ଶରତଙ୍କୁ ପିସିସି ସଭାପତି ଶିରିପା; ଗୋଷ୍ଠୀ ନୁହେଁ, ଦଳକୁ ସଂଗଠିତ କରିବାର ସମୟ

ବଲାଙ୍ଗିର: ସୋମବାର ବିଧିବଦ୍ଧ ଭାବେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ଶ୍ରୀ ପଟ୍ଟନାୟକଙ୍କ ନାମ ଘୋଷଣା ହୋଇଛି । ଆଉ ବଲାଙ୍ଗିର ଜିଲାରେ ଶରତ ପଟ୍ଟନାୟକଙ୍କ ସମର୍ଥକମାନେ ବାଣ ଫୁଟାଇ ଖୁସି ଜାହିର କରିଛନ୍ତି । ତେବେ ପୂର୍ବରୁ ବଲାଙ୍ଗିର ଜିଲାରେ ଶ୍ରୀ ପଟ୍ଟନାୟକଙ୍କ ସମର୍ଥକ କଂଗ୍ରେସ ଓ ବଲାଙ୍ଗିର ବିଧାୟକ ତଥା ବିଧାନସଭା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଗୋଷ୍ଠୀ ତାରତମ୍ୟ  ଖବର ଚର୍ଚ୍ଚାରେ ରହି ଆସିଛି । ଶ୍ରୀ ପଟ୍ଟନାୟକଙ୍କୁ ପିସିସି ସଭାପତି ଶିରିପା ମିଳିବା ପରେ ଗୋଷ୍ଠୀ ବିବାଦ ଜୋର ଧରିବ ନାଁ ଦଳକୁ ସଂଗଠିତ କରିବାକୁ ସମସ୍ତେ ଏକଜୁଟ ହେବେ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି ।

ବଲାଙ୍ଗିର ଜିଲା ସଇଁନ୍ତଲାରେ ଶ୍ରୀ ପଟ୍ଟନାୟକଙ୍କ ଜନ୍ମ । ସେଠାରେ ସ୍କୁଲ, ରାଜେନ୍ଦ୍ର କଲେଜରୁ ସ୍ନାତକ ପରେ ସେ ସମ୍ବଲପୁର ଏଲ୍‌ଏନ୍‌ ଆଇନ ମହାବିଦ୍ୟାଳୟରୁ ଆଇନ ପାଠ ପଢିଥିଲେ । ଛାତ୍ର କଂଗ୍ରେସରୁ ଆରମ୍ଭ କରି ଯୁବ କଂଗ୍ରେସର ରାଜ୍ୟ ସଭାପତି ହୋଇଥିଲେ । ଜଣେ ଫୁଟବଲ ଗୋଲ ରକ୍ଷକ ଭାବେ ବି ସେ ଜଣାଶୁଣା । ଜିଲା ଫୁଟବଲରୁ ପ୍ରତିନିଧିତ୍ୱ କରିଥିଲେ । ୧୯୯୨ରୁ ୯୬ ଯାଏ ରାଜ୍ୟ ଯୁବ କଂଗ୍ରେସ ସଭାପତି ଥିବା ବେଳେ ବିଜୁ ହଟାଓ, ଓଡ଼ିଶା ବଞ୍ଚାଅ ଅଭିଯାନ ଆରମ୍ଭ କରିଥିଲେ । ବଲାଙ୍ଗିର ଜିଲାରୁ ୧୯୯୧ରୁ ୧୯୯୬ ଓ ୧୯୯୬ରୁ ୧୯୯୮ ଯାଏ ସେ କଂଗ୍ରେସ ପ୍ରାର୍ଥୀ ଭାବେ ଲୋକସଭା ସାଂସଦ ହୋଇଥିଲେ । ପରବର୍ତ୍ତୀ ନିର୍ବାଚନରେ ସେ ପରାଜୟର ମୁହଁ ଦେଖିଥିଲେ । ୨୦୦୦ରୁ ୨୦୦୪ ଯାଏ ରାଜ୍ୟ ପ୍ରଦେଶ କଂଗ୍ରେସର ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ । ୧୯୯୯ରେ କେବିକେ ଫୋରମ୍‌ ଶ୍ରୀ ପଟ୍ଟନାୟକ ଗଢିବା ସହ କେବିକେ ଜିଲାରୁ ଦିଲ୍ଲୀ ଯାଏ ଅଭିଯାନକୁ ନେଇଥିଲେ ।

ସର୍ବଭାରତୀୟ କଂଗ୍ରେସ କମିଟି(ଏଆଇସିସି)ର ସଂପାଦକ ବି ସେ ଥିଲେ । ତେବେ କଂଗ୍ରେସରେ ବିଧାୟକ ନରସିଂହ ମିଶ୍ରଙ୍କ ଯୋଗଦେବା ପରେ ପରେ ଶରତ ପଟ୍ଟନାୟକଙ୍କ ଦବ୍‌ଦବା କମିଥିଲା । ଜିଲାରେ ଦଳ ଭାଗ ଭାଗ ହୋଇଥିବା ଆଲୋଚନା ଜୋର ଧରିଥିଲା । କିଛି ବର୍ଷ ହେଲା ସେ ଜିଲା ରାଜନୀତିରୁ ଦୂରରେ ରହିଥିବା ବେଳେ ତାଙ୍କ ସମର୍ଥକମାନେ ଚୁପ୍‌ ଥିଲେ । ସୋମବାର ଏଆଇସିସି ଶ୍ରୀ ପଟ୍ଟନାୟକଙ୍କୁ ଦୀର୍ଘ ୧୮ ବର୍ଷ ପରେ ପୁଣିଥରେ ରାଜ୍ୟ କଂଗ୍ରେସ ସଭାପତି ଦାୟିତ୍ୱ ଦେଇଛି । ଶ୍ରୀ ପଟ୍ଟନାୟକଙ୍କ ମନୋନୟନ ପରେ ଶ୍ରୀ ପଟ୍ଟନାୟକଙ୍କ ସମର୍ଥକମାନେ ଖୁସି ପ୍ରକାଶ କରି ସନ୍ଧ୍ୟାରେ ବାଣ ଫୁଟାଇ ମିଠା ବାଣ୍ଟିଛନ୍ତି ।

ଜିଲାରେ କଂଗ୍ରେସ ଭାଗ ଭାଗ ହେଇ ରହିଥିବା କଥା ସବୁବେଳେ ଚର୍ଚ୍ଚା ହେଉଥିବା ବେଳେ ଶ୍ରୀ ପଟ୍ଟନାୟକ ଗୋଷ୍ଠୀଗତ ବିଚାରକୁ ଅଗ୍ରାଧିକାର ଦେବେ ନା ଦଳୀୟ ଏକତା ପ୍ରତି ଦୃଷ୍ଟି ଦେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଅନ୍ୟପଟେ ପୂର୍ବରୁ ଶ୍ରୀ ପଟ୍ଟନାୟକଙ୍କ ଖାସ୍‌ ସମର୍ଥକ ମାନେ ଅନ୍ୟ ଦଳରେ ସାମିଲ ହୋଇଛନ୍ତି । ସେମାନଙ୍କୁ ମନାଇ ଦଳକୁ ଫେରାଇ ଆଣିବେ କି ବୋଲି ସାଧାରଣରେ ଚର୍ଚ୍ଚା । ତେବେ ପୁରୁଖା କଂଗ୍ରେସ ନେତାମାନଙ୍କ ପରାମର୍ଶ ହେଉଛି ଯେ, ଦଳ ଦୁର୍ବଳ ହୋଇସାରିଛି । କର୍ମୀ, ନେତା ଭିତରେ ଦୂରତା ବଢି ଯାଇଛି । ଲୋକେ କଂଗ୍ରେସରୁ ଆସ୍ଥା ହରାଇ ସାରିଛନ୍ତି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ଗୋଷ୍ଠୀ ନୁହେଁ, ଦଳକୁ ସଂଗଠିତ କରିବା ବେଳ । ଏହା ଏକ ବିରାଟ ଆହ୍ୱାନ ବୋଲି ମତପ୍ରକାଶ ପାଇଛି ।

Comments are closed.