ରାସ୍ତା ଓ ଡ୍ରେନ ନିର୍ମାଣ ଦାବିରେ ବିଏମସି କାର୍ଯ୍ୟାଳୟ ଘେରାଉ

ବ୍ରହ୍ମପୁର : ରାସ୍ତା ଏବଂ ଡ୍ରେନ ନିର୍ମାଣ ଦାବିରେ ୩୭ ନମ୍ବର ୱାର୍ଡର ଲାଞ୍ଜିପଲି ଗଣେଶ ନଗର ବାସିନ୍ଦାଙ୍କୁ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏନେଇ ସେମାନେ ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ଘେରାଉ କରିଥିଲେ। ସେମାନଙ୍କ ଅଭିଯୋଗ ହେଲା, ୱାର୍ଡରେ ୩୦୦ ଘର ଏବଂ ୧୫୦୦ ଲୋକ ବାସ କରନ୍ତି। ସମସ୍ତେ କରଦାତା ଅଟନ୍ତି।  ଏହି ସାହି ଗଠିତ ହେବାର ପ୍ରାୟ ୨୨ ବର୍ଷ ହୋଇଗଲାଣି । କିନ୍ତୁ ମହାନଗର ନିଗମ ତରଫରୁ କୌଣସି ମୌଳିକ ସୁବିଧା ପାଇପାରୁ ନାହାନ୍ତି। ପ୍ରାୟ ୨୦୦ରୁ ଅଧିକ ଥର ମୌଖିକ ଏବଂ ଲିଖିତ ଭାବେ ଅଭିଯୋଗ କରିଆସୁଥିଲେ। କିନ୍ତୁ କିଛି ସୁଫଳ ମିଳୁ ନାହିଁ । ସବୁଠାରୁ ଦୁଃଖର ବିଷୟ ହେଲା ଗତ ୧୩.୧୧.୨୦୨୦ ତାରିଖରେ ସାହିରୁ ପ୍ରାୟ ୧୦୦ରୁ ଉର୍ଦ୍ଧ ମହିଳା ଓ ପୁରୁଷ କମିଶନରଙ୍କୁ ଭେଟି ଲିଖିତ ଆକାରରେ ଅଭିଯୋଗ କରିଥିଲେ ମଧ୍ୟ ଦେଢ଼ ମାସ ମଧ୍ୟରେ କାମ ଆରମ୍ଭ କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ତଥାପି କିଛି ସୁଫଳ ମିଳିଲା ନାହିଁ। ଏଣୁ ପୁଣି ଥରେ ଗତ ୭ ତାରିଖରେ ଆଉ ଏକ ଅଭିଯୋଗ ପତ୍ର ଦାଖଲ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାର ମୌଳିକ ସୁବିଧା ମିଳିଲାନି। ଏହି ନିକଟରେ ୧୧୦ଟି ଟେଣ୍ଡର ବ୍ରହ୍ମପୁର ସହର ପାଇଁ ବାହାର କରାଯାଇଛି। କିନ୍ତୁ ଏଥିରେ ଗଣେଶ ନଗର ନାହିଁ। ଯଦି ଆସନ୍ତା ୭ ଦିନ ମଧ୍ୟରେ ରାସ୍ତା ଏବଂ ଡ୍ରେନ ନିର୍ମାଣ ଦିଗରେ କୌଣସି ପଦକ୍ଷେପ ନିଆ ନ ଗଲେ ପୁଣି ଥରେ ଆସନ୍ତା ୨ ତାରିଖରେ ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

Comments are closed.