କଟକ, ବ୍ରହ୍ମପୁର, ବୁର୍ଲା ମେଡିକାଲ କଲେଜରେ ହେବ ସୁପର ସ୍ପେସାଲିଟି ବ୍ଲକ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

0

ବାଲେଶ୍ବର : କଟକ, ବ୍ରହ୍ମପୁର, ବୁର୍ଲା ମେଡିକାଲ କଲେଜରେ ହେବ ସୁପର ସ୍ପେସାଲିଟି ବ୍ଲକ । ଏଥି ପାଇଁ ୫୬୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜେ.ପି.ନଡ୍ଡା କହିଛନ୍ତି । ସେହିପରି ଭଦ୍ରକ, ଯାଜପୁର, ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ଗୋଟିଏ କରି ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ବାଲେଶ୍ୱର ଠାରେ ଏମ୍ସ ଭୁବନେଶ୍ୱର ସାଟେଲାଇଟ କେନ୍ଦ୍ରର ଭିତିପ୍ରସ୍ଥର ସ୍ଥାପନ କରିବା ଅବସରରେ କେନ୍ଦ୍ର ମନ୍ତ୍ରୀ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନଡ୍ଡା ଏହା କହିଛନ୍ତି ।

ଏମ୍ସ, ଭୁବନେଶ୍ୱରର ସାଟେଲାଇଟ କେନ୍ଦ୍ର ଭାବେ ୨୪.୯୧ ଏକର ଜମିରେ ୩୦୦ ଶଯ୍ୟା ବିଶିଷ୍ଟ ଏକ ମଲ୍ଟିସ୍ପେଶାଲିଟି ହସପିଟାଲ ନିର୍ମାଣ କରାଯିବ। ୩୫.୭୬ କୋଟି ଟଙ୍କା ବ୍ୟୟରେ ୧୫ ମାସ ମଧ୍ୟରେ ଓପିଡି ବିଲ୍ଡିଂ ଏବଂ କର୍ମଚାରୀଙ୍କ ବାସଗୃହର ଦୁଇଟି ବ୍ଲକ ନିର୍ମାଣ କରାଯିବ ବୋଲି ସେ କହିଥିଲେ । ୧.୭୯ କୋଟି ଟଙ୍କ ବ୍ୟୟରେ ଏମ୍ସ, ଭୁବନେଶ୍ୱର ପକ୍ଷରୁ ସାଟେଲାଇଟ କେନ୍ଦ୍ର ପରିସରର ପାଚେରି ନିର୍ମାଣ କରାଯାଇସାରିଛି। ଏମ୍ସ ଭୁବନେଶ୍ୱର ସାଟେଲାଇଟ କେନ୍ଦ୍ରର ଉଦ୍ଦେଶ୍ୟ ହେଉଛି ଅତ୍ୟାଧୁନିକ ଭିତିଭୂମି ନିର୍ମାଣ ସହିତ ରୋଗୀ ସେବାର ଉନ୍ନତିକରଣ ଏବଂ ସମ୍ପ୍ରସାରଣ, ଏହି ଅଂଚଳର ଲୋକମାନଙ୍କ ପାଖରେ ବିଶେଷଜ୍ଞ ଡାକ୍ତରୀ ସେବା ପହଁଚାଇବା, ଏହି ଅଂଚଳରେ ଦେଖାଦେଉଥିବା ରୋଗର ନିରାକରଣ ଏବଂ ଏହି କ୍ଷେତ୍ର ଓ ଆଖପାଖ ଅଂଚଳର ରୋଗର ବୋଝ ହ୍ରାସ କରିବା। ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭାବେ ଏମ୍ସ ଭୁବନେଶ୍ୱରର ଭିଡ଼ ହ୍ରାସ କରିବ।

କେନ୍ଦ୍ର ସରକାର ଯେତେବେଳେ ଏହି ପ୍ରକଳ୍ପ ପ୍ରସ୍ତାବକୁ ଅନୁଧ୍ୟାନ କଲେ, ମୋର ସହଯୋଗୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଗ୍ରହ କଥା ମନେ ପଡ଼ିଲା, ସେ ଏହି କ୍ଷେତ୍ରର ସମସ୍ୟା ଏବଂ ବିଶେଷ କରି ସ୍ୱାସ୍ଥ୍ୟ ସେବା ସମସ୍ୟାର ସମାଧାନ ଲାଗି ସେ ଏହି ପ୍ରକଳ୍ପ ପାଇଁ ବହୁବାର ଅନୁରୋଧ କରିଛନ୍ତି। ସମନ୍ୱିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର), ଡିଆରଡିଓ ସହଯୋଗରେ ଏମ୍ସ, ଭୁବନେଶ୍ୱର ପକ୍ଷରୁ ବାଲେଶ୍ୱର ଠାରେ ଗୋଟିଏ ବର୍ଷରୁ ଅଧିକ ସମୟ ଧରି ସାପ୍ତାହିକ ଓପିଡି ସେବା ଯୋଗାଇ ଦିଆଯାଉଛି।
ସେ କହିଥିଲେ ଯେ, ଆଜି ଯେଉଁ ସାଟେଲାଇଟ କେନ୍ଦ୍ରର ଭିତିପ୍ରସ୍ଥର ସ୍ଥାପନ କରାଯାଉଛି, ତାହା ଏମ୍ସ, ଭୁବନେଶ୍ୱରର ମାର୍ଗରେ ପରିଚାଳିତ ହେବ। ସିପିଡବ୍ଲ୍ୟୁଡିକୁ ନିର୍ମାଣ ଦାୟିତ୍ୱ ହସ୍ତାନ୍ତର କରାଯାଇସାରିଥିବାରୁ ଖୁବ କମ୍‍ ସମୟ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ ଏବଂ ଏହା ସ୍ଥାନୀୟ ଅଂଚଳର ଲୋକମାନଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବ। ଏମ୍ସ, ଭୁବନେଶ୍ୱରର ମୋଟ ରୋଗୀଙ୍କ ମଧ୍ୟରୁ ୨୦% ଉତ୍ତର ଓଡ଼ିଶା ଏବଂ ବାଲେଶ୍ୱରର ପଡ଼ୋଶୀ ଜିଲ୍ଲାରୁ ଆସିଥାନ୍ତି। ଏମ୍ସ, ଭୁବନେଶ୍ୱରରେ ଚିକିତ୍ସା ପାଇବା ଲାଗି ଏହି ରୋଗୀମାନଙ୍କୁ ୨୦୦ କିମି ଯାତ୍ରା କରିବାକୁ ପଡ଼ିଥାଏ। ତେଣୁ ଏକ ଉନ୍ନତମାନର ସୁଲଭ ଭରସାଯୋଗ୍ୟ ସ୍ୱାସ୍ଥ୍ୟସେବା କେନ୍ଦ୍ର ଏହି ଅଂଚଳର ଲୋକମାନଙ୍କ ପାଇଁ ବର୍ତମାନ ସମୟର ଏକ ଆବଶ୍ୟକତା। ବାଲେଶ୍ୱରରେ ଏମ୍ସର ସାଟେଲାଇଟ କେନ୍ଦ୍ର ଏହି ଅଭାବକୁ ପୂରଣ କରିବ। ଏହା ସ୍ଥାନୀୟ ଅଂଚଳର ରୋଗୀମାନଙ୍କ ପାଇଁ ଏମ୍ସ ଭୁବନେଶ୍ୱରକୁ ଯିବାଆସିବା ଲାଗି ୪୦୦ କିମି ଯାତ୍ରା ଖର୍ଚ୍ଚ ସହିତ ସେମାନଙ୍କ ମୂଲ୍ୟବାନ ସମୟର ଅପଚୟ ରୋକିବାରେ ସହାୟକ ହେବ। ବାଲେଶ୍ୱର, ଭଦ୍ରକ ଏବଂ ମୟୂରଭଞ୍ଜ ଆଦି ତିନୋଟି ଜିଲ୍ଲା ଏବଂ ପାର୍ଶ୍ବବର୍ତୀ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ରୋଗୀମାନେ ବ୍ୟାପକ ଭାବେ ଲାଭାନ୍ୱିତ ହୋଇପାରିବେ। ଥରେ ଏହି ସାଟେଲାଇଟ କେନ୍ଦ୍ରରେ ନିୟମିତ ଓପିଡି ସେବା ଆରମ୍ଭ ହୋଇଗଲେ ଏଠାରେ ଦୈନିକ ୬୦୦-୭୦୦ ରୋଗୀ ଓପିଡି ସେବା ପାଇପାରିବେ। ଏମ୍ସରେ ଏମବିବିଏସ ପରେ ତାଲିମ ଗ୍ରହଣ କରୁଥିବା ଏବଂ ପିଜି ଛାତ୍ରଛାତ୍ରୀମାନେ ଏଠାରେ ନିୟୋଜିତ ହେବେ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ।

ପ୍ରତି ୩ଟି ସଂସଦୀୟ କ୍ଷେତ୍ରରେ ଗୋଟିଏ ମେଡ଼ିକାଲ କଲେଜ ଏବଂ ପ୍ରତି ରାଜ୍ୟରେ ଗୋଟିଏ ସରକାରୀ ମେଡ଼ିକାଲ କଲେଜ ପ୍ରତିଷ୍ଠା କରିବା ସୁନିଶ୍ଚିତ କରିବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ୨୪ଟି ନୂଆ ମେଡ଼ିକାଲ କଲେଜ ନିର୍ମାଣ ସକାଶେ ନିଷ୍ପତି ନିଆଯାଇଛି। ଏଥିମଧ୍ୟରେ ଓଡ଼ିଶା ରାଜ୍ୟର ଭଦ୍ରକ, ଯାଜପୁର ଏବଂ ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ଗୋଟିଏ ମେଡ଼ିକାଲ କଲେଜ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନଡ୍ଡା କହିଛନ୍ତି।
ସେହିପରି ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜ ହସ୍ପିଟାଲରେ ୧୫୦ କୋଟି ଟଙ୍କା ଲେଖାଏଁ ଏବଂ କଟକରେ ୨୬୦ କୋଟି ଟଙ୍କା ବ୍ୟୟରେ ଗୋଟିଏ ଲେଖାଏଁ ସୁପର ସ୍ପେଶାଲିଟି ବ୍ଲକ ପ୍ରତିଷ୍ଠା କରାଯାଉଛି । ୭୯.୬୨ କୋଟି ଟଙ୍କାର ଅନୁମୋଦିତ ବ୍ୟୟରେ କଟକସ୍ଥିତ ଆଚାର୍ଯ୍ୟ ହରିହର ଆଂଚଳିକ କର୍କଟ ଚିକିତ୍ସା କେନ୍ଦ୍ରରେ ଏକ ଆଧୁନିକ କର୍କଟ ସଂସ୍ଥାନ ପ୍ରତିଷ୍ଠା କରାଯାଉଛି ବୋଲି ଶ୍ରୀ ନଡ୍ଡା କହିଥିଲେ।
ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ଲାଗି ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ) ଅଧୀନରେ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ସରକାର ସହାୟତା ଯୋଗାଇ ଦେଉଛନ୍ତି। ଆରମ୍ଭ ହେବା ଦିନ ଠାରୁ, ଓଡ଼ିଶାକୁ ଏନଏଚଏମ ଅଧୀନରେ ମୋଟ ୭,୪୭୫ କୋଟି ଟଙ୍କା ଆବଂଟନ କରାଯାଇ ସାରିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି  ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ରାଜନୀତି ସ୍ପୃହଣୀୟ ନୁହଁ । ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରୁ ଓଡିଶାବାସୀଙ୍କୁ ବଂଚିତ କରାନଯାଉ ବୋଲି ସେ କହିଛନ୍ତି । ‘ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଅଭିଯାନ’ ମାଧ୍ୟମରେ ୫୦ କୋଟି ଲୋକଙ୍କୁ ସାମଗ୍ରୀକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ। ଏହା ଅଧୀନରେ, ସାମଗ୍ରୀକ ସ୍ୱାସ୍ଥ୍ୟ ପହଁଚ ମାର୍ଗରେ ଆମ ଦେଶକୁ ନେଇଯିବା ଲାଗି ପ୍ରଭାବୀ ରେଫରାଲ ସଂଯୋଗ ସହିତ ବିସ୍ତୃତ ପ୍ରାଥମିକ ଚିକିତ୍ସା ସେବା ଏବଂ ଗରିବମାନଙ୍କୁ ମାଧ୍ୟମିକ ଏବଂ ତୃତୀୟକ ଡାକ୍ତରୀ ଯତ୍ନ ପାଇଁ ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ଅଭିଯାନ (ଏନଏଚପିଏମ)କୁ ଦୁଇଟି ସ୍ତମ୍ଭ ଭାବେ ନିର୍ଦ୍ଧାରଣ କରାଯାଇଛି। ଆୟୁଷ୍ମାନ ଭାରତ ଅଧୀନରେ ଏହି ଦୁଇଟି ଦୂରଦର୍ଶୀ ପଦକ୍ଷେପ ୨୦୨୨ ସୁଦ୍ଧା ଏକ ନୂତନ ଭାରତ ନିର୍ମାଣ କରିବ ଏବଂ ଉତ୍ପାଦକତା, କଲ୍ୟାଣ ବୃଦ୍ଧି କରିବା ସହିତ ଶ୍ରମଜନିତ କ୍ଷତି ଓ ଦାରିଦ୍ର୍ୟ ଦୂର କରିବ। ଏହି ଯୋଜନା ଅଧିନରେ ଜଣେ ହିତାଧିକାରୀ ଦେଶର ଯେକୌଣସି ସ୍ୱିକୃତୀପ୍ରାପ୍ତ ହସ୍ପିଟାଲରେ ଚିକିତ୍ସା ହୋଇପାରିବେ। ରାଜ୍ୟମାନଙ୍କର ସକ୍ରିୟ ସହଯୋଗରେ ଏହି ଯୋଜନା ଭଲ ଭାବେ କାର୍ଯ୍ୟକାରୀ କରାଯାଇପାରିବ। ଏଥିଲାଗି ଆଧାର ନମ୍ବରର ଆବଶ୍ୟକତା ନାହିଁ। ଆୟୁଷ୍ମାନ ଭାରତ ସମ୍ପର୍କରେ କୌଣସି ପ୍ରକାର ଭ୍ରମାତ୍ମକ ତଥ୍ୟ ଦିଆଯିବା ଏବଂ ଏହାକୁ ରାଜନୈତିକ ରଙ୍ଗ ଦିଆଯିବା ଉଚିତ୍‍ ନୁହଁ। ଏହାଦ୍ୱାରା ଓଡିଶାର ସାଧାରଣ ଲୋକ ଏକ ଉତ୍ତମ ସ୍ୱାସ୍ଥ୍ୟସେବା ସୁବିଧାରୁ ବଂଚିତ ହେବେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନଡ୍ଡା କହିଛନ୍ତି । ଓଡ଼ିଶାର ବିକାଶ ଲାଗି ଭାରତ ସରକାର ସ୍ୱତନ୍ତ୍ର ଗୁରୁତ୍ୱ ଦେଉଛନ୍ତି। ସ୍ୱାସ୍ଥ୍ୟସେବା ପ୍ରତି ପ୍ରାଥମିକତା ଦିଆଯାଉଛି। ଏହି କ୍ଷେତ୍ର ପାଇଁ ସ୍ୱତନ୍ତ୍ର ଭାବେ ମଞ୍ଜୁରି ଲାଭ କରିଥିବା ସାଟେଲାଇଟ କେନ୍ଦ୍ର ସମସ୍ତ ୬ଟି ନୂଆ ଏମ୍ସ ମଧ୍ୟରେ ପ୍ରଥମ। କମ ସମୟ ମଧ୍ୟରେ ୩୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା କାର୍ଯ୍ୟକ୍ଷମ କରିବା ଲାଗି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରିବ।
ସମାବେଶରେ ଉଦ୍‍ବୋଧନ ଦେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ଏହି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଖୁବ୍‍ ଶୀଘ୍ର ସରିବ ଏବଂ ଏହା ଲୋକଙ୍କ କଲ୍ୟାଣ ଲାଗି କାର୍ଯ୍ୟକ୍ଷମ ହେବ। ଆୟୁଷ୍ମାନ ଭାରତ ସମ୍ପର୍କରେ ସମ୍ୟକ ସୂଚନା ଦେଇ ସେ କହିଥିଲେ ଯେ, ଏହି ଯୋଜନା ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ଏହାକୁ ଅନେକ ରାଜ୍ୟ କାର୍ଯ୍ୟକାରୀ କରିବାକୁ ଆଗେଇ ଆସିଲେଣି। ଓଡିଶା ମଧ୍ୟ ପଛରେ ପଡିବା ଉଚିତ ନୁହଁ। କୌଣସି ଜନକଲ୍ୟାଣ କାର୍ଯ୍ୟକ୍ରମକୁ ନେଇ ରାଜନୀତିକ ରଙ୍ଗ ଦିଆଯିବା ଲୋକ ପରିପନ୍ଥୀ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ।

Leave A Reply