ଅଫ୍‌ଲାଇନ୍‌ରେ ସଂଗ୍ରହ ହେବ ହୋଲ୍‌ଡିଂ ଟିକସ

ଷ୍ଟାଫଙ୍କୁ ଦୁର୍ବ୍ୟବହାର କଲେ ଦୋକାନ ସିଲ

ଭୁବନେଶ୍ବର: ହାଇକୋର୍ଟଙ୍କ ଚୂଡ଼ାନ୍ତ ରାୟ ନ ଆସିବା ପର୍ଯ୍ୟନ୍ତ ବର୍ଦ୍ଧିତ ହୋଲ୍‌ଡିଂ ଟିକସ ସଂଗ୍ରହ ସ୍ଥଗିତ ରଖିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯିବା ପରେ ବିଏମ୍‌ସି ପୁରୁଣା ଦରରେ ଆଦାୟ କରିବାକୁ ପ୍ରୟାସ ଜାରି ରଖିଛି। ଅନ୍‌ଲାଇନରେ ଟିକସ ସଂଗ୍ରହ ନ କରି ଡିମାଣ୍ଡ ରେଜିଷ୍ଟ୍ରାରରେ ଆଦାୟ କରିବାକୁ ତିନି ଜୋନ୍‌ର ଡେପୁଟି କମିସନର, ୱାର୍ଡ ସୁପରଭାଇଜର ଏବଂ ୱାର୍ଡ ଅଫିସରଙ୍କୁ ନିର୍ଦେଶ ଦିଆଯାଇଛି। କରଦାତାଙ୍କଠାରୁ ନଗଦ ଅର୍ଥ କିମ୍ବା ଚେକ୍‌ବୁକରେ ହୋଲ୍‌ଡିଂ ଟିକସ ଆଦାୟ ହେଉଛି। ତେବେ ଏସ୍‌ଏଚ୍‌ଜି ଗ୍ରୁପଙ୍କୁ ହୋଲ୍‌ଡିଂ ଟିକସ ସଂଗ୍ରହରୁ ବାଦ ଦିଆଯାଇଛି। ବର୍ତ୍ତମାନ ସେମାନେ କେବଳ ଟ୍ରେଡ୍‌ ଲାଇସେନ୍ସ ଫି ସଂଗ୍ରହ କରିପାରିବେ।

ବର୍ଦ୍ଧିତ ଦରରେ ହୋଲ୍‌ଡିଂ ଟିକସର ମୂଲ୍ୟାଙ୍କନ ହୋଇ ଅନ୍‌ଲାଇନରେ ତଥ୍ୟ ଥିବାରୁ ପୁରୁଣା ଦର ହିସାବ ହୋଇପାରୁ ନାହିଁ। ଅନ୍‌ଲାଇନରେ ଟିକସଦାତାଙ୍କ ତଥ୍ୟ ଦେଲେ ବର୍ଦ୍ଧିତ ହୋଲ୍‌ଡିଂ ଟିକସ ପରିମାଣ ଦେଖାଉଛି। ତେଣୁ ଆସନ୍ତା ଏପ୍ରିଲରୁ ପୁରୁଣା ଦରକୁ ନେଇ ମ୍ୟାନେଜମେଣ୍ଟ ଇନ୍‌ଫରମେସନ ସିଷ୍ଟମ(ଏମ୍‌ଆଇଏସ୍‌) ପ୍ରସ୍ତୁତି କରିବ ବିଏମ୍‌ସି। ଏହାପରେ ଅନ୍‌ଲାଇନରେ ଏହି ତଥ୍ୟ ଉପଲବ୍ଧ ହେବ। ଏହାକୁ ଆଧାର କରି ଏପ୍ରିଲ ପରେ ଅନ୍‌ଲାଇନରେ ହୋଲ୍‌ଡିଂ ଟିକସ ସଂଗ୍ରହ ହେବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ବର୍ଦ୍ଧିତ ହୋଲ୍‌ଡିଂ ଟିକସ ସଂଗ୍ରହ ମାମଲାରେ ବିଏମ୍‌ସି ଆସନ୍ତା ୩୧ରେ ହାଇକୋର୍ଟଙ୍କ ନିକଟରେ ପକ୍ଷ ରଖିବ। ଏହାକୁ ବିଚାରକୁ ନେଇ ହାଇକୋର୍ଟ ରାୟ ଦେବା ପରେ ବିଏମ୍‌ସି ବର୍ଦ୍ଧିତ ଦରରେ ହୋଲ୍‌ଡିଂ ଟିକସ ଆଦାୟ କରିବ ନା ନାହିଁ ସ୍ପଷ୍ଟ ହୋଇଯିବ। ହେଲେ କିନ୍ନରଙ୍କ ଦ୍ବାରା ବଡ଼ ଖିଲାପକାରୀଙ୍କଠାରୁ ବକେୟ ଆଦାୟ ଜାରି ରହିବ। ଯେଉଁମାନ ବକେୟା ଟିକସ ଦେବେ ନାହିଁ ସେମାନଙ୍କ ସଂସ୍ଥା ସିଲ କରିବାକୁ ଜୋନାଲ ଡେପୁଟି କମିସନର ପଦ‌େକ୍ଷପ ନେବାକୁ କୁହାଯାଇଛି। ଟ୍ରେଡ୍‌ ଲାଇସେନ୍ସ ସର୍ଭେ ଜାରି ରହିଥିବାବେଳେ କିଛି ଦୋକାନ ସର୍ଭେ ଷ୍ଟାଫଙ୍କୁ ଦୁର୍ବ୍ୟବହାର ଏବଂ ଦୋକାନ ସମ୍ପର୍କରେ ତଥ୍ୟ ଦେଉ ନ ଥିବାରୁ ସେମାନଙ୍କୁ ନୋଟିସ ଜାରି କରିବା ସହିତ ଦୋକାନ ସିଲ କରାଯିବା ପାଇଁ ପଦ‌େ‌କ୍ଷପ ନିଆଯିବ। ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ ଏବଂ ସେଣ୍ଟ୍ରାଲ ସ୍କ୍ବାଡ ପକ୍ଷରୁ ଏହି ପଦକ୍ଷେପ ନେବେ ବୋଲି ବିଏମ୍‌ସିର ରାଜସ୍ବ ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକରେ ବିଏମ୍‌ସି କମିସନର ପ୍ରେମ ଚନ୍ଦ୍ର ଚୌଧରୀଙ୍କ ସହିତ ତିନି ଜୋନ୍‌ର ଡେପୁଟି କମିସନର, ଡେପୁଟି କମିସନର(ରାଜସ୍ବ) ଶ୍ରୀମନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.