କରଦାତାଙ୍କୁ ବିଏମ୍‍ସିର ମହଙ୍ଗା ମାଡ଼ : ବାଧୁଛି ହୋଲ୍‌ଡିଂ ଟିକସର ଦଶଗୁଣା ବୃଦ୍ଧି

ଭୁବନେଶ୍ୱର : କରୋନା ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଇଛି। ରୋଜଗାର ନ ଥିବାରୁ ଲୋକେ ଦୈନିକ ଗୁୁଜୁରାଣ ଚିନ୍ତାରେ ପଡ଼ିଛନ୍ତି। ଏହି ସମୟରେ ବିଏମ୍‍ସିର ହୋଲ୍‌ଡିଂ ଟିକସ ବୃଦ୍ଧି ଟିକସଦାତାଙ୍କୁ ଶକ୍ତ ଆଘାତ ଦେଇଛି। ବିଏମ୍‍ସି ପୂର୍ବ ହୋଲ୍‌ଡିଂ ଟିକସରେ ସଂଶୋଧନ କରି ନୂତନ ବେଞ୍ଚ ମାର୍କ ମୂଲ୍ୟ ହିସାବରେ ଟିକସ ଆଦାୟ କରୁଛି। ଯାହାକି ହୋଲ୍‍ଡିଂ ଟିକସଦାତାଙ୍କୁ ପୂର୍ବ ତୁଳନାରେ ୧୦ ଗୁଣାରୁ ଅଧିକ ଦେବାକୁ ପଡ଼ୁଛି। ଏହାକୁ ଲକ୍ଷାଧିକ ଟିକସଦାତା ତୀବ୍ର ବିରୋଧ କରିଛନ୍ତି। ବେଞ୍ଚ ମାର୍କ ମୂଲ୍ୟ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ଟିକସ ଆଦାୟକୁ ବିରୋଧ କରିି ଭୁବନେଶ୍ୱର ନାଗରିକ ମହାସଂଘ ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା। ୨୦୨୦, ଜୁନ୍‍ ୧୦ରେ ଉକ୍ତ ମାମଲାର ଶୁଣାଣି କରି କୋର୍ଟ ପରବର୍ତ୍ତୀ ଶୁଣାଣି ଯାଏ ବର୍ଦ୍ଧିତ ହାରରେ ଟିକସ ଆଦାୟ ନ କରିବାକୁ ବିଏମ୍‌ସିକୁ ନିର୍ଦେଶ ଦେଇଥିଲେ।
ନାଗରିକ ମହାସଂଘର ଶିଶିର ମହାପାତ୍ର କହିଛନ୍ତି, ବିଏମ୍‍ସି ଅଞ୍ଚଳରେ ପୂର୍ବରୁ ଜମି ଉପରେ ନିର୍ମିତ କୋଠାର ରାଜସ୍ୱ ମୂଲ୍ୟକୁ ଆଧାର କରି ୦.୫ ପ୍ରତିଶତ ହିସାବରେ ହୋଲ୍‌ଡିଂ ଟିକସ ଦିଆଯାଉଥିଲା। ଏହା ୨୦୧୦/୧୧ରୁ ବିଏମ୍‍ସି ଅଞ୍ଚଳରେ ଲାଗୁ ହୋଇଆସୁଛି। ହେଲେ ବିଏମ୍‍ସି ଏବେ ଘର ନିର୍ମାଣ ହୋଇଥିବା ଜମିର ବର୍ତ୍ତମାନ ଆଞ୍ଚଳିକ ମୂଲ୍ୟ ହିସାବରେ ହୋଲ୍‍ଡିଂ ଟିକସ ନେଉଛି। ଅର୍ଥାତ ସହିିଦନଗରରେ ଗୋଟିଏ କୋଠାର ଟିକସ ମୂଲ୍ୟ ଅନ୍ୟ ଅଞ୍ଚଳ ଅନୁସାରେ ଭିନ୍ନ ରହୁଛି। ଏପରିକି ଜମିର କିଣାବିକା ଦରକୁ ନେଇ ଗୋଟିଏ ଅଞ୍ଚଳର ପାଖାପାଖି ଥିବା ଘରର ଟିକସ ମୂଲ୍ୟରେ ମଧ୍ୟ ପାର୍ଥକ୍ୟ ରହୁଛି।
ଭୁବନେଶ୍ୱରରେ ଏବେ ଜମିର ମୂଲ୍ୟ ଆକାଶଛୁଆଁ ହୋଇଛି। ବିଏମ୍‍ସି ସଂଶୋଧିତ ହାରରେ ବା ନୂତନ ବେଞ୍ଚମାର୍କ ମୂଲ୍ୟରେ ହୋଲ୍‍ଡିଂ ଟିକସ ବହୁଗୁଣା ହୋଇଯାଉଛି। ନୂଆକରି ଘର କରୁଥିବା ମାଲିକଙ୍କୁ ବେଞ୍ଚମାର୍କ ମୂଲ୍ୟର ପ୍ରଭେଦ ଜଣାପଡ଼ୁ ନାହିଁ, କିନ୍ତୁ ପୂର୍ବ ପୁରୁଷରୁ ଘର କରି ରହିବା ଲୋକଙ୍କର ହଠାତ୍‍ ହୋଲ୍‍ଡିଂ ଟିକସ ବଢ଼ିଯିବା ସେମାନଙ୍କୁ ଅଡୁଆରେ ପକାଇଛି। ଅନେକ ଟିକସଦାତା ବେଞ୍ଚମାର୍କ ମୂଲ୍ୟ ହିସାବରେ ହୋଲ୍‌ଡିଂ ଟିକସ ଦେବାରେ ଅକ୍ଷମତା ପ୍ରକାଶ କରିିଛନ୍ତି। ରାଜଧାନୀବାସୀ ସଂଶୋଧିତ ହାରରେ ଟିକସ ଦେବା ସମ୍ଭବପର ନୁହେଁ। କୋର୍ଟ ମଧ୍ୟ ରହିତାଦେଶ ଦେଇଛନ୍ତି, କିନ୍ତୁ ବିଏମ୍‍ସି ନମାନି ବେଞ୍ଚମାର୍କ ମୂଲ୍ୟରେ ଟିକସ ଆଦାୟ କରୁଛି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିିଛନ୍ତି।
ଅନ୍ୟପଟେ ବିଏମ୍‍ସି ଡେପୁଟି କମିସନର(ଅର୍ଥ) ଶ୍ରୀମନ୍ତ ମିଶ୍ର କହିଛନ୍ତି, ସାଧାରଣ ପ୍ରଶାସନ ବିଭାଗ ହୋଲ୍‍ଡିଂ ଟିକସରେ ସଂଶୋଧନ ଆଣିଛନ୍ତି। ବେଞ୍ଚମାର୍କ ମୂଲ୍ୟ ହିସାବରେ ଟିକସ ଆଦାୟ ହେବାକୁ ଆଦେଶ କରିଛନ୍ତି। ସେହି ଅନୁସାରେ ବିଏମ୍‍ସି ଟିକସ ଆଦାୟ କରୁଛି। ଉଚ୍ଚ ନ୍ୟାୟାଳୟଙ୍କ ପରବର୍ତ୍ତୀ ଶୁଣାଣି ଯାଏଁ ସଂଶୋଧିତ ହାରରେ ଟିକସ ଆଦାୟ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିକଟରେ ବିଏମ୍‍ସି ପକ୍ଷ ରଖିଛି। କୋର୍ଟଙ୍କ ନିର୍ଦେଶ ପୂର୍ବରୁ ବିଏମ୍‍ସି ପାଖାପାଖି ୬୦ ହଜାର କରଦାତାଙ୍କ ହୋଲ୍‍ଡିଂ ଟିକସରେ ସଂଶୋଧିତ କରିସାରିଛି। ସେହି ଅନୁସାରେ ସେମାନଙ୍କ ଟିକସ ଆଦାୟ ହେଉଛି। ଏଯାଏଁ ପାଖାପାଖି ୬କୋଟି ଟଙ୍କାର ଆଦାୟ ହୋଇ ସାରିଲାଣି।
ବିଏମ୍‍ସି ନୂତନ ବେଞ୍ଚମାର୍କ ମୂଲ୍ୟ:
୨୦୧୯ ଅକ୍ଟୋବର ୧ରେ ବିଏମ୍‍ସି ସଂଶୋଧିତ ହୋଲ୍‌ଡିଂ ଟିକସ ଆଦାୟ ନେଇ ଆଦେଶନାମା ପ୍ରକାଶ କରିଥିଲା। ସାଧାରଣ ପ୍ରଶାସନ ବିଭାଗର ଆଦେଶ ସଂଖ୍ୟା ୧୮୫୩୩, ୨୦୧୯ ଜୁଲାଇ ୫ ଅନୁସାରେ ବିଏମ୍‍ସି ହୋଲ୍‌ଡିଂ ଟିକସ ଆଦାୟ କରିବ। ସଂଶୋଧିତ ବେଞ୍ଚମାର୍କ ଭାଲ୍ୟୁ ଅନୁସାରେ ଜମିର ମୂଲ୍ୟରୁ ୦.୫ ପ୍ରତିଶତ ହିସାବକୁ ନେଇ ବାର୍ଷିକ ହୋଲ୍‌ଡିଂ ଟିକସ ଆଦାୟ ହେବ।
ପଟିଆ ଅଞ୍ଚଳର ଟିକସଦାତା ଏସ୍‍କେ ମହାନ୍ତି କହିଛନ୍ତି, ପୂର୍ବରୁ ମୁଁ ପାଖାପାଖି ୫ଶହ ଟଙ୍କା ହୋଲ୍‍ଡିଂ ଟିକସ ଦେଉଥିଲି। ଏବର୍ଷ ୫ହଜାରରୁ ଊର୍ଦ୍ଧ୍ବ ଟଙ୍କା ଟିକସ ଦେବାକୁ ପଡ଼ୁଛି। ସେଥିପାଇଁ ଏଯାଏଁ ମୁଁ ଟିକସ ଦେଇନାହିଁ। ବିଏମ୍‍ସି ଟିକସଦାତାଙ୍କ ସହ ଆଲୋଚନା କରି ଟିକସ ସଂଶୋଧନ ନେଇ ନୂତନ ପଦକ୍ଷେପ ନେବା ଦରକାର।
ଫକିରମୋହନ ଦାସ କହିଛନ୍ତି, ଟିକସ ଦେବାକୁ ବିଏମ୍‍ସି କାର୍ଯ୍ୟାଳୟ ଯାଇଥିଲି। ନୂଆ ମୂଲ୍ୟ ଅନୁସାରେ ଟିକସ ହେବାକୁ କହିଲେ। ପୂର୍ବ ଅପେକ୍ଷା ଅଧିକ ଦେବାକୁ ପଡ଼ୁଥିବାରୁ ମୁଁ ଫେରି ଆସିଲିି।
ସୁନାକର ସେନାପତିଙ୍କ କହିବା ଅନୁସାରେ କରୋନା ମହାମାରୀ ସମୟରେ ସଂଶୋଧିତ ଟିକସ ଆଦାୟ ଟିକସଦାତାଙ୍କୁ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ। ଟିକସଦାତାଙ୍କୁ ଲୁଣ୍ଠନ କରିବା ବିଏମ୍‍ସିର ଏକ ପ୍ରକାର ଚାଲ୍‌।

Comments are closed.