ମୃତ ଲୋକକୁ ଭତ୍ତା : ହଡ଼ପ କରୁଥିଲେ ଘରଲୋକ

ସ୍ବାର୍ଥପରତା ସୀମା ଅତିକ୍ରମ କରୁଥିବା ଲୋକଟି ଭୁଲିଯାଏ ଯେ ଆସନ୍ତାକାଲି ତା’ ନିଜ ସହ ମଧ୍ୟ ଏଭଳି ସ୍ଥିତି ଉପୁଜିବାର ଭୟ ରହିଛି। ଘଟଣାଟି ସମ୍ପୂର୍ଣ୍ଣ ପଢ଼ିବା ପରେ ପାଠକବନ୍ଧୁ ସବୁକିଛି ଜାଣିପାରିବେ, ୨୦୧୦ ଜୁଲାଇ ୨୯, ଜାପାନର ଟୋକିଓ ସହରବାସିନ୍ଦା ସୋଗେନ୍ କାଟୋଙ୍କୁ ଭେଟିବା ପାଇଁ ଜନଗଣନା ଅଫିସ୍‌ର କର୍ମଚାରୀମାନେ ପ୍ରସ୍ତୁତ ହେଲେ। ଦୀର୍ଘାୟୁଙ୍କ ରାଇଜ ଭାବେ ଜଣାଯାଉଥିବା ଜାପାନର ଦୀର୍ଘଜୀବୀ ବ୍ୟକ୍ତିଙ୍କ ତାଲିକାରେ ସୋଗେନ୍‌ ମଧ୍ୟ ସ୍ଥାନ ପାଇଥିଲେ। ଜୁଲାଇ ୨୯ରେ ୧୧୧ ବର୍ଷରେ ପାଦ ଦେଲେ ସୋଗେନ୍, ଏଣୁ ଏଇ ଅବସରରେ ଜନଗଣନା କର୍ମଚାରୀମାନେ ତାଙ୍କୁ ଅଭିନନ୍ଦନ ଜଣାଇବାକୁ ଗଲେ। ଠିକଣାରେ ପହଞ୍ଚିବା ପରେ ଘର ବେଲ୍ ମାରିଲେ, ୪୦ ମିନିଟ୍ ବେଲ୍ ମାରିବା ପରେ ମଧ୍ୟ କେହି ଖୋଲୁନଥାନ୍ତି। ପାଖଆଖ ଲୋକଙ୍କୁ ପଚରାଉଚୁରା କରିବାରୁ ସେମାନେ ସୋଗେନ୍‌ଙ୍କ ପୁଅ-ଝିଅ ରହୁଥିବା ଘର ଦେଖାଇଦେଲେ, ୫-୬ ଘର ଛାଡ଼ି ସୋଗେନ୍‌ଙ୍କ ୩ପିଲା ରହୁଥାନ୍ତି। କର୍ମଚାରୀ ଜଣେ ସେମାନଙ୍କ ଘରକୁ ଯାଇ ବୁଝିଲେ, ସେମାନେ କିଛି ନଜାଣିଥିବାର ଅଭିନୟ କଲେ। ସୋଗେନ୍‌ଙ୍କ ନାତୁଣୀ ଇମିନି କହିଲେ ଜେଜେ ବାପା ଶୋଇଥିବେ। କର୍ମଚାରୀଙ୍କ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ, ଏତେ ବୟସ୍କ ଲୋକଜଣକ ଏକାକୀ ରହୁଛନ୍ତି। ଅଥଚ ଘରଲୋକ କେହି ତାଙ୍କ ଠିକ୍‌ଠିକଣା ବୁଝୁନାହାନ୍ତି, ଶେଷରେ ଆଉ କିଛି ବାଟ ନଥିବାରୁ ସେମାନେ ମୁଖ୍ୟ ଦୁଆର ଭାଙ୍ଗି ଭିତରେ ପ୍ରବେଶ କଲେ। ଘର ଭିତରେ ସରୀସୃପ ବୁଲୁଥିବାବେଳକୁ ଚାରିଆଡ଼େ ଅଳନ୍ଧୁ ଓ ସବୁକିଛି ବିପର୍ଯ୍ୟସ୍ତ। ୩ଟି ଶୟନକକ୍ଷରେ କେହିନଥାନ୍ତି, ଉପର ମହଲାରେ ଥିବା କକ୍ଷ ଆଡ଼କୁ କର୍ମଚାରୀମାନେ ଗଲେ। ସେଠି ଖଟ ଉପରେ କଙ୍କଳାଟିଏ ଥିବାର ଦେଖି କର୍ମଚାରୀମାନେ ଭୟରେ ଚିତ୍କାର କଲେ, ସେମାନଙ୍କର ଆଉ ବୁଝିବାକୁ ବାକି ନଥିଲା ଯେ ଏହି କଙ୍କାଳଟି ହେଉଛି ସୋଗେନ୍‌ଙ୍କର। ଘର ପାଖେ ପୁଅ-ଝିଅମାନେ ରହିବା ସତ୍ତ୍ବେ ସେମାନେ ବାପାର ଭଲମନ୍ଦ ବୁଝିନଥିଲେ। ହେଲେ ସ୍ବାର୍ଥପର ପିଲାମାନେ ବାପାଙ୍କ ଅବସରକାଳୀନ ଟଙ୍କା ବ୍ୟାଙ୍କ୍‌ରୁ ନେବାରେ ଆଦୌ ହେଳା କରିନଥିଲେ। ବିଶେଷଜ୍ଞ ଦଳ ଆସି ଅନୁସନ୍ଧାନ କରିବା ପରେ ଜଣାପଡ଼ିଥିଲା, ଶୋଗେନ୍‌ ୩୦ ବର୍ଷ ତଳେ ପ୍ରାଣ ହରାଇଥିଲେ। ଆଶ୍ଚର୍ଯ୍ୟର କଥା ହେଲା, ଘର-ଦ୍ବାର ଦୁର୍ଗନ୍ଧ ହୋଇଛି କିନ୍ତୁ ପିଲାମାନେ କିମ୍ବା ପାଖ ପଡ଼ୋଶୀ କେହିହେଲେ ଆସି ଦେଖିନାହାନ୍ତି। ଶୋଗେନ୍‌ଙ୍କ ଅବସରକାଳୀନ ଭତ୍ତା ପ୍ରତି ମାସରେ ଘରଲୋକ ଉଠାଉଥିବା ଦେଖି ସେ ଜୀବିତ ଥିବାର ବ୍ୟାଙ୍କ୍ କର୍ତ୍ତୃପକ୍ଷ ଓ ଜନଗଣନା ଅଧିକାରୀଙ୍କ ଧାରଣା ଥିଲା, ହେଲେ ମଣିଷ ଯେ କେତେ ସ୍ବାର୍ଥପର, ତାହା ଏଇ ଘଟଣା ପ୍ରଚାର ହେବା ପରେ ସମସ୍ତେ କହିବା ଆରମ୍ଭ କରିଥିଲେ।

Comments are closed.