ଉଚ୍ଚ ଜୁଆର ଓ ଘନ କୁହୁଡି ଯୋଗୁଁ ସମୁଦ୍ରରେ ଭାଙ୍ଗିଲା ଡଙ୍ଗା; ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

ଗୋପାଳପୁର: ଗୋପାଳପୁର ସମୁଦ୍ରରେ ରବିବାର ଭୋର ସମୟରେ ଘନ କୁହୁଡି ଓ ଉଚ୍ଚ ଜୁଆର ଯୋଗୁଁ ଦୁଇଟି ଡ଼ଙ୍ଗା ପରସ୍ପର ମଧ୍ୟରେ ଧକ୍କା ହୋଇ ଚାରି ଜଣ ମତ୍ସ୍ୟଜୀବୀ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ଗୋପାଳପୁର ନିକଟବର୍ତ୍ତୀ ଚମାଖଣ୍ଡି ଥାନା ଅନ୍ତର୍ଗତ ରେଉକୁତୁରୁ ଗ୍ରାମର  କେ .ଗୈରେୟା ଓ ତାଙ୍କ ଭାଇ କେ. ବାବାଜୀ ଗତ ଶନିବାର ସଂଧ୍ୟାରେ ସମୁଦ୍ରରେ ମାଛ ଧରି ଫେରିଥିଲେ। କିନ୍ତୁ ରାତି ବଢିଯାଇଥିବାରୁ ସେମାନଙ୍କ ଡଙ୍ଗା ଦୁଇଟିକୁ କୂଳକୁ ନ ଆଣି ସେଠାରୁ ମାତ୍ର ୧୦୦ ମିଟର ଦୂରରେ ସମୁଦ୍ର ମଧ୍ୟରେ ଲଗଂର ପକାଇ ରଖିଥିଲେ। ରବିବାର ଭୋର ସାଢେ ପାଞ୍ଚଟା ବେଳେ ଗୈରେୟା ଅନ୍ୟ ଏକ ଡଙ୍ଗା ସାହାଯ୍ୟରେ ନିଜର ତିନିଜଣ ମତ୍ସ୍ୟଜୀବୀଙ୍କୁ ସାଙ୍ଗରେ ନେଇ ସମୁଦ୍ରରେ ଲଙ୍ଗର ପକାଇ ରଖାଯାଇଥିବା ଦୁଇଟି ଫାଇବର ଡଙ୍ଗାକୁ ଆଣିବା ନିମନ୍ତେ ଯାଇଥିଲେ। ତିନୋଟି ଡଙ୍ଗାକୁ ସାଙ୍ଗରେ ଧରି ମତ୍ସ୍ୟଜୀବୀମାନେ କୂଳକୁ ଫେରୁଥିବା ସମୟରେ ଘନ କୁହୁଡି ଏବଂ ସମୁଦ୍ରରେ ଉଚ୍ଚ ଲହଡି ଯୋଗୁଁ ଦୁଇଟି ଡଙ୍ଗା ପରସ୍ପର ମଧ୍ୟରେ ଧକ୍କା ଖାଇଥିଲେ। ଫଳରେ ଗୋଟିଏ ଡଙ୍ଗା ଦୁଇ ଖଣ୍ଡ ହୋଇଯାଇଥିବା ବେଳେ ଅନ୍ୟ ଏକ ଡଙ୍ଗା ଭାସି ଭାସି ଆସି କୂଳରେ ଓଲଟି ପଡିଥିଲା। ଯଦ୍ୱାରା ଉକ୍ତ ଦୁଇ ଡଙ୍ଗାରେ ରହିଥିବା ୬ ଲକ୍ଷ ଟଙ୍କାର ଦୁଇଟି ଜାଲ ଏକ ଲକ୍ଷ ୨୦ ହଜାର ଟଙ୍କାର ଦୁଇଟି ମୋଟର ନଷ୍ଟ ହେବା ସହ ପ୍ରାୟ ଦେଢ଼ ଲକ୍ଷ ଟଙ୍କାର ଡଙ୍ଗା ନଷ୍ଟ ହୋଇଥିବା ଗୈରେୟା ପ୍ରକାଶ କରିଛନ୍ତି।

ଏହି ଘଟଣା ସମୟରେ କୂଳରେ ରହିଥିବା ଅନ୍ୟ ମତ୍ସ୍ୟଜୀବୀମାନେ ବୁଡିଯାଇଥିବା ଦୁଇଟି ଜାଲକୁ ଉଦ୍ଧାର କରିବା ସହ ତୃତୀୟ ଡଙ୍ଗାର ସମସ୍ତ ମତ୍ସ୍ୟଜୀବୀଙ୍କୁ ନିରାପଦ ଭାବେ ଉଦ୍ଧାର କରିଥିଲେ। ଏହାକୁ କିଛି ସମୟ ପର୍ଯ୍ୟନ୍ତ ବେଳାଭୂମିରେ ଉପସ୍ଥିତ ରହିଥିବା ମତ୍ସ୍ୟଜୀବୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଯାଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଛତ୍ରପୁରରୁ ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରମୋଦ ରାଉତ ଓ ସହକାରୀ ମତ୍ସ୍ୟ ଅଧିକାରୀ ଶ୍ୟାମାପ୍ରସାଦ ପଣ୍ଡା ପ୍ରମୁଖ ଗୋପାଳପୁର ପହଞ୍ଚି ଘଟଣାର ତଦନ୍ତ କରିବା ସହ ଡଙ୍ଗା ମାଲିକଙ୍କ ସହ ଆଲୋଚନା କରିଥିଲେ। ଏହି ଘଟଣାର ତଦନ୍ତ କରାଯାଇ ବିଭାଗ କୁ ରିପୋର୍ଟ ତଲବ କରାଯିବା ପରେ ଯାହା ସହାୟତା ଆସିବ ତାହାକୁ ମତ୍ସ୍ୟଜୀବୀଙ୍କୁ ପ୍ରଦାନ କରାଯିବ ବୋଲି ଶ୍ରୀପଣ୍ଡା କହିଥିଲେ। ଅନ୍ୟ ପଟେ ଦୀର୍ଘ ବର୍ଷ ଧରି ମତ୍ସ୍ୟଜୀବ ମାନେ ଗୋପାଳପୁର ବେକ ଓ୍ବାଟର ରେ ସବୁଦିନିଆ ମୁହାଣ ନିର୍ମାଣ ନିମନ୍ତେ ଦାବି କରାଯାଉଥିଲେ ମଧ୍ୟ ଆଜି ଯାଏଁ ଏହା ସମ୍ଭବ ହୋଇ ନାହିଁ। ଯାହା ଫଳରେ ମତ୍ସ୍ୟଜୀବୀମାନେ ସମୁଦ୍ରରୁ ମାଛ ମାରି ଫେରିବା ପରେ ଡଙ୍ଗା ଗୁଡିକୁ କୂଳକୁ ଆଣିବାରେ ଅସୁବିଧା ହୋଉଛି। ତେଣୁ ତୁରନ୍ତ ରାଜ୍ୟ ସରକାର ମୁହାଣ ତିଆରି କରିବାକୁ ମତ୍ସ୍ୟଜୀବୀମାନେ ଦାବି ଜଣାଇବା ସହ ଡଙ୍ଗା ଭାଙ୍ଗିଥିବା ଗୈରେୟାଙ୍କୁ ତୁରନ୍ତ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହେଉଛି।

Comments are closed.