ରକ୍ତହୀନତା ମୁକ୍ତ ବ୍ଳକ କାର୍ଯ୍ୟକ୍ରମର ଶୁଭାରମ୍ଭ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଅନ୍ୟ ବ୍ଲକ ତୁଳନାରେ ନନ୍ଦାହାଣ୍ଡି , ରାଇଘର , ଓ ଝରିଗାଁ ବ୍ଳକରେ ରକ୍ତହୀନତା ଯୋଗୁଁ ମାତୃ ଓ ଶିଶୁ ମୃତ୍ୟୁ ହାର ଅଧିକ। ଏଣୁ ନୀତି ଆୟୋଗ ଦ୍ୱାରା ଅନୁଦାନ ପ୍ରାପ୍ତ ଆକାଂକ୍ଷା ଜିଲ୍ଲା ଅନ୍ତର୍ଗତ ନବରଙ୍ଗପୁର ଜିଲ୍ଲାର ଏହି ତିନୋଟି ବ୍ଲକକୁ ରକ୍ତହୀନତା ମୁକ୍ତ ବ୍ଳକରେ ପରିଣତ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ନନ୍ଦାହାଣ୍ଡି ବ୍ଳକର ଡଙ୍ଗରଭେଜା ଠାରେ ଏହି କାର୍ଯ୍ୟକ୍ରମକୁ ନବରଙ୍ଗପୁର ଜିଲ୍ଲାପାଳ ଡଃ. ଅଜିତ କୁମାର ମିଶ୍ର ଶୁଭାରମ୍ଭ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବ୍ଳକ ଅଧ୍ୟକ୍ଷ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ , ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା , ସାଂସଦ ପ୍ରତିନିଧି ଏବଂ ବିଧାୟକ ପ୍ରତିନିଧି ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଏକ କୋଟି ଚାରି ଲକ୍ଷ ଟଙ୍କାର ଅନୁଦାନ ରାଶି ମଞ୍ଜୁର କରାଯାଇଛି। ଏହା ଦ୍ୱାରା ତିନି ଟି ବ୍ଳକର ଷାଠିଏଟି ପଂଚାୟତ, ୨୭୫ ଟି ରାଜସ୍ବ ଗ୍ରାମ ର ୧୫୯୫୬ ଜଣ କିଶୋରୀ ବାଳିକା ୧୧୧୧୦ ଜଣ ଗର୍ଭବତୀ ମହିଳା ଓ ୫୫୫୫ ଜଣ ପ୍ରସୂତୀ ମହିଳା ଉପକୃତ ହୋଇପାରିବେ। ଦୁଇ ବର୍ଷ ଅବଧି ବିଶିଷ୍ଟ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉଦ୍ଦେଶ୍ୟ କିଶୋରୀ ମାନଙ୍କ ଠାରେ ଲୋହିତ ରକ୍ତ କଣିକାର ବୃଦ୍ଧି, କମ ଓଜନ ଓ ସମୟ ପୂର୍ବରୁ ଜନ୍ମିତ ଶିଶୁଙ୍କ ମୃତ୍ୟୁହାର କମାଇବା ଓ ମାତୃ ମୃତ୍ୟୁହାର କମାଇବା। ୧୦ ରୁ ୧୯ ବର୍ଷ ର କିଶୋରୀ ବାଳିକା ଗର୍ଭବତୀ ଓ ପ୍ରସୂତୀ ମହିଳା ମାନଙ୍କ ତଥ୍ୟ ସଂଗ୍ରହ କରି ସେମାନଙ୍କୁ ପୃଷ୍ଟିକର ଖାଦ୍ୟ ଓ ଔଷଧ ପ୍ରଦାନ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି। ହିମୋଗ୍ଲୋବିନ ମିଟରର ବ୍ୟବହାର ରକ୍ତହୀନତାର ପରିଚାଳନା ଓ ଔଷଧର ବ୍ୟବହାର ଇତ୍ୟାଦି ପାଇଁ ସ୍ୱାସ୍ଥ୍ୟକର୍ମୀ, ଆଶା , ଅଙ୍ଗନବାଡି କର୍ମୀ ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ତାଲିମ ପ୍ରଦାନ କରାଯିବ ଏବଂ ରକ୍ତହୀନତା ପରିଚାଳନା ଏବଂ ବାଲ୍ୟ ବିବାହ ନିରାକରଣ ପାଇଁ ନାଚ ଓ ଗୀତ ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବା ସହ କିଶୋରୀ ବାଳିକା ମାନଙ୍କର ଲୋହିତ ରକ୍ତ କଣିକାର ସ୍ଥିତି ଜାଣିବା ପାଇଁ ସ୍ବତନ୍ତ୍ର କାର୍ଡ଼ ପ୍ରଦାନ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି।

Comments are closed.