାରିବେ ବୋଲି ଆଶା ଦିଶୁନଥିବା ବେଳେ ପରିବାରକୁ ନେଇ ନରୋତ୍ତମଙ୍କ ଖୁବ ଚିନ୍ତା। ତାଙ୍କ ଓ ପରିବାର ପ୍ରତି ଯେଉଁ ଅନ୍ୟାୟ ହୋଇଛି ସେଥି ପାଇଁ ତାକୁ ନ୍ୟାୟ ଦରକାର।

ଗତ ବର୍ଷ ମଧ୍ୟ ଜିଲା ଶ୍ରମ ଅଧିକାରୀଙ୍କ ଠାରେ ଲିଖିତ ଅଭିଯୋଗ କରି ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ଦାଦନ ଶ୍ରମିକଙ୍କ ପାଇଁ ଥିବା ଆର୍ଥିକ ସହୟତା ସମ୍ପର୍କରେ ଜଣାଇଥିଲେ। ହେଲେ ଆଜି ଯାଏଁ କିଛି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଶ୍ରମ ବିଭାଗକୁ ଧାଇଁ ଧାଇଁ ନୟାନ୍ତ ହୋଇଯାଇଥିବା ବେଳେ ଶେଷରେ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛି ବୋଲି ତାଙ୍କ ପ୍ରତିକ୍ରିୟାରେ କହିଥିଲେ। ଜିଲାରେ ଦାଦନ ଶ୍ରମିକମାନଙ୍କ ପ୍ରତି ବିଭିନ୍ନ ସମୟରେ ଅନ୍ୟାୟ, ଅତ୍ୟାଚାର, ଶୋଷଣ ବଢି ଚାଲିଥିବା ବେଳେ ତାର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଆଉ ଦେଖାଯାଉ ନାହିଁ। ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଏଥି ପ୍ରତି ଦୃଷ୍ଟି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଚେତନ ମହଲରେ ଦାବି ହେଉଛି।

Comments are closed.