ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଳ୍ୟରେ ରକ୍ତଦାନ ଶିବିର- ୧୦୫ ୟୁନିଟ୍ ରକ୍ତ ସଂଗ୍ରହ

ବାଙ୍କୀ: ମଙ୍ଗଳବାର ଦିନ ବାଙ୍କୀ ବ୍ଲକ ଅନ୍ତର୍ଗତ କେନ୍ଦୁପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବାଙ୍କୀ ବ୍ଲକ ବିଜୁ ଯୁବ ଛାତ୍ର ଜନତା ଦଳ ସୌଜନ୍ୟତାରେ ସଞ୍ଚାଳିତ ରକ୍ତଦାନ ଶିବିରକୁ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଉଦଘାଟନ କରି କରୋନା ସମୟରେ ରୋଗୀମାନଙ୍କୁ ଆବଶ୍ୟକ ପଡୁଥିବା ରକ୍ତ ଅଭାବକୁ ପୂରଣ ପାଇଁ ରକ୍ତଦାନ ପରି ଏକ ମହତ କାର୍ଯ୍ୟକୁ ପଶ୍ଚିମ ବାଙ୍କୀ ଅଞ୍ଚଳର ଯୁବ ଗୋଷ୍ଠୀ ମାନେ ଉତ୍ସାହିତ ହୋଇ ରକ୍ତଦାନ କରିବାକୁ ଆହ୍ୱାନ ଦେଇଥିଲେ। ଏହି ଶିବିରରେ କଟକ କେନ୍ଦ୍ରୀୟ ରକ୍ତ ଭଣ୍ଡାର ସଞ୍ଚାଳନରେ ୧୦୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ବଳଭଦ୍ରପୁର ପଞ୍ଚାୟତ ସରପଞ୍ଚ ବିଜନ କୁମାର ସାହୁ, ବାଙ୍କୀ ବ୍ଲକ ବିଜୁ ଜନତାଦଳ ସଭାପତି ଅନନ୍ତ ଚରଣ ଦାସ, ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ପୂର୍ବତନ ସଭାପତି ସୁବାଷ ପାଢୀ, ସ୍ଥାନୀୟ ସରପଞ୍ଚ ଚିନା ଦେଉରୀ ପ୍ରମୁଖ ଯୋଗଦେଇଥିଲେ। କେନ୍ଦୁପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ସମାଜସେବୀ ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି,କାଳିପୋଇ ସରପଞ୍ଚ ସୁବାଷ ସ୍ୱାଇଁଙ୍କ ସଞ୍ଚାଳନରେ ରକ୍ତଦାନ ଶିବିର ସଞ୍ଚାଳିତ ହୋଇଥିଲା।

 

ବାଙ୍କୀ ବ୍ଲକ ବିଜୁ ଯୁବ ଜନତା ଦଳର ପଶ୍ଚିମ ବାଙ୍କୀ ଅନ୍ତର୍ଗତ ୧୩ ଗୋଟି ପଞ୍ଚାୟତର କର୍ମକର୍ତ୍ତା ମାନେ ଯୋଗ ଦେଇ ଶିବିର ପରିଚାଳନାରେ ସହଯୋଗ କରିଥିଲେ। କେନ୍ଦୁପଲ୍ଲୀ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ସାମଲ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। କୋଭିଡ କଟକଣାକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମ ସଞ୍ଚାଳିତ ହୋଇଥିବା ସୂଚନା ମିଳିଛି।

Comments are closed.