ମୁଣ୍ଡ ଉପରେ ଖରିଫ ଚାଷ, ୮୧ଟି ଉଠା ଜଳସେଚନ ପ୍ରକଳ୍ପ ଅଚଳ

ଜଳ ଉତ୍ସ ଶୂନ, କାମରେ ଲାଗିବନି ୫ ପ୍ରକଳ୍ପ
ତଥ୍ୟ ଓ କଥାରେ ନାହିଁ ତାଳମେଳ

ବଲାଙ୍ଗିର: ଅକ୍ଷୟ ତୃତୀୟାରୁ ଖରିଫ ଚାଷ ପାଇଁ ବଲାଙ୍ଗିର ଜିଲାରେ ଅଖି ମୁଠି ଅନୁକଳ ହେଲାଣି। ଏବେ ଚାଷୀ ହଳ ଜୁତିବା ପାଇଁ ସଜବାଜ ହେଉଛି। ବର୍ଷାକୁ ଅପେକ୍ଷା କରିଛି। ତେବେ ଜିଲାର ଚାଷୀ ପ୍ରକୃତ ସହ ଉଠା ଜଳସେଚନ ଉପରେ ବି ନିର୍ଭରଶୀଳ। ଜିଲାରେ ୨୪ହଜାର ୭୦୯ ହେକ୍ଟର ଚାଷ ଜମିକୁ ଜଳସେଚନ ପାଇଁ ୧୧୨୦ଟି ସମନ୍ୱିତ ଉଠା ଜଳସେଚନ ପ୍ରକଳ୍ପ ରହିଛି। ସେଥିରୁ ୮୧ଟି ଅଚଳ ହୋଇଥିବା ଓ ୧୮ଶହ ୩୫ ହେକ୍ଟର ଜମି ଜଳସେଚନରୁ ବଞ୍ଚିତ ହେଉଥିବା ବିଭାଗୀୟ ନଥିପତ୍ରରୁ ଜଣାପଡୁଛି। କିନ୍ତୁ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଭିନ୍ନ କଥା କହୁଛନ୍ତି। ତେବେ ଜିଲାରେ ୫ଟି ସମନ୍ୱିତ ଉଠା ଜଳସେଚନ ପ୍ରକଳ୍ପ ସଂପୂର୍ଣ୍ଣ ଠପ୍‍ ହୋଇଯାଇଛି। ଜଳ ଉତ୍ସ ନଥିବାରୁ ଏହା ଆଉ ଭବିଷ୍ୟତରେ କାର୍ଯ୍ୟକ୍ଷମ ହୋଇପାରିବ ନାହିଁ ବୋଲି ସୂଚନା ମିଳିଛି।

ବଲାଙ୍ଗିର ଜିଲାର ଆଗଲପୁର ବ୍ଲକରେ ସର୍ବାଧିକ ୧୮୬ଟି, ଟିଟିଲାଗଡ଼ରେ ୧୨୫ଟି, ଗୁଡଭେଲାରେ ୧୨୨ଟି, ପାଟଣାଗଡ଼ରେ ୧୦୨ଟି, ଖପ୍ରାଖୋଲରେ ୯୪ଟି, ଦେଓଗାଁରେ ୮୭ଟି, ସଇଁନ୍ତଲାରେ ୭୯ଟି, ବଙ୍ଗୋମୁଣ୍ଡାରେ ୬୩ଟି, ବଲାଙ୍ଗିରରେ ୫୮ଟି, ଲୋଇସିଂହାରେ ୫୯ଟି, ବେଲପଡ଼ାରେ ୪୭ଟି, ପୁଇଁନ୍ତଲାରେ ୪୩ଟି, ମୁରିବାହାଲରେ ୨୮ଟି ଓ ତୁରେକେଲାରେ ୨୭ଟି ଉଠା ଜଳସେଚନ ପ୍ରକଳ୍ପ ରହିଛି। ସେଥି ମଧ୍ୟରୁ ସର୍ବାଧିକ ୨୨ଟି ଆଗଲପୁର, ୧୧ଟି ଲୋଇସିଂହା ବ୍ଲକରେ ଅଚଳ ପ୍ରକଳ୍ପ ରହିଛି। ଜିଲାରେ ମୋଟ ୮୧ଟି ପ୍ରକଳ୍ପ ରହିଛି। ତେବେ ଉଠା ଜଳସେଚନ ଡିଭିଜନ୍‍ ବଲାଙ୍ଗିରର ନିର୍ବାହୀ ଯନ୍ତ୍ରୀ ଇଂ.ସଚ୍ଚିଦାନନ୍ଦ ଦଳାଇଙ୍କ କହିବା ଅନୁସାରେ ୮୧ଟି ନୁହେଁ, ୭୯ଟି ଅଚଳ ରହିଛି। ୨ଟି ଜଳସେଚନ ପ୍ରକଳ୍ପର ମରାମତି କାମ ସରି ଯାଇଛି। କାହାର ମୋଟର୍‍ ପୋଡି ଯାଇଛି ତ କାହାର ଅନ୍ୟାନ୍ୟ ସମସ୍ୟା ରହିଛି। ଏହି ସମସ୍ୟାଗୁଡ଼ିକର ସମାଧାନ କରିଦେଲେ ଅଚଳ ହୋଇଥିବା ପ୍ରକଳ୍ପଗୁଡ଼ିକ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ। ମୁରିବାହାଲ ବ୍ଲକର ବାଙ୍କେଲରେ ଥିବା ୧, ୨ ଓ ୩ ନମ୍ବର ଜଳସେଚନ ପ୍ରକଳ୍ପ ସହ ଲୋଇସିଂହ କୁଟ୍ରାପାଲି ଓ ବେଲପଡ଼ା ବ୍ଲକର କାନୁଟରେ ଥିବା ଜଳସେଚନ ପ୍ରକଳ୍ପ ସଂପୂର୍ଣ୍ଣ ଭାବେ ଠପ୍‍ ହୋଇଯାଇଛି। ଜଳ ଉତ୍ସ ନଥିବାରୁ ଏହା କାର୍ଯ୍ୟକ୍ଷମ କରିବା ସମ୍ଭବ ନୁହେଁ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଦଳାଇ କହିଛନ୍ତି। ମରାମତି ପାଇଁ ପୂର୍ବରୁ ୫୧ଟି ପ୍ରକଳ୍ପର ନାମ ରାଜ୍ୟ ସରକାରଙ୍କ ଉଠା ଜଳସେଚନ ବିଭାଗକୁ ପ୍ରସ୍ତାବ ଦିଆଯାଇଥିଲା। ଏଥିର ବି ପ୍ରସ୍ତାବ ଦିଆଯାଇଥିବା ସୂଚନା ମିଳିଛି। କିନ୍ତୁ ରାଜ୍ୟରୁ କୌଣସି ଅନୁଦାନ ମିଳି ନଥିବା ଜଣାପଡ଼ିଛି।

ଜିଲାର ୯ଟି ପ୍ରକଳ୍ପରୁ ୨ଟିର ପୁନରୁଦ୍ଧାର କାମ ସରିଥିବା ବେଳେ ୭ଟି ଅଚଳ ଜଳସେଚନ ପ୍ରକଳ୍ପ ଦ୍ୱାରା ଉପକୃତ ହେଉଥିବା ୧୪୮ ହେକ୍ଟର ଜମିକୁ ଜଳସେଚନ ହୋଇପାରିବ ନାହିଁ। ୧୦୩୯ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ୨୨ହଜାର ୮୭୪ ହେକ୍ଟର ଜମିକୁ ଜଳସେଚିତ କରାଯାଇପାରିବ ବୋଲି ନିର୍ବାହୀ ଯନ୍ତ୍ରୀ ଶ୍ରୀ ଦଳାଇ କହିଛନ୍ତି। ତେବେ ଜିଲା ଉଠା ଜଳସେଚନ ବିଭାଗ ପକ୍ଷରୁ ଦିଆଯାଉଥିବା ତଥ୍ୟ ଓ ବାସ୍ତବତାରେ ଢେର ଫରକ ରହିଥିବା ଚାଷୀ ଅଭିଯୋଗ ଆଣୁଛନ୍ତି। ଖରିଫ ଧାନ ଚାଷ ପ୍ରକ୍ରିୟା ମୋଟାମୋଟି ଆରମ୍ଭ ହୋଇଥିଲେ ବି ବିଭାଗୀୟ ବାବୁମାନେ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଦେଖନ୍ତୁ। ତା’ପରେ ପ୍ରକୃତରେ କେତେ ଅଚଳ ଓ ସଚଳ ତାହା ସ୍ପଷ୍ଟ ହେବ ବୋଲି ଚାଷୀ ମତ ଦେଉଛନ୍ତି। ଆଉ ଏହି ମର୍ମରେ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଦଳାଇ କହିଛନ୍ତି ଯେ, ଆମେ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ପ୍ରସ୍ତୁତ କରିଛୁ। ଚାଷୀଙ୍କ ସମସ୍ୟା ଥିଲେ ସେମାନେ ଅଭିଯୋଗ କରିପାରିବେ।

Comments are closed.