ମହଙ୍ଗା ପଡିଲା ଲାଞ୍ଚ – ଏଡିଏମ୍‍ଓ ବଦଳି, ଆଟେଡାଣ୍ଟ ନିଲମ୍ବିତ

ବଲାଙ୍ଗିର: ଜଣେ ରୋଗୀଙ୍କ ସଂପର୍କୀୟଙ୍କ ଠାରୁ ଗୋଡରେ ବନ୍ଧା ହୋଇଥିବା ପଟି ଖୋଲିବା ପାଇଁ ହାତ ଖର୍ଚ୍ଚ ମାଗୁଥିଲେ। ଆଉ ଜଣେ ବରିଷ୍ଠ ଡାକ୍ତର ପ୍ରସୂତି ଅସ୍ତ୍ରୋପଚାର ପରେ ୨୦ ହଜାର ଟଙ୍କା ମାଗିବା। ଟଙ୍କା ପକେଟରେ ଭରୁଥିବାର ଭିଡିଓ ଦୃଶ୍ୟ ପ୍ରସାରିତ ହୋଇଥିଲା। ଏହି ମର୍ମରେ ବଲାଙ୍ଗିର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ(ସିଡିଏମ୍‍ଓ) ଡା.ଭୀମ ସାହୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଉ ଘଟଣାର ୩ ଦିନ ପରେ ଲାଞ୍ଚ ମାଗୁଥିବା ଆଟେଡାଣ୍ଟଙ୍କୁ ନିଲମ୍ବନ ଓ ବରିଷ୍ଠ ଡାକ୍ତରଙ୍କୁ ବଲାଙ୍ଗିର ମୁଖ୍ୟ ଡାକ୍ତରଖାନାକୁ ବଦଳି କରାଯାଇଛି।

ସୂଚନା ଅନୁସାରେ, ପାଟଣାଗଡ ଉପଖଣ୍ଡ ଡାକ୍ତରଖାନାର ଅତିରିକ୍ତ ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ(ଏଡିଏମ୍‍ଓ) ଡା.ବାଚସ୍ପତି ଦାଶ ଜଣେ ପ୍ରସୂତିଙ୍କ ଅସ୍ତ୍ରୋପଚାର କରିଥିଲେ। ସେ ଏହି ଅସ୍ତ୍ରୋପଚାର ବାବଦରେ ୨୦ହଜାର ଟଙ୍କା ଲାଞ୍ଚ ମାଗୁଥିଲେ। ପ୍ରସାରିତ ଭିଡିଓରେ ଜଣେ ବ୍ୟକ୍ତି ଡା.ଦାଶଙ୍କୁ ଟଙ୍କା ଦେଉଥିବା ଓ ସେ ପକେଟରେ ଭରୁଥିବା ଦେଖା ଯାଇଥିଲା। ସେହିପରି ଭୀମ ଭୋଇ ଡାକ୍ତରଖାନାର ଅସ୍ଥି ବିଭାଗର ବର୍ହି ଚିକିତ୍ସାରେ କାର୍ଯ୍ୟରତ ଆଟେଡାଣ୍ଟ ସଚ୍ଚିକାନ୍ତ ମିଶ୍ର ଜଣେ ରୋଗୀଙ୍କ ପଟି ଖୋଲିବା ପାଇଁ ଟଙ୍କା ମାଗୁଥିଲେ। ଆଉ ରୋଗୀଙ୍କ ସଂପର୍କୀୟ ଏହି ଟଙ୍କା ଦେବାକୁ ଅରାଜି ହେଉଥିବାର ଭିଡିଓ ବି ପ୍ରସାରିତ ହୋଇଥିଲା। ଏନେଇ ସିଡିଏମ୍‍ଓ ଡା.ସାହୁଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସେ ଏହାର ବିଚାର କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଥିଲେ। ଆଉ ସୋମବାର ପାଟଣାଗଡ ଏଡିଏମ୍‍ଓ ଡା.ଦାଶଙ୍କୁ ବଲାଙ୍ଗିର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ଦେଇଛନ୍ତି। ସେହିପରି ଆଟେଡାଣ୍ଟ ଶ୍ରୀ ମିଶ୍ରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି କହିଛନ୍ତି ସିଡିଏମ୍‍ଓ।

Comments are closed.