ରାଜଧାନୀର ଘରୋଇ ହସ୍ପିଟାଲ ଓ ନର୍ସିଂହୋମ ପାଇଁ ନୂଆ ଗାଇଡଲାଇନ ଜାରି କଲା ବିଏମସି

ଭୁବନେଶ୍ବର : ରାଜଧାନୀରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ଚିନ୍ତାରେ ଭୁବନେଶ୍ବର ମହାନଗର ନିଗମ । ଗୋଟିଏ ସମୟରେ ରାଜଧାନୀରେ କରୋନା ସଂକ୍ରମଣରେ ବ୍ରେକ ଲାଗିଥିବା ବେଳେ ବର୍ତ୍ତମାନ ତାହା କ୍ଷିପ୍ରବେଗରେ ମାଡି ଚାଲିଛି। ଆଉ ଏହାରି ମଧ୍ୟରେ ଭୁବନେଶ୍ବର ମହାନଗର ନିଗମ ପାଇଁ ସବୁଠୁ ବଡ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି ବିଭିନ୍ନ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ କରୋନା ଯୋଦ୍ଧାଙ୍କ କରୋନା ଏବଂ ସ୍ଥାନୀୟ ସଂକ୍ରମିତ ।

ବିଶେଷ କରି ବସ୍ତି ଅଞ୍ଚଳ ପାଇଁ କରୋନା ବୃଦ୍ଧି ପାଉଥିବା କୁହାଯାଉଥିବା ବେଳେ ଏଥପ୍ରତି ଅଧିକ ଦୃଷ୍ଟି ଦେଇଛି ଭୁବନେଶ୍ୱର ମହାନଗର ନିଗମ । ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ ଥିବା ଘରୋଇ ହସ୍ପିଟାଲ ଓ ନର୍ସିଂହୋମ ପାଇଁ ନୂଆ ଗାଇଡଲାଇନ୍‌ ଜାରି କରିଛି ବିଏମସି । ଗାଇଡ ଲାଇନ ଅନୁସାରେ, ବସ୍ତି ଅଂଚଳରେ ରହୁଥିବା ସବୁ କର୍ମଚାରୀଙ୍କ ଡାଟାବେସ ପ୍ରସ୍ତୁତ କରାଯିବ । ଡାଟାବେସ ପ୍ରସ୍ତୁତ ପାଇଁ ସବୁ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ  ନିର୍ଦ୍ଦେଶ ଦିଆଯାଇଛି । ବସ୍ତିରେ ରହୁଥିବା କର୍ମଚାରୀ ଏକାଦିକ୍ରମେ ୧୪ ଦିନ ଡ୍ୟୁଟି କରିବେ । ହସ୍ପିଟାଲ ପରିସରରେ ସଂପୃକ୍ତ କର୍ମଚାରୀଙ୍କ ପାଇଁ ରହଣି ବ୍ୟବସ୍ଥା ହେବ । ୧୪ ଦିନ ଡ୍ୟୁଟି ପରେ ସେମାନଙ୍କର କରୋନା ଟେଷ୍ଟ କରାଯିବ । ଯଦି ରିପୋର୍ଟ ନେଗେଟିଭ ଆସିବ ତେବେ ସେହି କର୍ମଚାରୀ ତାଙ୍କ ଘରକୁ ଯାଇପାରିବେ। ୧ମ ଦଫା କର୍ମଚାରୀଙ୍କ ଡ୍ୟୁଟି ପରେ ୨ୟ ଦଫା କର୍ମଚାରୀଙ୍କୁ ଡ୍ୟୁଟି ମିଳିବ । ଏହି ସମସ୍ତ କାର୍ଯ୍ୟର ତଦାରଖ କରିବା ପାଇଁ ଜଣେ ଜଣେ ନୋଡାଲ ଅଧିକାରୀ ନିଯୁକ୍ତି କରିବେ ହସ୍ପିଟାଲ କର୍ତୃପକ୍ଷ । ନୋଡାଲ ଅଧିକାରୀ କର୍ମଚାରୀଙ୍କ ସମସ୍ତ ତଥ୍ୟ ବିଏମସିକୁ ନିୟମିତ ପ୍ରଦାନ କରିବେ ।

Comments are closed.