ରକ୍ତ ଦେଇ ଆଦିବାସୀ ଯୁବକଙ୍କ ଜୀବନ ରକ୍ଷା କଲେ ଯୁବକ ସଚିନ

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ କାନକଟ୍ରୁ ପଞ୍ଚାୟତର ଆବାସ ନଗରର ଚୁପେରା ମାଝୀ(୪୦) ରୋଗରେ ଆକ୍ରାନ୍ତ ହୋଇ ଅର୍ଥ ଅଭାବ ଯୋଗୁଁ କୁଆଡେ ନଯାଇ କିଛି ଦିନ ହେଲା ଘରେ ଶଯ୍ୟାଶାୟୀ ଅବସ୍ଥାରେ ପଡିରହିଥିଲେ। ଏହି ଖବର ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର ମିଶ୍ର ଜାଣିବା ପରେ ଘଟଣା ସ୍ଥଳରେ ପହଞ୍ଚି ଗତ ୧୬ ତାରିଖ ଦିନ ଚୁପେରା ମାଝୀଙ୍କୁ ଆମ୍ବୁଲାନ୍ସ ଯୋଗେ ଆଣି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ପୁଣି ଆଜି ଚୁପେରା ମାଝୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ବିଡିଓ ଶ୍ରୀ ମିଶ୍ର, କେକେଡିଏ ପ୍ରକଳ୍ପ ସଂଯୋଜକ ଲମ୍ବୋଦର ପ୍ରଧାନ ପ୍ରମୁଖ ଡାକ୍ତରଖାନାରେ ପହଞ୍ଚି ଚୁପେରାଙ୍କ ସ୍ୱାସ୍ଥ୍ୟକୁ ନେଇ ଡାକ୍ତରଙ୍କ ସହିତ ଆଲୋଚନା କରିଥିଲେ। ଚୁପେରା ମାଝୀକୁ ଅତିଶୀଘ୍ର ରକ୍ତର ଆବଶକ୍ୟତା ଅଛି ବୋଲି ଡାକ୍ତର ପ୍ରକାଶ କରିଥିଲେ। ଭବାନୀପାଟଣା ରକ୍ତ ଭଣ୍ଡାରରେ ମଧ୍ୟ ରକ୍ତର ଅଭାବ ରହିଥିବା ବେଳେ ଚୁପେରା ମାଝୀକୁ ରକ୍ତ ଦେବାରେ ବିଳମ୍ବ ହଉଥିଲା। ଏହି ଖବର ଧୀରେ ଧୀରେ ଲୋକ ଲୋଚନକୁ ଆସିବା ପରେ ଖବର ପାଇ କେସିଙ୍ଗା ବ୍ଲକ ଉତ୍କେଲା ପଞ୍ଚାୟତ କାଦୋପଡ଼ା ଗ୍ରାମର ସଚିନ ମେହେର ନାମକ ଯୁବକ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ଆସି ଚୁପେରାଙ୍କୁ ରକ୍ତଦାନ କରିଥିଲେ। ଏହି ମହତ କାମ ଯୋଗୁଁ ବିଡିଓ ଶ୍ରୀ ମିଶ୍ର, କେକେଡିଏ ପ୍ରକଳ୍ପ ସଂଯୋଜକ ଶ୍ରୀ ପ୍ରଧାନ ଅଜଣା ଅପରିଚିତ ରକ୍ତଦାତା ସହୃଦୟ ଯୁବକ ସଚିନଙ୍କୁ ସାଧୁବାଦ ଜଣାଇଛନ୍ତି।

Comments are closed.