ବୋଧଗୟା ବିସ୍ଫୋରଣ: ସମସ୍ତ ଅଭିଯୁକ୍ତ ଦୋଷୀସାବ୍ୟସ୍ତ

0

ପାଟନା : ବିହାରର ବୋଧଗୟା ବିସ୍ଫୋରଣ ଘଟଣାରେ ଏନଆଇଏ ସ୍ୱତନ୍ତ୍ର ଅଦାଲତ ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ମେ ୩୧ରେ ଅଦାଲତ ଦୋଷୀଙ୍କ ବିରୋଧରେ ଦଣ୍ଡାଦେଶ ଘୋଷଣା କରିବେ। ୨୦୧୩ ଜୁଲାଇ ୭ରେ ବୋଧଗୟାସ୍ଥିତ ବୌଦ୍ଧ ମନ୍ଦିର ଚାରିପଟେ ସିରିଜ ବିସ୍ଫୋରଣ ଘଟାଯାଇଥିଲା। ସକାଳୁଆ ସମୟରେ ବୋଧି ଗଛମୂଳେ ବହୁ ସଂଖ୍ୟାରେ ଲୋକ ପ୍ରାର୍ଥନା ପାଇଁ ଏକାଠି ହୋଇଥିବାବେଳେ ବିସ୍ଫୋରଣ ଘଟଣା ଯାଇଥିଲା। ୩୦ ମିନିଟ୍‍ ମଧ୍ୟରେ ୯ଟି ବିସ୍ଫୋରଣ ହୋଇଥିଲା। ଏଥିରେ ଜଣେ ତିବ୍‍ବତୀୟ ସନ୍ନ୍ୟାସୀ ଓ ଜଣେ ପର୍ଯ୍ୟଟକ ଆହତ ହୋଇଥିଲେ। ଏହି ଘଟଣାରେ ହାଇଦର ଅଲି ବ୍ଲାକ ବିୟୁଟି, ଇମତିଆଜ ଅନସାରୀ, ଉମର ସିଦ୍ଦିକ, ଆଝାରୁଦ୍ଦିନ କ୍ୟୁରେସି ଓ ମୁଜିବୁଲ୍ଲା ଅନସାରୀଙ୍କୁ ଶୁକ୍ରବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ଏମାନେ ସମସ୍ତେ ଆତଙ୍କବାଦୀ ସଂଗଠନ ସିମିର ସଦସ୍ୟ ବୋଲି ଦର୍ଶାଯାଇଛି। ଆତଙ୍କବାଦୀମାନେ ବୋଧି ଗଛମୂଳେ ସିଲିଣ୍ଡର ବୋମା ଖଞ୍ଜିଥିଲେ; ମାତ୍ର ଏହା ବିସ୍ଫୋରଣ ହୋଇ ନଥିଲା। ମ୍ୟାଁମାରରେ ରୋହିଙ୍ଗ୍ୟା ମୁସଲମାନଙ୍କ ଉପରେ ସେନା ପକ୍ଷରୁ ହେଉଥିବା ଦମନଲୀଲାର ପ୍ରତିଶୋଧ ନେବାକୁ ଆତଙ୍କବାଦୀମାନେ ଏପରି ଆକ୍ରମଣ କରିଥିଲେ।
ଏନଆଇଏ ଏହାର ଅଭିଯୋଗଫର୍ଦରେ ଦର୍ଶାଇଛି ଯେ ହାଇଦର ଅଲି ଏହି ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ। ସିମି ସଦସ୍ୟ ଉମର ସିଦ୍ଦିକ ତାକୁ ଏହି ଆକ୍ରମଣ ପାଇଁ ପ୍ରବର୍ତ୍ତାଇଥିଲା। ଜଣେ ବୌଦ୍ଧ ସନ୍ନ୍ୟାସୀ ବେଶରେ ସେ ମନ୍ଦିର ପରିସରରେ ପ୍ରବେଶ କରିଥିଲା। ଉମର ସିଦ୍ଦିକ ଓ ଆଝାରୁଦ୍ଦିନ କ୍ୟୁରେସି ଛତିଶଗଡର ବାସିନ୍ଦା ହୋଇଥିବାବେଳେ ଅନ୍ୟମାନେ ଝାଡଖଣ୍ଡର ବାସିନ୍ଦା। ୨୦୧୩ରେ ପାଟନାର ଗାନ୍ଧି ମଇଦାନରେ ଏନଡିଏର ପ୍ରଧାନମନ୍ତ୍ରୀ ପ୍ରାର୍ଥ ନରେନ୍ଦ୍ର ମୋଦିଙ୍କୁ ନିଶାଣ କରି ହୋଇଥିବା ବିସ୍ଫୋରଣ ପଛରେ ଏମାନଙ୍କର ହାତ ଥିବା ସନ୍ଦେହ କରାଯାଇଛି।

Leave A Reply