ଅଧିଷ୍ଠାତ୍ରୀ ଗଡଦେବୀ ମା’ରାମଚଣ୍ଡୀଙ୍କ ଅଷ୍ଟମୀ ପାର୍ବଣ

ବୋଲଗଡ: ପବିତ୍ର ଆଶ୍ୱିନ ମାସରେ ଦେବୀ ପାର୍ବଣ ପୀଠମାନଙ୍କରେ ଆନନ୍ଦ ଉଲ୍ଲାସର ସହ ପୂଜା ଅନୁଷ୍ଠିତ ହେଉଅଛି। ଅଧିଷ୍ଠାତ୍ରୀ ଦେବୀମାନଙ୍କର ଷୋଳପୂଜା ପୀଠମାନଙ୍କରେ ହେଉଥିବା ଅବସରରେ ବୋଲଗଡର ମା ରାମଚଣ୍ଡୀ ଠାକୁରାଣୀଙ୍କର ଏହି ପୂଜା ଶୁକ୍ରବାର ସନ୍ଧ୍ୟାରେ ଅଷ୍ଟମୀ ପାର୍ବଣ ସମାଜିକ ଦୂରତା ଏବଂ କଟକଣାକୁ ସମ୍ମାନ ଜଣାଇ ପାଳନ କରାଯାଇଅଛି। ଏହି ପାର୍ବଣ ଦେଖିବାକୁ ପୂର୍ବବର୍ଷ ମାନଙ୍କରେ ଶ୍ରଦ୍ଧାଳୁମାନଙ୍କ ସମାଗମ ହେଉଥିବା ବେଳେ କରୋନାର କଟକଣାକୁ ଦୃଷ୍ଟିରେ ରଖି ଅଳ୍ପ କିଛି ଶ୍ରଦ୍ଧାଳୁ ମା’ଙ୍କ ଅଷ୍ଟମୀ ବେଶ ଦର୍ଶନ କରିଥିବା ଦେଖାଯାଇଥିଲା।
ଏଠାରେ ପ୍ରତ୍ୟେହ ୧୬ ଦିନ ବ୍ୟାପୀ ମା’ଙ୍କର ବିଭିନ୍ନ ବେଶ ବେଶ ଅନୁଷ୍ଠିତ ହୋଇଥାଏ। ଠାକୁରାଣୀଙ୍କର ଅଷ୍ଟମୀ ସନ୍ଧ୍ୟାରେ ପୂର୍ବରୁ ମାନସିକ ବଳିପ୍ରଥା ଥିଲେ ହେଁ ଦୀର୍ଘବର୍ଷ ହେଲା ଏଠାରେ ବଳିପ୍ରଥାକୁ ନିଷେଧ କରାଯାଇଅଛି। ଭୋରରୁ ବ୍ରାହ୍ମଣ ପଣ୍ଡିତମାନଙ୍କ ଦ୍ୱାରା ମାଙ୍କ ସ୍ନାନ, ସୂର୍ଯ୍ୟପୂଜା,ହୋମ,ଗୁପ୍ତପୂଜା କରାଯାଇ ପ୍ରତିକାତ୍ମକ ଭାବେ ପାଣି କଖାରୁକୁ ବଳି ଦିଆଯାଇଥିଲା। ପରେ ମା’ଙ୍କ ଠାରେ ପ୍ରସ୍ତୁତ ହୋଇଥିବା ଶଙ୍ଖୁଡି ଭୋଗକୁ ଶ୍ରଦ୍ଧାଳୁମାନଙ୍କୁ ବଣ୍ଟନ କରାଯାଇଥିଲା। ସେହିପରି ମା’ କୋଶଳାଶୁଣୀଙ୍କ ପୀଠରେ ଆମୀଂଶ ଭୋଗ ହୋଇଥିବା ସହ ଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଥିବାର ଦେଖାଯାଇଥିଲା। ବୋଲଗଡର ବଣିଆ ସାହି ବାପୁଜୀ କ୍ଲବ, ଜଗଦ୍ଦେବସାହିସ୍ଥିତ ପୂଜା ମଣ୍ଡପ ଓ ପଟ୍ଟନାୟକସାହିସ୍ଥ ପୂଜାମଣ୍ଡପମାନଙ୍କ ସମେତ ଅଞ୍ଚଳର ପୂଜା ମଣ୍ଡପମାନଙ୍କରେ ମହାମାରୀ କରୋନାକୁ ଦୃଷ୍ଟିରେ ରଖି ମୃଣ୍ମୟୀ ଦଶଭୂଜା ମା’ ଦୁର୍ଗାଙ୍କର ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଥିବା ଦେଖାଯାଇଅଛି।

Comments are closed.