କୋଭିଡ ନିୟମ ଉଲ୍ଲଘଂନ କରି ସ୍କୁଲରେ ଚାଲିଥିଲା ପାଠପଢା, ଖବର ପାଇ ସ୍କୁଲକୁ ସିଲ୍‌ କଲା ବିଏମସି

ଭୁବନେଶ୍ୱର : କରୋନା ମହାମାରୀ ପାଇଁ ରାଜ୍ୟରେ ସମସ୍ତ ସ୍କୁଲ ବନ୍ଦ ରହିଛି। ରାଜ୍ୟ ସରକାରଙ୍କ କୋଭିଡ ନିୟମ ଅନୁସାରେ ସମସ୍ତ ସ୍କୁଲରେ ଅଫଲାଇନ୍‌ ପାଠ ପଢା ବନ୍ଦ ରହିଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍‌ଲାଇନରେ ପାଠ ପଢା ହେଉଛି। ହେଲେ ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ବରରେ କୋଭିଡ ନିୟମ ଉଲ୍ଲଘଂନ କରି ଏକ ସ୍କୁଲରେ ପାଠପଢା ସହ ପରୀକ୍ଷା ଚାଲିଥିବା ସୂଚନା ପାଇ ସ୍କୁଲକୁ ସିଲ୍‌ କରିଛି ଭୁବନେଶ୍ବର ମହାନଗର ନିଗମ(ବିଏମସି)।

ସୂଚନାମୁତାବକ ରାଜଧାନୀ ଭୁବନେଶ୍ବରର ଚିନ୍ତାମଣୀଶ୍ୱରସ୍ଥିତ ସାଇ ସରସ୍ୱତୀ ବିଦ୍ୟାମନ୍ଦିର ସ୍କୁଲ ସରକାରଙ୍କ ସ୍କୁଲ ବନ୍ଦ ନିର୍ଦ୍ଦେଶ ଏବଂ କୋଭିଡ ନିୟମ ଉଲ୍ଲଘଂନ କରି ସ୍କୁଲରେ ଅଫଲାଇନ ପାଠପଢା ସହ ପରୀକ୍ଷା କରୁଥିଲା। ଯାହାର ସୂଚନା ପାଇଁ ଭୁବନେଶ୍ବର ମହାନଗର ନିଗମ(ବିଏମସି) ପକ୍ଷରୁ ଉକ୍ତ ସ୍କୁଲକୁ ଅନିଦ୍ଧିଷ୍ଟ କାଳପାଇଁ ସିଲ୍‌ କରାଯିବା ସହ ଏକ ରିପୋର୍ଟ ପ୍ରସ୍ତୁତ କରି ସ୍କୁଲ ଓ ଗଣଶିକ୍ଷା ବିଭାଗ ନିକଟକୁ ପଠାଯାଇଛି।

ସୂଚନାଯୋଗ୍ୟ କରୋନା ନେଇ ଡିସେମ୍ବର ୩୧ ଯାଏଁ ଗାଇଡଲାଇନ ରାଜ୍ୟ ସରକାର ଜାରି କରିଛନ୍ତି। ଗାଇଡଲାଇନ୍ ଅନୁସାରେ ସ୍କୁଲ ଖୋଲିବା ନିଷ୍ପତ୍ତି ନେବା ପାଇଁ ଗଣଶିକ୍ଷା ବିଭାଗକୁ ଦାୟିତ୍ବ ଦେଇଛନ୍ତି ସରକାର। ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବା ନିଷ୍ପତ୍ତି ଗଣଶିକ୍ଷା ବିଭାଗ ଉପରେ ଛଡାଯାଇଛି। ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ଓ ଏସ୍ଓପି କରି ସ୍କୁଲ ଖୋଲିବା ନିଷ୍ପତ୍ତି ହୋଇଛି। କଲେଜ ଓ ଉଚ୍ଚଶିକ୍ଷା ଅନୁଷ୍ଠାନ ଖୋଲିବା ନିଷ୍ପତ୍ତି ଉଚ୍ଚଶିକ୍ଷା ବିଭାଗ ନେବ। ଇଂଜିନିୟରିଂ କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବା ନିଷ୍ପତ୍ତି ମଧ୍ୟ ବିଭାଗ ନେବ।

 

 

Comments are closed.