ନେଭେଲିରେ ବଏଲର ଫାଟି ୫ ମୃତ, ୧୭ ଆହତ

ଚେନ୍ନାଇ: ତାମିଲନାଡୁର କୁଡ୍ଡାଲୋର ଜିଲା ଅନ୍ତର୍ଗତ ନେଭେଲିରେ ଥିବା ନେଭେଲି ଲିଗନାଇଟ କର୍ପୋରେଶନ(ଏନଏଲସି)ରେ ବୁଧବାର ବଏଲର ବିସ୍ଫୋରଣ ଘଟି ୫ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ୧୭ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଆହତମାନଙ୍କ ଶରୀରର କେତେକ ଅଂଶ ପୋଡ଼ିଯାଇଛି।

ଅନ୍ୟପଟେ ବଏଲର ବିସ୍ଫୋରଣ ପରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି। ଜିଲା ପ୍ରଶାସନର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ବିସ୍ଫୋରଣର କାରଣ ଜଣାପଡ଼ି ନାହିଁ। ମୃତାହତଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ସୂଚନାଯୋଗ୍ୟ, ଗତ ମେ ୭ ତାରିଖରେ ଏଠାରେ ବଏଲରରେ ବିସ୍ଫୋରଣ ଘଟିଥିଲା। ୮୪ ମିଟର ଉଚ୍ଚରେ ଥିବା ବଏଲର ଫାଟିଯିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାପରେ କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ ଘଟଣାର ତଦନ୍ତ ପାଇଁ ୬ ଜଣିଆ କମିଟି ଗଠନ କରାଯାଇଛି। ଜେନେରାଲ ମ୍ୟାନେଜରଙ୍କ ଅଧ୍ୟକ୍ଷତାରେ ଏହାର ତଦନ୍ତ କରାଯାଇଥିଲା। ତଦନ୍ତ ପରେ ଭବିଷ୍ୟତରେ ଏପରି ଘଟଣା ଯେପରି ନ ଘଟିବ ସେଥିଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କୁହାଯାଇଥିଲା। କିନ୍ତୁ ଏହାର ଦେଢ଼ମାସ ପରେ ପୁଣି ଅନୁରୂପ ଘଟଣା ଘଟିଛି।

Comments are closed.