ଦୁଗ୍ଧଚାଷୀଙ୍କୁ ପ୍ରତ୍ସୋହନ ପାଇଁ ସ୍ୱତନ୍ତ୍ର ଯୋଜନା; କାର୍ଯ୍ୟକ୍ଷମ ହେବ ୪ ଗୋଟି ଦୁଗ୍ଧ ଶିତଳୀକରଣ କେନ୍ଦ୍ର

ବୌଦ୍ଧ: ଏକଦା ବୌଦ୍ଧ ଜିଲା ଦୁଗ୍ଧ ଯୋଗାଣ କ୍ଷେତ୍ରରେ ସ୍ୱାବଲମ୍ବୀ ହେବାକୁ ଯାଉଥିବାବେଳେ ଦୁଗ୍ଧଚାଷୀମାନଙ୍କୁ ବଜାର ସୁବିଧା ଯୋଗାଇବା ପାଇଁ ଚାରିଛକ ଓ ମନମୁଣ୍ଡାଠାରେ ଦୁଗ୍ଧ ଶିତଳୀକରଣ କେନ୍ଦ୍ର ସ୍ଥାପନ କରାଯାଇଥିଲା। ବୌଦ୍ଧରୁ ସଂଗୃହୀତ ଦୁଗ୍ଧ ଓମଫେଡ ଜରିଆରେ ବଜାରକୁ ଯାଉଥିଲା। କିନ୍ତୁ ଓମଫେଡ ବୌଦ୍ଧଜିଲାରୁ ଦୁଗ୍ଧ ସଂଗ୍ରହ ବନ୍ଦ କରିଦେବା ସହିତ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଥିଲେ ଏବଂ ଚାରିଛକ ଦୁଗ୍ଧ ଶିତଳୀକରଣ କେନ୍ଦ୍ର ମଧ୍ୟ ବନ୍ଦ ହୋଇଯାଇଥିଲା। ଏବେ ପୁଣିଥିରେ ଜିଲଶର ଦୁଗ୍ଧ ଚାଷୀମାନଙ୍କୁ ଉପଯୁକ୍ତ ବଜାର ସୁବିଧା ଯୋଗାଇ ଦେବା ସହିତ ଜିଲାରେ ୪ ଗୋଟି ଦୁଗ୍ଧ ଶିତଳୀକରଣ କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଉଦ୍ୟମକ୍ରମେ ପଶ୍ଚିମ ଓଡ଼ିଶାର ସମଲେଶ୍ୱରୀ ଦୁଗ୍ଧ ସମବାୟ ସଂଘ ଜରିଆରେ ଜିଲାର ଦୁଗ୍ଧଚାଷୀମାନଙ୍କୁ ବଜାର ସୁବିଧା ଯୋଗାଇଦେବାକୁ ଉଦ୍ୟମ ଆରମ୍ଭ ହୋଇଥିବା ଜଣାଯାଇଛି। ଏ ସଂପର୍କରେ ଜିଲାପାଳ ଶ୍ରୀମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଜିଲାର ଦୁଗ୍ଧଚାଷୀମାନଙ୍କ ଦ୍ୱାରା ଉତ୍ପାଦିତ ଦୁଗ୍ଧର ବିପଣନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ କଣ୍ଟାମାଳ ଠାରେ ୨ ହଜାର ଲିଟର,ମନମୁଣ୍ଡା ଠାରେ ୪ ହଜାର ଲିଟର, ଜହ୍ନାପଙ୍କ ଠାରେ ୧ ହଜାର ଲିଟର ଓ ଚାରିଛକ ଠାରେ ୩ ହଜାର ଲିଟର କ୍ଷମତାର ଦୁଗ୍ଧ ଶିତଳୀକରଣ କେନ୍ଦ୍ର ସ୍ଥାପନ କରିବା ନିଷ୍ପତି ଗ୍ରହଣ କରାଯାଇଛି। ବର୍ତମାନ ମନମୁଣ୍ଡା ଠାରୁ ଜହ୍ନାପଙ୍କ ପର୍ଯ୍ୟନ୍ତ ଦୁଗ୍ଧ ସଂଗ୍ରହ କରାଯାଉଥିବାବେଳେ ତାହାକୁ ଚାରିଛକ ପର୍ଯ୍ୟନ୍ତ ବିସ୍ତାରିତ କରାଯିବ। ଜିଲାରେ ନୂତନ ଦୁଗ୍ଧ ସମବାୟ ସମିତି ସବୁ ଗଠନ କରାଯାଇ ସେମାନଙ୍କ ଜରିଆରେ ଚାଷୀମାନଙ୍କ ଠାରୁ ଦୁଗ୍ଧ ସଂଗ୍ରହ କରାଯିବ। ଏହି ସମିତି ଗୁଡିକ ସମଲେଶ୍ୱରୀ ଦୁଗ୍ଧ ସମବାୟ ସମିତି ଅଧିନରେ କାର୍ଯ୍ୟ କରିବେ। ପ୍ରଥମ ପର୍ଯ୍ୟାୟରେ ଜହ୍ନାପଙ୍କ ଠାରୁ ବୌଦ୍ଧ ପର୍ଯ୍ୟନ୍ତ ପ୍ରସ୍ତାବିତ ଦୁଇଟି ସମିତି ଡାଙ୍ଗପଡା ଓ ବଲାଶିଙ୍ଗା ଅଧିନସ୍ଥ ଦୁଗ୍ଧ ଚାଷୀମାନଙ୍କ ଠାରୁ ଦୈନିକ ପ୍ରାୟ ୩୦୦ ଲିଟର ଦୁଗ୍ଧ ସଂଗ୍ରହ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି। ଏହି ବୈଠକରେ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ଅମିତାଭ ପଣ୍ଡା,ଉପଖଣ୍ଡ ପ୍ରାଣୀ ଜିକିତ୍ସାଧିକାରୀ ଡା. ପ୍ରଫୁଲ୍ଲ ନାୟକ, ସମଲେଶ୍ୱରୀ ଦୁଗ୍ଧ ସମବାୟ ସଂଘର ମ୍ୟାନେଜର ନଗେନ ଚନ୍ଦ୍ର ମିଶ୍ର, ଓ ଏଲଡିଏମ ରବିନ୍ଦ୍ର କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

 

Comments are closed.