ବୋର୍ଡରୁ ପଠାଗଲା ମାଟ୍ରିକ ସାର୍ଟିଫିକେଟ୍‍ ; ୩୦ରୁ ବିତରଣ

କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଚଳିତ ମାଟ୍ରିକ ପରୀକ୍ଷାର ସାର୍ଟିଫିକେଟଗୁଡ଼ିକ ରାଜ୍ୟର ସମସ୍ତ ଜିଲାକୁ ଶୁକ୍ରବାର ପଠାଯାଇଛି। ମାଟ୍ରିକର ଅରିଜିନାଲ ସାର୍ଟିଫିକେଟ, ମାଇଗ୍ରେସନ ସାର୍ଟିଫିକେଟ, ଅକୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କ ମାର୍କ ସିଟ୍‍ ଓ ଟାବୁଲେସନ ରେଜିଷ୍ଟର ଆସନ୍ତା ଜୁନ୍‍ ୩୦ରୁ ଜୁଲାଇ ୧ ତାରିଖ ମଧ୍ୟରେ ବିତରଣ କରାଯିବ।
ବୋର୍ଡର ୬ଟି ଜୋନ୍‍ ଅଧୀନରେ କରାଯାଇଥିବା ବିତରଣ କେନ୍ଦ୍ରରୁ ହାଇସ୍କୁଲର ମୁଖ୍ୟ ବା କ୍ଷମତାପ୍ରାପ୍ତ କର୍ମଚାରୀ ସାର୍ଟିଫିକେଟଗୁଡ଼ିକୁ ସଂଗ୍ରହ କରିବେ। ସମ୍ପୃକ୍ତ ଜିଲା ଶିକ୍ଷାଧିକାରୀ ସାର୍ଟିଫିକେଟ ବିତରଣ କାର୍ଯ୍ୟକୁ ତଦାରଖ କରିବା ପାଇଁ ବୋର୍ଡ ପକ୍ଷରୁ ଅନୁରୋଧ କରାଯାଇଛି। ଏଥିସହ ସାର୍ଟିଫିକେଟ ବିତରଣ ସଂକ୍ରାନ୍ତ କୌଣସି ସମସ୍ୟା ଉପୁଜିଲେ ତାହାକୁ ଜିଲା ଶିକ୍ଷାଧିକାରୀ ତତ୍‍କ୍ଷଣାତ୍‍ ବିତରଣ କେନ୍ଦ୍ରରେ ସମାଧାନ କରିବାକୁ ପରାମର୍ଶ ଦିଆଯାଇଛି। ହାଇସ୍କୁଲର ମୁଖ୍ୟମାନେ ସାର୍ଟିଫିକେଟ ସଂଗ୍ରହ କରିବା ପରେ ସେଗୁଡ଼ିକୁ ଗଣନା କରି ପରଖିନେବା ସହ କୌଣସି ସାର୍ଟିଫିକେଟ ପାଇନଥିଲେ ଅଥବା ହଜିଯାଇଥିଲେ ସେ ସମ୍ପର୍କରେ ଅବଗତ ହେବେ। ଆବଶ୍ୟକ ହେଲେ ଏ ସମ୍ପର୍କରେ ବୋର୍ଡକୁ ଜଣାଇବେ। ଏଥିସହ ସାର୍ଟିଫିକେଟ୍‍ରେ କୌଣସି ତ୍ରୁଟି ପରିଲକ୍ଷିତ ହେଲେ କଟକସ୍ଥିତ ବୋର୍ଡ ମୁଖ୍ୟାଳୟରେ ଆବଶ୍ୟକ ଦେୟ ପୈଠ କରି ସାର୍ଟିଫିକେଟ ସଂଶୋଧନ ନିମନ୍ତେ ଜୁଲାଇ ୧୦ ତାରିଖ ସୁଦ୍ଧା ଆବେଦନ କରିପାରିବେ। ବିଭିନ୍ନ ଜିଲା ପାଇଁ ହୋଇଥିବା ସାର୍ଟିଫିକେଟ ବିତରଣ କେନ୍ଦ୍ରଗୁଡ଼ିକ ହେଲା, କଟକ ଜିଲା ପାଇଁ ବଜ୍ରକବାଟି ରୋଡ୍‍ସ୍ଥିତ ବୋର୍ଡର ଜୋନ କାର୍ଯ୍ୟାଳୟ, ଜଗତ୍‍ସିଂହପୁର ଜିଲା ପାଇଁ ଏସ୍‍. କେ. ଏକାଡେମୀ, ଯାଜପୁର ଜିଲା ସ୍କୁଲ, ଅନୁଗୋଳ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ, ଢେଙ୍କାନାଳରେ ବି. ବି. ହାଇସ୍କୁଲ, ପୁରୀ ଜିଲା ପାଇଁ ଖୋର୍ଦ୍ଧାର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ନୟାଗଡ଼ରେ ବ୍ରଜେନ୍ଦ୍ର ହାଇସ୍କୁଲ, ବାଲେଶ୍ୱର ଜିଲା ପାଇଁ ବୋଡ୍‍ର ବାଲେଶ୍ୱର ଜୋନ୍‍ କାର୍ଯ୍ୟାଳୟ, ଭଦ୍ରକ ଜିଲା ସ୍କୁଲ, କେନ୍ଦୁଝର ଜିଲାର ଏନ୍‍. ଏସ୍‍. ପୁଲିସ ହାଇସ୍କୁଲ, ମୟୁରଭଞ୍ଜ ଜିଲା ପାଇଁ ବାରିପଦାର ଏମ୍‍.କେ.ସି. ହାଇସ୍କୁଲ, ଗଜପତି ଜିଲା ପାଇଁ ଗଜପତି ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ, ଗଞ୍ଜାମ ଜିଲା ପାଇଁ ବ୍ରହ୍ମପୁର ବୋର୍ଡର ଜୋନ୍‍ କାର୍ଯ୍ୟାଳୟ, ବୌଦ୍ଧ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ, କନ୍ଧମାଳ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ, କଳାହାଣ୍ଡି ଜିଲା ପାଇଁ ଭବାନୀପାଟଣାର ବି.ଏମ. ହାଇସ୍କୁଲ, ନୂଆପଡ଼ା ଜିଲା ପାଇଁ ନୂଆପଡ଼ା ହାଇସ୍କୁଲ, ବରଗଡ଼ ଜିଲା ପାଇଁ ଜର୍ଜ ହାଇସ୍କୁଲ, ସମ୍ବଲପୁରରେ ବୋର୍ଡ ଜୋନ୍‍ କାର୍ଯ୍ୟାଳୟ, ଦେବଗଡ଼ରେ ଆର୍‍.ବି.ଡି ହାଇସ୍କୁଲ, ଝାରସୁଗୁଡ଼ା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ, ବଲାଙ୍ଗିରରେ ପି.ଆର. ହାଇସ୍କୁଲ, ସୁବର୍ଣ୍ଣପୁରରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସୁନ୍ଦରଗଡ଼ରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କୋରାପୁଟ ଜିଲା ପାଇଁ ଜୟପୁରରେ ବୋର୍ଡର ଜୋନ କାର୍ଯ୍ୟାଳୟ, ମାଲକାନାଗିରି ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ, ନବରଙ୍ଗପୁର ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଓ ରାୟଗଡ଼ା ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ। ଛାତ୍ରଛାତ୍ରୀଙ୍କୁ ସୁବିଧାରେ ସାର୍ଟିଫିକେଟଗୁଡ଼ିକୁ ବିତରଣ ପାଇଁ ସମସ୍ତ ପ୍ରକାର ସତର୍କତା ଓ ସାବଧାନତା ଅବଲମ୍ବନ କରାଯାଇଥିବା ବୋର୍ଡ ସମ୍ପାଦକ ରାମାଶିଷ ହାଜରା ସୂଚନା ଦେଇଛନ୍ତି।

Comments are closed.