କରୋନା ପ୍ରଭାବ : ଏପ୍ରିଲ ୧୫ ପର୍ଯ୍ୟନ୍ତ ସ୍ଥଗିତ ହେଲା ଆଇପିଏଲ୍

ନୂଆଦିଲ୍ଲୀ : ସାରା ବିଶ୍ଵରେ କରୋନା ଭୂତାଣୁ(ଭାଇରସ୍) ଭୟଙ୍କର ରୂପ ଧାରଣ କରିଛି। ଏବେ ଏହାର ପ୍ରଭାବ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ଉପରେ ପଡ଼ିଛି। କରୋନା ସଂକ୍ରମଣ ବ୍ୟାପିବା ଯୋଗୁଁ ଆଇପିଏଲର ୧୩ ତମ ସଂସ୍କରଣକୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ମାର୍ଚ୍ଚ ୨୯ରେ ଆଇପିଏଲ୍ ଆରମ୍ଭ ହେବାର ଥିଲା। ମାତ୍ର କରୋନୋ ଭୂତାଣୁ(ଭାଇରସ୍) ବିସ୍ତାର ମଧ୍ୟରେ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) କିଛି ସପ୍ତାହ ପାଇଁ ସ୍ଥଗିତ ରଖିବାକୁ ଦଳର ମାଲିକମାନେ ମତ ଦେଇଛନ୍ତି।
ବିସିସିଆଇ ପକ୍ଷରୁ ବିବୃତ୍ତିରେ କୁହାଯାଇଛି ଯେ, ’ଆଇପିଏଲର ଆଗାମୀ ସଂସ୍କରଣକୁ ଏପ୍ରିଲ ୧୫ ତାରିଖକୁ ସ୍ଥଗିତ ରଖିବାକୁ ବୋର୍ଡ ନିଷ୍ପତ୍ତି ନେଇଛି। କରୋନା ଭୂତାଣୁ(ଭାଇରସ୍) କାରଣରୁ ପରିସ୍ଥିତି ଭୟାବହ ହେତୁ ଏହି ନିଷ୍ପତ୍ତି ନିଆଯାଇଛି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଭୟଭୀତ କରୋନାକୁ ମହାମାରୀ ଘୋଷଣା କରିଛି। ଭାରତରେ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ବିଦେଶୀ ଭିସା ଉପରେ ପ୍ରତିବନ୍ଧ ଲଗାଯାଇଛି । ତେବେ ଏଭଳି ପରିସ୍ଥିତିରେ ବିଦେଶୀ ତାରକାମାନେ ଇଣ୍ଡିଆନ ପ୍ରିମିୟର ଲିଗରେ ଯୋଗଦେବା ଅସମ୍ଭବ ହେବ।

Comments are closed.