ଭୁବନେଶ୍ୱର କୋର୍ଟ ୭ ଦିନ ପାଇଁ ସିଲ୍‍

ଭୁବନେଶ୍ୱର: ଭୁବନେଶ୍ୱର କୋର୍ଟକୁ ସାତଦିନ ପାଇଁ ସିଲ୍‍ କରାଯାଇଛି। କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କୋର୍ଟ କଂପ୍ଲେକ୍ସକୁ ସିଲ୍‍ କରାଯାଇଛି। ଆଜିଠାରୁ ମେ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କୋର୍ଟର ବିଚାର ବିଭାଗୀୟ ପରିସର ବନ୍ଦ ରଖାଯାଇଛି। ପାଖାପାଖି ଏକ ସପ୍ତାହ ଧରି ରାଜ୍ୟର ଅନ୍ୟାନ୍ୟ ସହରାଞ୍ଚଳ ତୁଳନାରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ପ୍ରତିଦିନ ସର୍ବାଧିକ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଥିବାରୁ ତାହା ବିଏମ୍‍ସି କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇ ଦେଇଛି। ସେଥିପାଇଁ ମହାନଗର ନିଗମ ଅଞ୍ଚଳରେ କୋଭିଡ କଟକଣାକୁ କଡାକଡି ଭାବେ ପାଳନ କରିବା ଉପରେ ଉଭୟ ବିଏମସି ଏବଂ କମିଶନରେଟ ପୁଲିସ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ଇତିମଧ୍ୟରେ ମହାନଗର ନିଗମ ଅଞ୍ଚଳର ମାର୍କେଟ ବିଲଡିଂ, ଭିଏସଏସ ନଗର ହାଟ ଆଦି ଏକାଧିକ ଜନଗହଳି ସ୍ଥାନ, ବଜାର, ହାଟ ଆଦିକୁ ମଧ୍ୟ ସିଲ୍‍ କରିଦିଆଯାଇଛି। କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଅଞ୍ଚଳକୁ କ୍ଷୁଦ୍ର ଆବଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଉକ୍ତ ଅଞ୍ଚଳରେ ବାସ କରୁଥିବା ଜନସାଧାରଣ ବାହାରକୁ ଆସିବା ଅଥବା ବାହାରୁ କେହି ସେଠାକୁ ଯିବା ଉପରେ କଟକଣା ଜାରି କରାଯାଇଛି।

Comments are closed.