ବ୍ଲକ ସ୍ତରୀୟ ଜନଶୁଣାଣୀ – ୧୪ ମୃତ ଲୋକଙ୍କ ନାଁରେ ଭତ୍ତା ଉଠାଣ

ଖୁଣ୍ଟା: ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକର ମନରେଗା ଓ ଜାତୀୟ ସହାୟତା କାର୍ୟ୍ୟକ୍ରମର ଜନଶୁଣାଣୀ ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ମାନସ ରଞ୍ଜନ ସାମଲଙ୍କ ସଭାପତିତ୍ୱରେ ନୋଡାଲ ଅଧିକାରୀ ଭାବେ କପ୍ତିପଦା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଦେବଦତ୍ତ ପଣ୍ଡା ଉପସ୍ଥିତ ଥିଲେ। ଶିବିରରେ ବ୍ଲକ ସାମାଜିକ ସମୀକ୍ଷକ ଓ ୧୧ ଜଣ ଭିଲେଜ ରିସୋର୍ସ ପରସନଙ୍କୁ ନେଇ ବ୍ଲକର ୧୪ ଗୋଟି ଗ୍ରାମ ପଞ୍ଚାୟତ ସ୍ତରରେ କରାଯାଇ ଥିବା ସମାଜିକ ସମୀକ୍ଷା ବା ସୋସିଆଲ ଅଡିଟର ବିବରଣୀ ପାଠ କରାଯାଇଥିଲ। ସାମାଜିକ ସମୀକ୍ଷା ବେଳେ ୧୪ ମୃତ ବ୍ୟକ୍ତି ନାମରେ ଭତ୍ତା ଟଙ୍କା ଉଠାଣ କରାଯାଇଥିବା ଜଣାପଡିଥିଲା। ଲକ୍ଷ୍ମଣାସାହି ଗ୍ରାମ ପଞ୍ଚାୟତରେ ୯ ଜଣ, ଡେଙ୍ଗାମ ପଞ୍ଚାୟତରେ ୪ ଜଣ ଓ ବାଙ୍ଗରା ପଞ୍ଚାୟତରେ ଜଣେ ମୃତ ବ୍ୟକ୍ତିଙ୍କ ନାମରେ ମାସମାସ ଧରି ବିପୁଳ ପରିମାଣର ଭତ୍ତା ଟଙ୍କା ଉଠାଣ କରାଯାଇଛି। ଏହି ଘଟଣା ଶିବିରରେ ଆଲୋଡନ ସୃଷ୍ଟି କରିଥିବା ବେଳେ ପ୍ରକଳ୍ପ ପ୍ରଶାସକ ଅନିୟମିତତା ବାବଦରେ ସମ୍ପୃକ୍ତ କର୍ମଚାରୀମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ବିଡ଼ିଓଙ୍କୁ କହିଥିଲେ।

ସେହିପରି କେତେକ ଗ୍ରାମ ପଞ୍ଚାୟତରେ ମାନରେଗାରେ ଜଣେ ଲୋକ ଗୋଟିଏ ଦିନରେ ଦୁଇଟି କୁଶଳୀ ଓ ଅଣକୁଶଳୀ ମଜୁରୀ ପାଇଥିବା, ଗୋଟିଏ ପ୍ରକଳ୍ପରେ ଗୋଟିଏ ସୂଚନା ଫଳକ ଲଗାଯାଇ ସେ ବାବଦରେ ୧୭ହଜାର ଓ ୫ହଜାର ଟଙ୍କାର ଦୁଇ ଗୋଟି ବିଲ କରି ନେଇଥିବା ବେଳେ ଆଇଟିଡିଏ, ହର୍ଟିକଲଚର ଓ ବ୍ଲକରେ ଚାଲିଥିବା ୭୨ଟି ପ୍ରକଳ୍ପର କ୍ୟାସ ରେକର୍ଡ ସାମାଜିକ ସମୀକ୍ଷା ସମୟରେ ଉପସ୍ଥାପନ କରାଯାଇନଥିବାରୁ ନୋଡାଲ ଅଧିକାରୀ ସେମାନଙ୍କୁ ୭ ଦିନ ମଧ୍ୟରେ ତାହା ଦାଖଲ କରିବାକୁ ତାଗିଦ କରିଥିଲେ। ମନରେଗାରେ ୧୮ହଜାର ୫୪୬ ପରିବାରଙ୍କୁ ପଞ୍ଜିକୃତ କରାଯାଇଛି। ୧୮ହଜାର ୩୦୨ ପରିବାରକୁ ଜବ କାର୍ଡ ପ୍ରଦାନ କରାଯାଇଛି। ୯ଅଯର ୫୫୦ ପରିବାର କାମ ମାଗି ଥିବା ବେଳେ ୯ହଜାର ୫୩୧ ପରିବାରକୁ କାମ ଯୋଗାଇ ଦିଆଯାଇଛି। ୭୮୩ ପରିବାର ୧୦୦ କାର୍ୟ୍ୟ ଦିବସ ସମ୍ପୂର୍ଣ କରିଛନ୍ତି। ୪ଲକ୍ଷ ୬୫ହଜାର ୬୬୭ କାର୍ୟ୍ୟଦିବସ ସୃଷ୍ଟି କରାଯାଇଛି। ୩ହଜାର ୨୪୭ ଗୋଟି ପ୍ରକଳ୍ପ ହାତକୁ ନିଆଯାଇଥିବା ବେଳେ ୮୧୭ ଗୋଟି ପ୍ରକଳ୍ପ ସମ୍ପୂର୍ଣ ହୋଇ ଥିବା ସୂଚନା ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବ୍ଲକମ ଅଧ୍ୟକ୍ଷା ପୁଷ୍ପଲତା ମାରାଣ୍ଡି, ସହକାରୀ ଯନ୍ତ୍ରୀ ଅକ୍ଷୟ ବେହେରା, ଜିଲା ସୋସିଆଲ ଅଡିଟର ଦୀପକ ଚକ୍ରବର୍ତ୍ତୀ, ବ୍ଲକର ଏପିଓ, ଲୋକ ପ୍ରତିନିଧି, ବିଭିନ୍ନ ପଞ୍ଚାୟତରୁ ଜନସାଧାରଣ ଶିବିରରେ ଯୋଗ ଦେଇଥିଲେ।

Comments are closed.