ରୋଗୀ ସେବାରେ ନିମଗ୍ନ ୭ମାସର ଗର୍ଭବତୀ ନର୍ସ ପ୍ରଗତି

ବଲାଙ୍ଗିର: ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗରେ କାର୍ଯ୍ୟ କରନ୍ତି ଷ୍ଟାଫ୍‍ ନର୍ସ ପ୍ରଗତି ପୁଟେଲ। ତାଙ୍କୁ ଦେଖିଲେ ଆଦୌ ଲାଗିବ ନାହିଁ ଯେ, ସେ ୭ ମାସର ଗର୍ଭବତୀ। କରୋନା ସଂକ୍ରମଣ ବଢୁଥିବା ବେଳେ ସେ ସଂକ୍ରମିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। କିନ୍ତୁ ଶ୍ରୀମତୀ ପୁଟେଲ ସାହାସର ସହ କରି ଚାଲିଛନ୍ତି ରୋଗୀ ସେବା। ତାଙ୍କ ଭଳି ଆଗ ଧାଡିର କୋଭିଡ ଯୋଦ୍ଧାଙ୍କର ଉତ୍ସର୍ଗୀକୃତ ସେବା ମନୋଭାବ ଓ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଅନେକ ମୂଲ୍ୟବାନ ଜୀବନ ରକ୍ଷା ହୋଇପାରୁଛି।

ବଲାଙ୍ଗିର ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁ ନଥିବା ବେଳେ ଅନେକ ଆଗଧାଡିର କୋଭିଡ ଯୋଦ୍ଧା(ସ୍ୱାସ୍ଥ୍ୟ କର୍ମୀ) ସଂକ୍ରମିତ ହେଉଛନ୍ତି। କିନ୍ତୁ ନର୍ସ ପ୍ରଗତି(୨୩) ଏହାର ବ୍ୟତିକ୍ରମ। ସେ ନିଜ ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ସଙ୍କଟରେ ପଡିବ ବୋଲି ଭାବି ଡରି ଯାଇ ନାହାନ୍ତି। ଡାକ୍ତରଖାନାର ନବଜାତ ଶିଶୁ ୱାର୍ଡର ତୃତୀୟ ମହଲାକୁ ଲିଫ୍ଟରେ ଯାଉଛନ୍ତି। ସେଠାରେ ଥିବା ସାଧାରଣ ରୋଗୀଙ୍କ ସହ କରୋନା ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି ସେ। ସବୁ ସତର୍କତାର ସହିତ ନିଜ କର୍ତ୍ତବ୍ୟ କରି କରୋନାକୁ ହରାଇବା ପାଇଁ ସେ ଯେମିତି ପଣ କରିଛନ୍ତି। ସୂଚନାଯୋଗ୍ୟ ଯେ, ସଦର ମହକୁମାରୁ ୫୫ କିଲୋମିଟର ଦୂରରେ ଥିବା ନିଜ ଘରୁ ଆସି ଭୀମ ଭୋଇ ଡାକ୍ତରଖାନାରେ ପ୍ରତିଦିନ ସକାଳ ୮ଟାରୁ ଦିନ ୨ଟା ଯାଏ କାର୍ଯ୍ୟ କରୁଛନ୍ତି ନର୍ସ ଶ୍ରୀମତୀ ପୁଟେଲ। ସେ ଚୁକ୍ତିଭିତ୍ତିକ ନର୍ସ ଭାବେ କାମ କରୁଥିବା ଜଣାପଡିଛି। ଗତ ବର୍ଷ କରୋନା ସଂକ୍ରମଣର ପ୍ରଥମ ଲହର ସମୟରେ ସେ କାର୍ଯ୍ୟ କରୁଥିଲେ। ହେଲେ କରୋନାର ପ୍ରକୋପ କମିଯିବା ପରେ ତାଙ୍କ ଚୁକ୍ତି ବାତିଲ କରି ଦେଇଥିଲା ଜିଲା ପ୍ରଶାସନ। ଏବେ ପୁଣି ବହୁ ଷ୍ଟାଫ ନର୍ସ କରୋନା ସଂକ୍ରମିତ ହୋଇ କାର୍ଯ୍ୟରୁ ବାଦ୍‍ ପଡିବା ଯୋଗୁଁ ପ୍ରଶାସନ ପକ୍ଷରୁ ତାଙ୍କୁ ଡକାଯାଇ ଚୁକ୍ତି କରାଯାଇଥିଲା। ୭ମାସର ଗର୍ଭବତୀ ହୋଇଥିଲେ ବି ମେ ୬ ତାରିଖଠାରୁ ଭୟ ନକରି ସେ ନିୟମିତ କାର୍ଯ୍ୟ କରି ଚାଲିଛନ୍ତି।

ଏହି ଅବସରରେ ଶ୍ରୀମତୀ ପୁଟେଲ କହିଛନ୍ତି ଯେ, ଗତ ବର୍ଷ କୋଭିଡ କାର୍ଯ୍ୟ କରିବା ବେଳେ ମୁଁ ନିଜ ସ୍ୱାସ୍ଥ୍ୟର ଠିକ୍‍ ଭାବେ ଯତ୍ନ ନେଇପାରି ନଥିଲି। ସେହି ସମୟରେ ମୋ ପେଟରେ ଥିବା ଛୁଆଟି ନଷ୍ଟ ହୋଇଯାଇଥିଲା। ହେଲେ ଏଥର ମୁଁ ଅଧିକ ସତର୍କ ରହୁଛି। ଡାକ୍ତରଖାନାରେ ରୋଗୀ ସେବା ପାଇଁ ନର୍ସମାନଙ୍କର ଆବଶ୍ୟକତା ଅଧିକ ରହିଛି। ତେଣୁ ନର୍ସିଂ କାମ ଜାଣି ବି ମୁଁ ଘରେ ବସି ରହିବି କେମିତି ବୋଲି କହିଛନ୍ତି ଶ୍ରୀମତୀ ପୁଟେଲ। ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ରେଙ୍ଗାଲଜୁରି ଗାଁରେ ଶ୍ରୀମତୀ ପୁଟେଲଙ୍କ ଘର। ପ୍ରତି ଦିନ ତାଙ୍କୁ ତାଙ୍କ ସ୍ୱାମୀ ରାଜୀବ ପୁଟେଲ ନେବା ଆଣିବା କରନ୍ତି। ଏଥର ନର୍ସ ଭାବେ ନିଯୁକ୍ତି ପାଇବା ପୂର୍ବରୁ ସେ ଗାଁରେ ରହି ଅନେକ ସଂକ୍ରମିତ ଲୋକଙ୍କୁ ଚିକିତ୍ସା ସେବା ଓ ପରାମର୍ଶ ଯୋଗାଇ ଦେଇଥିବା କହନ୍ତି ଶ୍ରୀମତୀ ପୁଟେଲ। ପରିବାରରେ ମା’, ବାପା, ଶାଶୁ, ଶ୍ୱଶୁରଙ୍କୁ ମଧ୍ୟ ସେ ଉତ୍ତମ ଚିକିତ୍ସା କରିଥିବାରୁ ସେମାନେ ଆଜି ସୁସ୍ଥ ରହିଥିବା କହିଛନ୍ତି ନର୍ସ ଶ୍ରୀମତୀ ପୁଟେଲ। ଅନ୍ୟପଟେ ବର୍ତ୍ତମାନର ଘଡିସନ୍ଧି ମୁହୂର୍ତ୍ତରେ ତାଙ୍କ ପରି ସ୍ୱାସ୍ଥ୍ୟ କର୍ମୀଙ୍କର ଆବଶ୍ୟକତା ରହିଛି। ତେଣୁ ପ୍ରଗତି ଘରୁ ଗୋଡ କାଢିଛନ୍ତି। ତାଙ୍କ ସେବା ମନୋଭାବ ଦେଖି ସହଯୋଗ କରୁଛି ବୋଲି ମତ ଦିଅନ୍ତି ସ୍ୱାମୀ ରାଜୀବ।

Comments are closed.