ପୁଲିସ ବର୍ଦ୍ଦିରେ ଦାଗ!ସତ ହେଉଛି ସନ୍ଦେହ -ଦାଦନ ସର୍ଦ୍ଦାରଙ୍କୁ ଜୁଆଡି ସଜାଇବା ଘଟଣା

ଜବତ ଅର୍ଥରେ ଅନିୟମିତତା ମାନିଲେ ଏସ୍‌ପି -ଅତିରିକ୍ତ ଏସ୍‌ପିଙ୍କ ଚୂଡାନ୍ତ ରିପୋର୍ଟ ଉପରେ ଆଖି

ବଲାଙ୍ଗିର :ଗୁରୁବାର ରାତିରେ ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ଥାନା ପୁଲିସ ଶ୍ରୀ ଅନ୍ନପୂର୍ଣ୍ଣା ଲଜ୍‌ରେ ଚଢଉ କରିଥିଲା । ୭ଜଣ ଅଣ ଓଡ଼ିଶାଙ୍କୁ ଧରିବା ସହ ଖୋଳତାଡ ବେଳେ ପୁଳା ପୁଳା ଟଙ୍କା ପାଇଥିଲା । ଶୁକ୍ରବାର ଦାଦନ ସର୍ଦ୍ଦାରଙ୍କୁ ପୁଲିସ ଧରିଥିବା କଥା ପ୍ରଘଟ ହେଲା । ଦିନ ୧୨ଟାରେ କଣ୍ଟାବାଞ୍ଜି ଉପଖଣ୍ଡ ଡିଏସ୍‌ପି ଡ.ହୃଷିକେଶ ମେହେର ସାମ୍ବାଦିକ ସମ୍ମିଳନୀ କରିଥିଲେ । ଦାଦନ ସର୍ଦ୍ଦାର ନୁହନ୍ତି, ଅଟକ ୭ ଜଣ ଜୁଆଡି ବୋଲି କହିଥିଲେ । ସେମାନେ ଆନ୍ଧପ୍ରଦେଶର ଓ ୫୮ଲକ୍ଷ ୫୨ହଜାର ୨୫୦ ଟଙ୍କା ଜବତ ହୋଇଥିବା ଦର୍ଶାଇଥିଲେ । ଉପଖଣ୍ଡ ଡିଏସ୍‌ପି ଡ.ମେହେରଙ୍କୁ ଗିରଫ ବ୍ୟକ୍ତି ଜୁଆ ଖେଳିବାକୁ ଆନ୍ଧ୍ରରୁ କଣ୍ଟାବାଞ୍ଜି ଆସିଥିଲେ କି ପ୍ରଶ୍ନର ଉତ୍ତରରେ ଆଇନ ତା ବାଟରେ ଯିବ । ଆମେ ଅଧିକ ତଦନ୍ତ ଜାରି ରଖିଛୁ ବୋଲି ସୂଚନା ଦେଇ ଚାଲି ଯାଇଥିଲେ । କିନ୍ତୁ ଗଣମାଧ୍ୟମର ସନ୍ଦେହକୁ ପୁଲିସ ଘୋଡେଇବାକୁ ଉଦ୍ୟମ କରି ବିଫଳ ହୋଇଛି । ଅତିରିକ୍ତ ଏସ୍‌ପି ତଦନ୍ତ କରି ଫେରିଛନ୍ତି । ଆଉ ଏସ୍‌ପି ନୀତିନ କୁଶଲକର ବି ଜବତ ଅର୍ଥରେ ଅନିୟମିିତତା ହୋଇଥିବା ଶନିବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ।  ସେଠାରୁ ଏକ କୋଟିରୁ ଅଧିକ ଟଙ୍କା ଜବତ ହୋଇଥିବା କିଛି ପ୍ରତ୍ୟକ୍ଷଦର୍ଶୀ କହିଥିବା ବେଳେ  ଥାନାରୁ  ୧୩ ଲକ୍ଷଟଙ୍କା ମିଳିଥିବା ସୂଚନା ମିଳିଛି । ଗିରଫ ବ୍ୟକ୍ତିମାନଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡି ଦିଆଯାଇଛି । ଘଟଣା ରହସ୍ୟାହୃତ୍ତ ରହିଥିବା ବେଳେ ପୁଲିସ ଅଧିକାରୀ ମାପିଚୁପି ଉତ୍ତର ଦେଉଛନ୍ତି ।  ଉପଖଣ୍ଡ ଡିଏସ୍‌ପି ଡ.ମେହେରଙ୍କ ପ୍ରତିକ୍ରିୟା ମିଳିପାରୁନି । ଅତିରିକ୍ତ ଏସ୍‌ପିଙ୍କ ଚୂଡାନ୍ତ ତଦନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି । ରିପୋର୍ଟ ଉଚ୍ଚ କର୍ତୃପକ୍ଷଙ୍କୁ ଦିଆଯିବ । କର୍ତୃପକ୍ଷ ଯାହା କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଏସ୍‌ପି ଶ୍ରୀ କୁଶଲକର କହିଛନ୍ତି । ତେବେ ଜବତ ଅର୍ଥରେ ଅନିୟମିତତାକୁ ପୁଲିସର ଭୂମିକା ଉପରେ ଅଙ୍ଗୁଳି ଉଠାଉଛି । ବର୍ଦ୍ଦିରେ କଳଙ୍କର ଦାଗ ଲାଗିଛି । ଏହାକୁ କେମିତି ତର୍ଜମା କରାଯାଉଛି ଓ କାର୍ଯ୍ୟାନୁଷ୍ଠାନ ହେଉଛି ସେ ଉପରେ ସମସ୍ତଙ୍କ ନଜର ।

ଆନ୍ଧପ୍ରଦେଶର ସାଙ୍ଗାରେଡ୍ଡି, ହାଇଦରାବାଦ ଓ ନାରାୟଣପେଟ ଜିଲାରେ ଅନେକ ଇଟା ଭାଟି ରହିଛି । ଇଟାଭାଟି ମାଲିକ ଓ ସର୍ଦ୍ଦାରମାନେ ନୂଆଁଖାଇ ପାର୍ବଣ ପରେ ପରେ ଆଗୁଆ ବଇନା ଆକାରରେ ଟଙ୍କା ଦେଇ ବଲାଙ୍ଗିର ଜିଲାର କଣ୍ଟାବାଞ୍ଜି, ତୁରେକେଲା, ମୁରିବାହାଲ, ଟିଟିଲାଗଡ, ବଙ୍ଗୋମୁଣ୍ଡା, ଖପ୍ରାଖୋଲ, ବେଲପଡ଼ା, ପାଟଣାଗଡର ଗ୍ରାମାଞ୍ଚଳରୁ ଶ୍ରମିକଙ୍କୁ ନିଅନ୍ତି । ଏକଥା ସମସ୍ତଙ୍କୁ ଭଲ ଭାବେ ଜଣା । ତେବେ କଣ୍ଟାବାଞ୍ଜି ସହରର ପର୍ଶୁରାମ ଛକ ନିକଟରେ ଶ୍ରୀ ଅନ୍ନପୂର୍ଣ୍ଣା ଲଜ୍‌ରେ ଗୁରୁବାର କଣ୍ଟାବାଞ୍ଜି ପୁଲିସ ଚଢଉ କରି ସାଙ୍ଗାରେଡ୍ଡି, ନାରାୟଣପେଟ ଓ ହାଇଦରାବାଦ ଜିଲାର ୭ଜଣଙ୍କୁ ଧରିଥିଲା । ସେମାନଙ୍କଠାରୁ ବିପୁଳ ଅର୍ଥ ଜବତ କରାଯାଇଥିଲା । ଅକାଳନ ଅନୁସାରେ କୋଟିଏରୁ ଉର୍ଦ୍ଧ ଟଙ୍କା ହେବ । ହେଲେ ଉପଖଣ୍ଡ ଡିଏସ୍‌ପି ଡ.ମେହେରଙ୍କ ପ୍ରତିକ୍ରିୟା ପରେ ସନ୍ଦେହ ବଢିଥିଲା । ମାତ୍ର ୫୮ଲକ୍ଷ ୫୨ହଜାର ୨୫୦ ଟଙ୍କା ଜବତ ହେବା ଓ ସେମାନେ ଦାଦନ ସର୍ଦ୍ଦାର ନୁହନ୍ତି ଓ ଜୁଆ ଖେଳୁଥିଲେ ବୋଲି ପୁଲିସ ପ୍ରତିକ୍ରିୟା ରଖିବା ହଜମ ହୋଇ ନଥିଲା । ଲଜ୍‌ରେ ଜୁଆ ଖେଳୁଥିଲେ ଲଜ୍‌ ମାଲିକ ଗିରଫ ହେବା କଥା । ତାଙ୍କୁ ଗିରଫ କରାଯାଇ ନଥିଲା । ଅନ୍ୟପଟେ ଖୋଦ୍‌ ଲଜ୍‌ ମାଲିକ ରତନ ଶର୍ମା ବି କହୁଛନ୍ତି ଯେ, ସେମାନେ ଜୁଆ ଖେଳୁ ନଥିଲେ । ଇଟାଭାଟି ମାଲିକ ଓ ସର୍ଦ୍ଦାର । ପ୍ରତି ବର୍ଷ ଭଳି ଏଥର ବି ଶ୍ରମିକଙ୍କୁ ବଇନା ଦେବା ପାଇଁ ଆସିଥିଲେ । ଏଥିରୁ ଜବତ ଅର୍ଥରେ ଅନିୟମିତତା ଓ ମାମଲାକୁ ଭୁଲ ଦିଗରେ ନେବା ପାଇଁ ଉଦ୍ୟମ ହେଉଥିବା ଗନ୍ଧ ବାରି ହୋଇପଡିଥିଲା । ଏସ୍‌ପି ନୀତିନ କୁଶଲକରଙ୍କ ନିର୍ଦ୍ଦେଶରେ ଶୁକ୍ରବାର ଅତିରିକ୍ତ ଏସ୍‌ପି ସୁରେଶ କୁମାର ନାୟକ କଣ୍ଟାବାଞ୍ଜି ଥାନାକୁ ଯାଇଥିଲେ । ଗିରଫଙ୍କୁ ପଚରା ଉଚୁରା କରିବା ସହ ଜବତ ଟଙ୍କା ନେଇ ଖୋଳତାଡ କରିଥିଲେ । ବିଳମ୍ବିତ ରାତିରେ ଅତିରିକ୍ତ ଏସ୍‌ପି ଫେରି ଆସିଥିଲେ । ଆଉ ଶନିବାର ବଲାଙ୍ଗିର ଏସ୍‌ପି ଶ୍ରୀ କୁଶଲକରଙ୍କ ବୟାନ ବେଶ ବିସ୍ଫୋରକ । ଏସ୍‌ପି ଶ୍ରୀ କୁଶଲକରଙ୍କ ପ୍ରତିକ୍ରିୟା: ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଅତିରିକ୍ତ ଏସ୍‌ପିଙ୍କୁ ତଦନ୍ତ ପାଇଁ ପଠାଇଥିଲି । ସେ ତଦନ୍ତ କରିଛନ୍ତି । ଜବତ ଅର୍ଥକୁ ନେଇ ଅନିୟମିତତା କଥା ସାମ୍ନାକୁ ଆସୁଛି । ଅଧିକ ଟଙ୍କା ଜବତ ହୋଇଛି । ମାମଲା ପରିଚାଳନା(ଦାଦନ ସର୍ଦ୍ଦାରଙ୍କୁ ଜୁଆଡି ଦର୍ଶାଇବା)ରେ ବି ତ୍ରୁଟି ଲକ୍ଷ୍ୟ କରାଯାଇଛି । ଅତିରିକ୍ତ ଏସ୍‌ପି ଚୂଡାନ୍ତ ରିପୋର୍ଟ ଦେବା ପରେ ଉଚ୍ଚ କର୍ତୃପକ୍ଷଙ୍କୁ ପଠାଯିବ । କର୍ତୃପକ୍ଷ ଯାହା କାର୍ଯ୍ୟାନୁଷ୍ଠାନ ନେବେ ।

ନୂଆଁଖାଇ ପରେ ପରେ ବଲାଙ୍ଗିର ଜିଲାରେ ଆନ୍ଧ୍ର, ତେଲେଙ୍ଗାନା ଭଳି ରାଜ୍ୟର ଇଟାଭାଟି ମାଲିକ ଓ ସର୍ଦ୍ଦାରମାନେ ଡେରା ପକାନ୍ତି । ସ୍ଥାନୀୟ ଦଲାଲଙ୍କ ଜରିଆରେ ଶ୍ରମିକଙ୍କ ମୁଣ୍ଡ ନିଲାମ ଡାକନ୍ତି । ଏହା କୌଣସି ନୂଆ କଥା କି ଆଶ୍ଚର୍ଯ୍ୟଜନକ ଘଟଣା ନୁହେଁ । ସମସ୍ତେ ଭଲ ଭାବେ ଏହି କାରାବାର ସଂପର୍କରେ ଅବଗତ । ତେବେ ସର୍ଦ୍ଦାରଙ୍କୁ ଆଇନ ଜାଲରୁ ଢିଲା ଦେବା ପାଇଁ ଜୁଆଡି ସଜାଇବା, ଜବତ ଅର୍ଥରେ ଅନିୟମିତତା କଥା ଖୋଦ୍‌ ଏସ୍‌ପି ସ୍ୱୀକାର କରିବା ପରେ ଆଉ କ’ଣ ରହିଛି? ପୁଲିସ ବଦନାମ ହୋଇଛି । ବର୍ଦ୍ଦିରେ ଦାଗ ଲାଗିଛି । କିନ୍ତୁ ଏସ୍‌ପି ଏହା ସ୍ୱୀକାର କରିବା ବଡ କଥା । ସେହିପରି ଏସ୍‌ପି ଶ୍ରୀ କୁଶଲକର କହିଛନ୍ତି ଯେ, ପୂର୍ବ ଅପେକ୍ଷା ଦାଦନ ଶ୍ରମିକ ଚାଲାଣ ନେଇ ୩ ଗୁଣ ମାମଲା ରୁଜୁ ହୋଇଛି । ଦାଦନ ରୋକିବା ଉପରେ ଗୁରୁ୍‌୍‌ତ୍ୱ ଦିଆଯାଉଛି । ତଦନ୍ତ ରିପୋର୍ଟ ଆସିବା ପରେ ଆମେ ଆପଣଙ୍କୁ ଜଣାଇବୁ ବୋଲି ଏସ୍‌ପି କହିଛନ୍ତି । ଅନିୟମିତତା କରିଥିବା ପୁଲିସ ବାବୁମାନଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଦେଖିବାକୁ ଅପେକ୍ଷା । ତେବେ ଏନେଇ ଶୁକ୍ରବାର ଉପଖଣ୍ଡ ଡିଏସ୍‌ପି ଡ.ମେହେରଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲେ ବି ଉତ୍ତର ମିଳିପାରି ନାହିଁ । ସେ କେଉଁଠି ଅଛନ୍ତି ତାହା ବି ଜଣାପଡୁ ନାହିଁ ।

Comments are closed.