ଶ୍ରମିକ ଗଲେ ଜେଲ୍‍, ମାଲିକଙ୍କୁ ନୋଟିସ୍‍

ଷ୍ଟେସନ ପରିଚାଳକଙ୍କୁ ବନ ବିଭାଗର ସହାନୁଭୂତି !

ବଲାଙ୍ଗିର: ବଲାଙ୍ଗିର ଜିଲା ତୁରେକେଲା ରୋଡ୍‍ ରେଳ ଷ୍ଟେସନ। ଷ୍ଟେସନ ପଛ ପଟେ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ରହିଛି ସରକାରୀ କ୍ୱାର୍ଟର। ଏହି କ୍ୱାର୍ଟରରେ ଶାଗୁଆନ କାଠରେ ପଲଙ୍କ ସହ ଅନ୍ୟାନ୍ୟ କାମ କରୁଥିଲେ କାଠ ମିସ୍ତ୍ରୀ ଫକୀର ମୋହନ ଓ ଶ୍ରମିକ ନୂଆ ଛତ୍ରିଆ। ଗତ ୧୩ ତାରିଖ ସକାଳେ କଣ୍ଟାବାଞ୍ଜି ବନାଞ୍ଚଳ ଅଧିକାରୀ ଓ ବଲାଙ୍ଗିର ବନ ବିଭାଗର ଭ୍ରାମ୍ୟମାଣ ଦଳ ଚଢାଉ କରିଥିଲେ। କାଠ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଥିବା ଦର୍ଶାଇଥିଲେ। ସେହିପରି ଷ୍ଟେସନ ପଛପଟେ କାଠ କାମ କରାଯାଉଥିବା ବନ ବିଭାଗ ପକ୍ଷରୁ କୁହାଯାଇଥିଲା। କିନ୍ତୁ ପ୍ରକୃତ ସତ ଜାଣିବା ବେଳକୁ କାଠ ମିସ୍ତ୍ରୀ ଫକୀର ଓ ଶ୍ରମିକ ନୂଆ ଛତ୍ରିଆ କାଠ ଆଣି ନଥିଲେ କି ସେମାନେ ଜବତ କାଠର ମାଲିକ ନୁହନ୍ତି। ସେମାନେ ମାଲିକଙ୍କ ନିର୍ଦ୍ଦେଶରେ ପାଉଣା ପାଇଁ କାମ କରୁଥିଲେ। ତା’ହେଲେ ଏହି କାଠର ମାଲିକ କିଏ? କେଉଁଠୁ ଆଣିଲେ ଏତେ ପରିମାଣର ମୂଲ୍ୟବାନ ଶାଗୁଆନ କାଠ? ଖୋଳତାଡ କଲା ବେଳକୁ ଜଣାପଡ଼ିଥିଲା ଯେ, ତୁରେକେଲା ରୋଡ ରେଳ ଷ୍ଟେସନର ପରିଚାଳକ ଧର୍ମେନ୍ଦ୍ର କଶ୍ୟପ ସେମାନଙ୍କୁ କାମରେ ନିୟୋଜିତ କରିଥିଲେ। ତା’ହେଲେ ପରିଚାଳକ ଶ୍ରୀ କଶ୍ୟପଙ୍କୁ କାହିଁକି ଗିରଫ କରାଗଲା ନାହିଁ ବୋଲି ପ୍ରଶ୍ନ ଉଠୁଛି। ଏହି ପ୍ରସଙ୍ଗରେ କଣ୍ଟାବାଞ୍ଜି ବନାଞ୍ଚଳ ଅଧିକାରୀ ତଦନ୍ତ କରୁଥିବା ସୂଚନା ଦେଇଛନ୍ତି। ଯେଉଁଠି କାଠ କାମ ହେଉଥିଲା ସେଇଠି ହିଁ ରହନ୍ତି ମାଲିକ ଶ୍ରୀ କଶ୍ୟପ। ତାଙ୍କୁ ନଧରି ବନ ବିଭାଗ ସହାନୁଭୂତି ଦେଖାଇଥିବା କାଠ କାମ କରୁଥିବା ଶ୍ରମିକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ବନ ବିଭାଗର ଏଭଳି କାରନାମା ନେଇ ମଙ୍ଗଳବାର ବଲାଙ୍ଗିର ଜିଲା ବନ ଅଧିକାରୀ ନୀତିଶ କୁମାରଙ୍କ ପ୍ରତିକ୍ରିୟା ନେବା ବେଳେ ସେ ଭିଡିଓ କନ୍‍ଫରେନ୍ସରେ ବ୍ୟସ୍ତ ଥିବା ସୂଚନା ମିଳିଥିଲା। ସହକାରୀ ବନ ସଂରକ୍ଷକ(ଏସିଏଫ୍‍) ବାବାଜୀ ଚରଣ ରାଉଳଙ୍କୁ ପଚାରିବାରୁ ସେ ଏକ ଉଦାହରଣ ଦେଇଥିଲେ। ଗଞ୍ଜେଇ ଚାଲାଣ କରୁଥିବା ଗାଡିକୁ ପୁଲିସ ଧରିଲା। ପୁଲିସ ଗାଡି ସହ ଗଞ୍ଜେଇ ଜବତ କରୁଛି। ଗାଡି ଚାଳକ ଓ ସହଯୋଗୀଙ୍କୁ ଧରୁଛି। ସିଧାସଳଖ କ’ଣ ଗଞ୍ଜେଇ ମାଲିକଙ୍କୁ ଧରିପାରୁଛି କି? ମାଲିକ ମୁମ୍ବାଇରେ କି ଦିଲ୍ଲୀରେ ବସିଥିଲେ ତାକୁ କେମିତି ଧରିବ। ତେଣୁ ପ୍ରାଥମିକ ଭାବେ ଯିଏ ଗଞ୍ଜେଇ ଚାଲାଣ କରୁଛି ତାକୁ ଗିରଫ କରାଯାଏ। ପରବର୍ତ୍ତୀ ସମୟରେ ତଦନ୍ତ କରି ଅନ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୁଏ। ସେହିପରି ତୁରେକେଲା ଷ୍ଟେସନ ପଛପଟେ କାଠ କାମ କରୁଥିବା ମିସ୍ତ୍ରୀ ଓ ଶ୍ରମିକଙ୍କୁ ଗିରଫ କରାଯାଇଛି। ତଦନ୍ତ ପରେ ଧାରା ୭୭ ଅନୁସାରେ କାଠ ମାଲିକ କୁହାଯାଉଥିବା ଷ୍ଟେସନ ପରିଚାଳକ ଶ୍ରୀ କଶ୍ୟପଙ୍କୁ ନୋଟିସ୍‍ କରାଯିବ। ସେ ନୋଟିସ୍‍ ପରେ ହାଜର ହୋଇ ପର୍ଯ୍ୟାପ୍ତ ପ୍ରମାଣ ଦେଇ ନପାରିଲେ କାର୍ଯ୍ୟାନୁଷ୍ଠାନ ହେବ। ତେବେ କେତେ ଦିନ ଗଲେ ବନାଞ୍ଚଳ ଅଧିକାରୀ ନୋଟିସ୍‍ ଦେବେ ଓ ଷ୍ଟେସନ ପରିଚାଳକଙ୍କ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ହେବ ତା’ ଉପରେ ସମସ୍ତଙ୍କ ନଜର।

Comments are closed.