ଢେଙ୍କାନାଳରେ ଷଣ୍ଢ ଆଶ୍ରୟସ୍ଥଳ : ୬କୋଟି ମାଗିଲା ବିଏମ୍‌ସି

ଭୁବନେଶ୍ୱର : ଢେଙ୍କାନାଳ ଜିଲା ବାହାବନ୍ଧରେ ଷଣ୍ଢ ଆଶ୍ରୟସ୍ଥଳ ନିର୍ମାଣ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ବିଏମ୍‌ସି ୬ କୋଟି ଟଙ୍କା ମାଗିଛି। ପ୍ରସ୍ତାବକ୍ରମେ ବିଏମ୍‌ସି ୨୦ଟି ଆଶ୍ରୟ ଗୃହ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ପର୍ଯ୍ୟାୟରେ ୭ଟି ଗୃହ ନିର୍ମାଣ କରିବାକୁ ଥିବାବେଳେ ଏଥିପାଇଁ ୨.୧୦ କୋଟି ଟଙ୍କା ଖର୍ଚ୍ଚ ହେବ। ଦ୍ବିତୀୟ ପର୍ଯ୍ୟାୟରେ ୨.୧୦ କୋଟି ଟଙ୍କା ବ୍ୟୟରେ ଆଉ ୭ ଗୃହ ନିର୍ମାଣ କରାଯିବ। ତୃତୀୟ ପର୍ଯ୍ୟାୟରେ ଅବଶି‌ଷ୍ଟ ୬ ଗୃହ ନିର୍ମାଣ ହେବ। ଏଥିପାଇଁ ୧.୮୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଗୋଟିଏ ଗୃହ ପିଛା ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ୩ବର୍ଷ ଭିତରେ ୬କୋଟି ଟଙ୍କା ଖର୍ଚ୍ଚ କରାଯାଇ ଆଶ୍ରୟସ୍ଥଳ ନିର୍ମାଣ କରାଯିବ ବୋଲି ବିଭାଗକୁ ପ୍ରସ୍ତାବ ଦିଆଯାଇଛି। ପରେ ଷଣ୍ଢଙ୍କୁ ସ୍ଥାନାନ୍ତର କରାଯିବ। ଷଣ୍ଢଙ୍କ ରକ୍ଷଣାବେକ୍ଷଣ ଦାୟିତ୍ବ ଢେଙ୍କାନାଳ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟକୁ ଦିଆଯିବ। ଗୋଟିଏ ଷଣ୍ଢ ପିଛା ଦୈନିକ ୪୦ ଟଙ୍କା ହିସାବରେ ବିଏମ୍‌ସି ଜିଲା ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟକୁ ପ୍ରଦାନ କରିବ। ଆଶ୍ରୟସ୍ଥଳରେ ଯେତିକି ଷଣ୍ଢ ରହିବେ ସେହି ଅନୁସାରେ ଟଙ୍କା ଦିଆଯିବ। ହେଲେ ଏ ସଂକ୍ରାନ୍ତରେ ବିଭାଗ ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇ ନଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ୧୦୦୦ ଷଣ୍ଢଙ୍କ ପାଇଁ ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ବିଏମ୍‌ସିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରାଣୀ ଓ ପଶୁ ସମ୍ପଦ ନିର୍ଦେଶକଙ୍କୁ ଆମନ୍ତ୍ରଣ କରାଯାଇଥିଲା। ସେ ପ୍ରସ୍ତାବ ଦେଇଥିଲେ କି, ଢେଙ୍କାନାଳ ଜିଲାର ବାହାବନ୍ଧରେ ବିଭାଗର ଗୋଟିଏ ଷଣ୍ଢ ଆଶ୍ରୟସ୍ଥଳ ରହିଛି। ୪୦୦ ଏକର ଜାଗା ଥିବାବେଳେ ଚାହିଁଲେ ସେଠାରେ ଆଶ୍ରୟସ୍ଥଳ ନିର୍ମାଣ କରାଯାଇ ପାରିବ ବୋଲି ସେ ବିଏମ୍‌ସିକୁ ପ୍ରସ୍ତାବ ଦେଇଥିଲେ। ସହରରେ ପ୍ରାୟ ୧,୫୦୦ ଷଣ୍ଢ ବୁଲୁଛନ୍ତି। ଏଥିରୁ ପାଖାପାଖି ୧୦୦୦ ଷଣ୍ଢଙ୍କ ପାଇଁ ୨୦ ଆଶ୍ରୟ ଗୃହ ନିର୍ମାଣ କରାଯିବ। ବିଏମ୍‌ସି ଡେପୁଟି କମିସନର ଶ୍ୟାମସୁନ୍ଦର ସେଠୀ କହିଛନ୍ତି, ଜାମୁକୋଳିରେ ବିଏମ୍‌ସିର ଷଣ୍ଢ ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି। ସେଠାରେ ଦୁଇଟି ଆଶ୍ରୟ ଗୃହରେ ୬୪ ଷଣ୍ଢଙ୍କୁ ରଖାଯାଇଛି। ଏହାସହ କିଛି ମୁକ୍ତାକାଶ ଜାଗା ରହିଛି। ପ୍ରାୟ ୩୦ରୁ ୪୦ ଷଣ୍ଢ ବୁଲାବୁଲି କରିପାରୁଛନ୍ତି। ତେବେ ସହରରେ ଷଣ୍ଢଙ୍କ ସଂଖ୍ୟା ଦେଖିଲେ ଆଶ୍ରୟସ୍ଥଳରେ ଜାଗା ହେବ ନାହିଁ।

Comments are closed.