ବୋଡ଼ୋ ଚୁକ୍ତିନାମା : ଶାନ୍ତିପର୍ବର ଅୟମାରମ୍ଭ

ଚଳିତ ବର୍ଷ ଜାନୁଆରୀ ମାସ ୨୭ ତାରିଖରେ ଭାରତ ସରକାର, ଆସାମ ସରକାର, ଏବଂ ବୋଡୋଲ୍ୟାଣ୍ଡ ଆନ୍ଦୋଳନରେ ଲିପ୍ତ ଥିବା ଦଶଟି ସଂସ୍ଥା ଏହି ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି। ଏମାନଙ୍କ ମଧ୍ୟରେ ପ୍ରମୁଖ ହେଉଛନ୍ତି -ବୋଡୋ ଷ୍ଟୁଡେଣ୍ଟସ୍ ୟୁନିୟନ ଏବଂ ନ୍ୟାସନାଲ ଡେମୋକ୍ରେଟିକ ଫ୍ରଣ୍ଟ ଅଫ୍ ବୋଡୋଲ୍ୟାଣ୍ଡର (ଏନଡିଏଫବି)ବିଭିନ୍ନ ଅଂଶୀଦାର। ବୋଡ଼ୋ ଚୁକ୍ତିନାମାର ସର୍ତ୍ତ ଅନୁଯାୟୀ ଜାନୁଆରୀ ୩୦ ତାରିଖ ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ସହିଦ ଦିବସ ଅବସରରେ ୧୬୧୫ ଜଣ ଏନ୍‌ଡିଏଫ୍‌ବିର ସଦସ୍ୟ ୧୭୮ଟି ମାରଣାସ୍ତ୍ର ଆସାମ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଅର୍ପଣ କରିଥିଲେ ଏବଂ ହିଂସା ମାର୍ଗରୁ ନିବୃତ୍ତ ରହିବେ ବୋଲି ସଂକଳ୍ପ ନେଇଥିଲେ।
ବୋଡୋଲ୍ୟାଣ୍ଡ ଆନ୍ଦୋଳନର ପୃଷ୍ଠଭୂମି: ଉତ୍ତର-ପୂର୍ବ ଅଞ୍ଚଳର ମୁଖ୍ୟ ରାଜ୍ୟ ହେଉଛି ଆସାମ ଏବଂ ଆସାମର ମୂଳ ଜନଜାତି ହେଉଛନ୍ତି ବୋଡୋ ସଂପ୍ରଦାୟ। ଏମାନେ ମୁଖ୍ୟତଃ ଭୁଟାନ ଓ ଅରୁଣାଚଳ ପ୍ରଦେଶର ପାଦଦେଶ ତଥା ବ୍ରହ୍ମପୁତ୍ର ନଦୀର ଉତ୍ତର ପାର୍ଶ୍ବରେ ସଂଗଠିତ ଭାବେ ବାସ କରନ୍ତି। ନୂଆ ଚୁକ୍ତିନାମା ଅନୁଯାୟୀ ଏହି ଅଞ୍ଚଳ ‘ବୋଡୋ ଟେରିଟୋରିଆଲ ରିଜନ’ ନାମରେ ଅଭିହିତ। ପୂର୍ବରୁ ଏହା ଚାରୋଟି ଜିଲାକୁ ନେଇ ଗଠିତ ହୋଇଥିଲା। ନୂଆ ଚୁକ୍ତିନାମାରେ କିନ୍ତୁ ଏହି ସଂଖ୍ୟା ୯କୁ ବୃଦ୍ଧି ପାଇଛି। ବୋଡୋ ଜନସଂଖ୍ୟା ପ୍ରାୟ ୩୦ ଲକ୍ଷ, ଆସାମ ଜନସଂଖ୍ୟାର ପ୍ରାୟ ୧୦%। ଏ ଜନଜାତି କର୍ମଠ, ସହିଷ୍ଣୁ, ଦୁର୍ଦ୍ଧର୍ଷ ଏବଂ ସଂଗ୍ରାମପ୍ରିୟ। ନିଜର ସ୍ୱତନ୍ତ୍ର ପରିଚୟ. ଅକ୍ଷୁଣ୍ଣ ରଖିବା ନିମନ୍ତେ ଏମାନଙ୍କ ଆନ୍ଦୋଳନ ପରାଧୀନ ଭାରତରୁ ଜାରି ରହିଛି। ଗୁରୁଦେବ କାଳୀଚରଣ ବ୍ରହ୍ମ ହେଉଛନ୍ତି ଏହି ଆନ୍ଦୋଳନର ଜନକ। ବୋଡୋ ସଂପ୍ରଦାୟ ମଧ୍ୟରେ ଜ୍ଞାନର ଆଲୋକ ପ୍ରସାର ନିମନ୍ତେ ସେ ବହୁ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିଥିଲେ ଏବଂ ସମାଜରେ ପ୍ରଚଳିତ ବହୁବିବାହ ଓ ଯାବତୀୟ କୁସଂସ୍କାର ବିଲୋପ ନିମନ୍ତେ ପ୍ରଚେଷ୍ଟା କରିଥିଲେ। ୧୯୧୯ ମସିହାରେ ଛାତ୍ରମାନଙ୍କୁ ସଂଗଠିତ କରି ଏକ ଛାତ୍ର ସଂଗଠନ- ‘ବୋଡୋ ଛାତ୍ର ସମ୍ମିଳନୀ’ ପ୍ରତିଷ୍ଠା କରିଥିଲେ। ୧୯୨୮ ମସିହାରେ ସାଇମନ୍ କମିସନଙ୍କୁ ଭେଟି ନିଜ ଅଞ୍ଚଳର ସ୍ୱତନ୍ତ ମାନ୍ୟତା ଦାବି କରିଥିଲେ। କାରଣ ସେତେବେଳକୁ ଆସାମରେ ବିଦେଶୀମାନଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ପାଇ ସାରିଥିଲା।
୧୮୩୯ ମସିହାରେ ଆସାମ ରାଜ୍ୟ ବ୍ରିଟିଶ ଇଣ୍ଡିଆର ଅଂଶରେ ପରିଣତ ହୋଇ ଏବଂ କଲିକତା ପ୍ରେସିଡେନ୍ସି ଅଧୀନରେ ରହିଲା। ନଦୀ, ନାଳ, ଜଙ୍ଗଲ ଓ ପାହାଡ ପର୍ବତରେ ପରିପୂର୍ଣ୍ଣ ଆସାମର ବିସ୍ତୃତ ଅଞ୍ଚଳରେ କୃଷିର ଅଗ୍ରଗତି ନିମନ୍ତେ ଇଷ୍ଟ ଇଣ୍ଡିଆ କଂପାନୀ, ବଙ୍ଗ ରାଜ୍ୟରୁ ଆସାମକୁ ଶ୍ରମିକ ଆମଦାନୀ ଆରମ୍ଭ କଲେ। ଫଳରେ ଆସାମର ଜନସଂଖ୍ୟା ଜ୍ୟାମିତିକ ଅନୁପାତରେ ବୃଦ୍ଧି ପାଇବାକୁ ଲାଗିଲା। ୧୮୪୦ ମସିହାରେ ଆସାମର ଜନସଂଖ୍ୟା ଥିଲା ୮ ଲକ୍ଷ। ୧୯୦୧ରେ ଏହା ୩୩ ଲକ୍ଷ, ୧୯୪୦ରେ ୭୦ ଲକ୍ଷ, ୧୯୭୧ରେ ୧ କୋଟି ୫୦ ଲକ୍ଷ ୧୯୯୧ରେ ୨ କୋଟି ୨୦ ଲକ୍ଷ ଏବଂ ୨୦୧୯ରେ ଏହା ୩କୋଟି ୫୫ ଲକ୍ଷରେ ଉପନୀତ ହୋଇଛି। ବିଶେଷ କରି ୧୯୭୧ ବାଂଲାଦେଶ ଯୁଦ୍ଧ ସମୟରେ ପଶ୍ଚିମ ପାକିସ୍ତାନର ମୁସଲମାନ ଅଧିବାସୀ ଆସାମରେ ବହୁ ସଂଖ୍ୟାରେ ପଶି ବସବାସ କରିବାକୁ ଲାଗିଲେ। ଫଳରେ ଆସାମ ମୂଳଅଧିବାସୀଙ୍କର ପରିଚୟ ସଂକଟାପନ୍ନ ହେଲା ଏବଂ ବିଶେଷ କରି ବୋଡୋ ଜନଜାତି ନିଜର ପରିଚୟ ଓ ଭାଷା ସଂସ୍କୃତିର ଅସ୍ତିତ୍ୱକୁ ନେଇ ଆତଙ୍କିତ ହେବାକୁ ଲାଗିଲେ। ତେଣୁ ସ୍ୱତନ୍ତ୍ର ବୋଡୋଲ୍ୟାଣ୍ଡ ରାଜ୍ୟ ପାଇଁ ଆନ୍ଦୋଳନ ତେଜିବାକୁ ଆରମ୍ଭ କଲା।
ସମୟ କ୍ରମେ ବୃହତ୍ତ ଆସାମରୁ ଆଉ ଚାରୋଟି ରାଜ୍ୟ ଜନ୍ମ ଗ୍ରହଣ କଲେ । ନାଗାମାନଙ୍କର ଦୀର୍ଘ ବର୍ଷର ଦାବି ଫଳରେ ୧୯୬୩ ମସିହା ଡିସେମ୍ବର ୧ ତାରିଖରେ ଆସାମରୁ ବିଚ୍ଛିନ୍ନ ହୋଇ ନାଗାଲ୍ୟାଣ୍ଡ ରାଜ୍ୟ ପ୍ରତିଷ୍ଠା ହେଲା। ପୁନଶ୍ଚ ୧୯୬୦ ଦଶକରେ ସ୍ୱତନ୍ତ୍ର ପାହାଡି ରାଜ୍ୟ ପ୍ରତିଷ୍ଠା ନିମନ୍ତେ ଆନ୍ଦୋଳନ ଆରମ୍ଭ ହେଲା ଏବଂ ସେହି ଦାବି ଫଳରେ ୧୯୭୨ ମସିହା ଜାନୁଆରୀ ୨୧ତାରିଖରେ ମେଘାଳୟ ରାଜ୍ୟ ଜନ୍ମ ନେଲା। ସେହିଭଳି ଅରୁଣାଚଳ ପ୍ରଦେଶ, ଯାହା ବ୍ରିଟିଶ ଇଣ୍ଡିଆ ଶାସନରେ ନେଫା ନାମରେ ଅଭିହିତ ହେଉଥିଲା, ୧୯୭୨ ମସିହାରେ ଆସାମରୁ ଅଲଗା ହୋଇ କେନ୍ଦ୍ରଶାସିତ ରାଜ୍ୟରେ ପରିଣତ ହେଲା ୧୯୮୭ ମସିହାରେ ରାଜ୍ୟ ପାହ୍ୟାକୁ ଉନ୍ନୀତ ହେଲା। ସେହି କ୍ରମରେ ମିଜୋରାମ ପ୍ରଥମେ କେନ୍ଦ୍ର ଶାସିତ ରାଜ୍ୟ ଓ ପରେ ପୂର୍ଣ୍ଣ ରାଜ୍ୟରେ ପରିଣତ ହେଲା। ଏ ଚାରୋଟି ରାଜ୍ୟ ପ୍ରଥମେ ଆସାମର ଅଂଶବିଶେଷ ଥିଲେ। ତେଣୁ ବୋଡୋଲ୍ୟାଣ୍ଡ ଆନ୍ଦୋଳନକାରୀ ଆଶା କରୁଥିଲେ, ସେମାନଙ୍କୁ ମଧ୍ୟ ସ୍ୱତନ୍ତ୍ର ରାଜ୍ୟ ମିଳିବ, କିନ୍ତୁ ଆଶା ଧୀରେ ଧୀରେ ମଉଳିଗଲା। ୧୯୮୫ ମସିହାରେ କେନ୍ଦ୍ର ସରକାର ରାଜ୍ୟରେ ଆନ୍ଦୋଳନରତ ଛାତ୍ର ସଂଗଠନ ସହିତ ‘ଆସାମ ଚୁକ୍ତିନାମା’ ପ୍ରସ୍ତୁତ କଲେ। ବୋଡୋଲ୍ୟାଣ୍ଡ ଆନ୍ଦୋଳନକାରୀଙ୍କ ଧୈର୍ଯ୍ୟ ସୀମା ଲଂଘନ କଲା। ରାଜ୍ୟରେ ହିଂସାର ମାତ୍ରା ବୃଦ୍ଧି ପାଇଲା। ଫଳରେ କେନ୍ଦ୍ର ସରକାର ୧୯୯୩ ମସିହାରେ ଆନ୍ଦୋଳନକାରୀଙ୍କ ସହିତ ଏକ ଚୁକ୍ତିନାମା ପ୍ରସ୍ତୁତ କଲେ। ସେଥିରେ ସଫଳତା ନ ମିଳିବାରୁ ପୁନଶ୍ଚ ୨୦୦୩ ମସିହାରେ ଆଉ ଏକ ରାଜିନାମା ସ୍ବାକ୍ଷରିତ ହେଲା। ୨୦୨୦ ଜାନୁଆରୀ ୨୭ ତାରିଖରେ ଅନ୍ତିମ ରାଜିନାମା ପ୍ରସ୍ତୁତ ହୋଇଛି।
ମୁଖ୍ୟତଃ ତିନୋଟି କାରଣ ନିମନ୍ତେ ପ୍ରଥମ ଦୁଇଟି ଚୁକ୍ତିନାମାର ସୁଫଳ ମିଳିପାରିଲା ନାହିଁ। ପ୍ରଥମତଃ: ସମସ୍ତ ଆନ୍ଦୋଳନରତ ସଂଗଠନକୁ ଏଥିରେ ସାମିଲ କରାଯାଇ ନ ଥିଲା। ଦ୍ୱିତୀୟତଃ: ବୋଡୋ ଅଞ୍ଚଳକୁ ସିନା ସ୍ୱୟଂଶାସିତ ମାନ୍ୟତା ପ୍ରଦାନ କରାଗଲା , କିନ୍ତୁ ରାଜ୍ୟ ସରକାରଙ୍କ ପ୍ରଭୁତ୍ୱ ଏହି ଅଞ୍ଚଳ ଉପରୁ ହ୍ରାସ ପାଇ ନ ଥିଲା। ତୃତୀୟତଃ: ରାଜନୀତିର ପଶାପାଲିରେ ଚୁକ୍ତିନାମାର ସ୍ୱଚ୍ଛ କାର୍ଯ୍ୟକାରିତା ନେଇ ସର୍ବଦା ସନ୍ଦେହ ରହିଲା। ବର୍ତ୍ତମାନ ଚୁକ୍ତିନାମାରେ ଏହି ସମସ୍ତ ଦିଗ ପ୍ରତି ସତର୍କତା ଅବଲମ୍ବନ କରାଯାଇଛି। ଆନ୍ଦୋଳନରତ ସମସ୍ତ ସଂଗଠନ ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି ଏବଂ ଭବିଷ୍ୟତରେ ସ୍ୱତନ୍ତ୍ର ବୋଡୋ ରାଜ୍ୟ ଦାବି କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ନବଗଠିତ ‘ବୋଡୋ ଟେରିଟୋରିଆଲ ରିଜେନ’ର ଜିଲା ସଂଖ୍ୟା ୪ ପରିବର୍ତ୍ତେ ୯କୁ ଏବଂ କାଉନସିଲର ସଦସ୍ୟଙ୍କ ସଂଖ୍ୟା ୪୦ରୁ ୬୦କୁ ବୃଦ୍ଧି ପାଇଛି। ଏହି କାଉନସିଲ ସିଧା କେନ୍ଦ୍ର ସରକାରଙ୍କୁ ବିକାଶର ନକ୍ସା ପଠାଇ ପାରିବ। ବୋଡୋ ଟେରିଟୋରିଆଲ ରିଜନରେ ଭିତ୍ତିଭୂମି, ଯଥା: ରାସ୍ତା,ଷ୍ଟାଡିୟମ, ସ୍ମାର୍ଟ ସିଟି ଇତ୍ୟାଦି ବିକାଶ ନିମନ୍ତେ ଚୁକ୍ତିନାମାରେ ୧୦,୦୦୦ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଉଲ୍ଲେଖ ରହିଛି। ଏହାର ଅର୍ଥ – ପ୍ରାୟ ୮୮୦୦ ବର୍ଗ କି.ମି.କ୍ଷେତ୍ରଫଳର ବିକାଶ ନିମନ୍ତେ ମୁଣ୍ଡ ପିଛା ୩୦୦୦ଟଙ୍କା ବିନିଯୋଗ କରାଯିବ। ଏହା ସହିତ, ଆନ୍ଦୋଳନରେ ଭାଗ ନେଇଥିବା ପରିବାରର ଶିକ୍ଷିତ ବ୍ୟକ୍ତିଙ୍କୁ ଚାକିରି ଦିଆଯିବ। ସ୍ୱାସ୍ଥ୍ୟଗତ କାରଣରୁ ଅସମର୍ଥ ଥିଲେ, ସେହି ପରିବାରକୁ ଏକକାଳୀନ ୧୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ। ବୋଡୋବାସୀଙ୍କୁ ମୁଖ୍ୟସ୍ରୋତକୁ ଆଣିବା ପାଇଁ ତୁରନ୍ତ ସେନାରେ ୫୦୦୦ ଓ ରେଳବାଇରେ ୫୦୦୦ ନିଯୁକ୍ତି ପ୍ରଦାନ କରାଯିବ। ‘ବୋଡୋ ଟେରିଟୋରିଆଲ ରିଜନ’ରେ ଆଇଆଇଟି, ଆଇଆଇଏମ,ଏମ୍ସ ଆଦି ଅନୁଷ୍ଠାନ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ। ରାଷ୍ଟ୍ରୀୟ ସୁରକ୍ଷା ଦୃଷ୍ଟିରୁ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟସମୂହ ବେଶ୍ ସମ୍ବେଦନଶୀଳ। କାରଣ ଚୀନ, ବାଂଲାଦେଶ,ଭୁଟାନ,ମ୍ୟାଁମାର,ନେପାଳ ଆଦି ପାଞ୍ଚଟି ବିଦେଶ ରାଷ୍ଟ୍ର ଏହି ସୀମାକୁ ଲାଗିଛନ୍ତି। ତେଣୁ ହିଂସାମାର୍ଗରେ ଲିପ୍ତ ଥିବା ବିଚ୍ଛିନ୍ନତାବାଦୀ ଶକ୍ତି ଏଠାରେ ସକ୍ରିୟ ହେବା ସ୍ୱାଭାବିକ। ଅଞ୍ଚଳର ସାମଗ୍ରିକ ବିକାଶ ଘଟିଲେ ସେଗୁଡିକ ନିଷ୍କ୍ରିୟ ହୋଇଯିବେ। ଯଦି ଏହି ଚୁକ୍ତିନାମା ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟକାରୀ ହୁଏ, ତେବେ ବୋଡୋ ଅଞ୍ଚଳ କିଛି ବର୍ଷ ମଧ୍ୟରେ ସମୃଦ୍ଧି ଓ ବିକାଶର ଦୃଷ୍ଟାନ୍ତ ପାଲଟିଯିବ। ଏହାକୁ ସେ ଅଞ୍ଚଳରେ ସ୍ଥାୟୀ ଶାନ୍ତିପର୍ବର ଅୟମାରମ୍ଭ କହିଲେ ଭୁଲ ହେବନାହିଁ।

ଭଦ୍ରାଣୀ, ସାଳନ୍ଦୀ ନଗର, ଭଦ୍ରକ
saiabhay 19@gmail.com

Comments are closed.