ସିରିଜ୍‍ ଦୁର୍ଘଟଣା ନା ହତ୍ୟା ଷଡଯନ୍ତ୍ର! ମିନି ଟ୍ରକ ଧକ୍କାରେ ୧ ମୃତ, ୨ ଚାଳକ ଗୁରୁତର

ବଲାଙ୍ଗିର: ଶନିବାର ଦିନ ସାଢେ ୧୧ଟା ବେଳେ ବଲାଙ୍ଗିର ସହରର ଜନଗହଳି ଆର୍‍ଟିଓ ଅଫିସ୍‍ ଛକରେ ସିରିଜ(ଏକାଧିକ) ଦୁର୍ଘଟଣା ଘଟିଛି। ମିନି ଟ୍ରକ ଏକ ବାଇକ୍‍କୁ ପଛପଟୁ ଧକ୍କା ଦେଇଥିବା ବେଳେ ବାଇକ ଏକ ଇନୋଭାକୁ ଧକ୍କା ଦେଇଛି। ସେହିପରି ରାସ୍ତା ଉପରେ ଥିବା ଗାଈକୁ ବଞ୍ଚାଇବା ଓ ଦୁର୍ଘଟଣା ଏଡେଇବାକୁ ଯାଇ ଆଉ ଏକ ଗହମ ବୋଝେଇ ଟ୍ରକ ରାସ୍ତା କଡ଼ ଗଛକୁ ଧକ୍କା ଦେଇଛି। ଏହି ସିରିଜ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିଲା। ବାଇକ ଚଳାଉଥିବା ଯୁବକ ଓ ମିନି ଟ୍ରକ ଚାଳକ ଗୁରୁତର ହୋଇ ଭୀମ ଭୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସିରିଜ୍‍ ଦୁର୍ଘଟଣା ନେଇ ଆର୍‍ଟିଓ ଛକରେ ଭିଡ ଜମିଥିଲା। ଉତ୍ତେଜନା ପ୍ରକାଶ ପାଇଥିଲା। ଉପଖଣ୍ଡ ପୁଲିସ ଅଧିକାରୀ(ଏସ୍‍ଡିପିଓ) ଓ ସହରାଞ୍ଚଳ ପୁଲିସ ପହଞ୍ଚି ଭିଡ ନିୟନ୍ତ୍ରଣ କରିବା ସହ ଗାଡି ଚଳାଚଳ ସ୍ୱାଭାବିକ କରିଥିଲେ। ପ୍ରଥମେ ଏହାକୁ ଦୁର୍ଘଟଣା କୁହାଯାଉଥିବା ବେଳେ ପରବର୍ତ୍ତୀ ସମୟରେ ଏହା ଏକ ଯୋଜନାବଦ୍ଧ ହତ୍ୟା ଉଦ୍ୟମ ବୋଲି ଚର୍ଚ୍ଚା ହେଉଛି।

ବଲାଙ୍ଗିରରୁ ଟିଟିଲାଗଡ଼ ପଟକୁ ଏକ ନୀଳ ରଙ୍ଗର ମିନି ଟ୍ରକ ଯାଉଥିଲା। ଆର୍‍ଟିଓ ଅଫିସ୍‍ ଛକରେ ମିନି ଟ୍ରକଟି ବାଇକକୁ ଧକ୍କା ଦେଇଥିଲା। ରାସ୍ତା କଡ଼ରେ ଥିବା ଓଡି୦୩ଏନ୍‍ ୭୦୯୦ ଇନୋଭା ସହ ବାଇକ ଧକ୍କା ହୋଇଥିଲା। ବାଇକ ଚଳାଉଥିବା ସୋନୁ ନାଏକ ଗୁରୁତର ହୋଇଥିଲେ। ସୋନୁଙ୍କ ସହ ବାଇକରେ ବସିଥିବା ବରଗଡ଼ ଜିଲାର ଶ୍ରୀକାନ୍ତ ବାଗ(ସୋନୁଙ୍କ ନିକଟରେ କାମ କରୁଥିବା)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ସେହିପରି ମିନି ଟ୍ରକ ଚଳାଉଥିବା ଚିତ୍ତ ମହାନ୍ତି ମଧ୍ୟ ଗୁରୁତର ଆହତ ହୋଇଥିଲେ। ତେବେ ସାମ୍ନା ପଟୁ ମିଶ୍ର ଅଟୋମୋବାଇଲ୍ସ ସଂସ୍ଥାର ଓଆର୧୫ପି ୪୬୫୫ ଟ୍ରକ ଗହମ ବୋଝେଇ କରି ଆସୁଥିବା ବେଳେ ଦୁର୍ଘଟଣା ଏଡେଇବାକୁ ଓ ରାସ୍ତାରେ ଶୋଇଥିବା ଏକ ଗାଈକୁ ବଞ୍ଚାଇବାକୁ ଯାଇ ରାସ୍ତା କଡ଼ରେ ଥିବା ଲିମ୍ବ ଗଛକୁ ଧକ୍କା ଦେଇଥିଲା। ଆର୍‍ଟିଓ ଅଫିସ୍‍ ଭଳି ଜନଗହଳି ସ୍ଥାନରେ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ନଥିବା ବେଳେ ଅବାଧାରେ ଗାଈବଳଦମାନେ ରାସ୍ତାରେ ରହୁଥିବାରୁ ଦୁର୍ଘଟଣା ଘଟୁଛି। ଏହାକୁ ନେଇ ସ୍ଥାନୀୟ ଲୋକେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଖବର ପାଇ ଏସ୍‍ଡିପିଓ ତୋଫାନ ବାଗ, ସହରାଞ୍ଚଳ ଥାନା ଅଧିକାରୀ କେ.ପ୍ରିୟଙ୍କା ରାଉତରାୟ ସଦଳବଳ ପହଞ୍ଚିଥିଲେ। ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି ଜଟିଳ ହେବାର ଆଶଙ୍କା କରି ଅଧିକ ସୁରକ୍ଷାବଳ ମଗାଇଥିଲେ। ସଙ୍ଗେ ସଙ୍ଗେ ମୃତ ଶ୍ରୀକାନ୍ତଙ୍କ ଶବ ଓ ଦୁଇ ଆହତ ସୋନୁ ଓ ଚିତ୍ତଙ୍କୁ ଗୁରୁତର ଅବସ୍ଥାରେ ଭୀମ ଭୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ପ୍ରାଥମିକ ଭାବେ ଏହାକୁ ଏକ ଦୁର୍ଘଟଣା ବୋଲି ଆକଳନ କରାଯାଉଥିବା ବେଳେ ପରେ ବିଭିନ୍ନ କଥାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ଦୁର୍ଘଟଣା ଘଟାଇଥିବା ମିନି ଟ୍ରକର ନମ୍ବରରେ କଳା ବୋଳା ଯାଇଥିଲା। କଳା ପୋଛିବା ପରେ ଯେଉଁ ନମ୍ବର ମିଳିଥିଲା ତାହା ପରିବହନ ଆପ୍‍ ଜରିଆରେ ଯାଞ୍ଚ କରାଯିବାରୁ ଉପଲବ୍ଧ ନୁହେଁ ଦେଖାଇଥିଲା। ଆହତ ସୋନୁ ଓ ତାଙ୍କ ପରିବାର ସହ ଚିତ୍ତଙ୍କର ଜମି ବାଡି ଶତ୍ରୁତା ରହିଥିଲା। କିଛି ଦିନ ତଳେ ସୋନୁଙ୍କ ବଡ ଭାଇ ସେହି ଆର୍‍ଟିଓ ଛକରେ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କ ଗୋଡ ଭାଙ୍ଗି ଯାଇଥିଲା। ସେ ଭୀମ ଭୋଇରେ ଚିକିତ୍ସାଧୀନ। ଉଭୟ ଆହତ ପରସ୍ପର ବିରୋଧରେ ସହରାଞ୍ଚଳ ଥାନାରେ ପୂର୍ବରୁ ଅଭିଯୋଗ ମଧ୍ୟ କରିଥିବା ଜଣାପଡ଼ିଛି। ଦୁର୍ଘଟଣା ନୁହେଁ, ହତ୍ୟା ପାଇଁ ଯୋଜନାବଦ୍ଧ ଷଡଯନ୍ତ୍ର ବୋଲି ଆହତ ସୋନୁ ଅଭିଯୋଗ କରିଛନ୍ତି। ସହରାଞ୍ଚଳ ପୁଲିସ ୨୫୨ ନମ୍ବର ଦୁର୍ଘଟଣା ମାମଲା ରୁଜୁ କରିଛି। ତେବେ ହତ୍ୟା ଷଡଯନ୍ତ୍ର ପ୍ରସଙ୍ଗ ଉଠୁଥିବାରୁ ଅଧିକ ତଦନ୍ତ ଜାରି ରହିଥିବା ଏସ୍‍ଡିପିଓ ଶ୍ରୀ ବାଗ କହିଛନ୍ତି।

Comments are closed.