ରେଞ୍ଜରଙ୍କ ଜଙ୍ଗଲ ରାଜ : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ

-୧କୋଟି ୪୦ଲକ୍ଷ ଟଙ୍କା ଅଧିକ ଆୟ, ଉପହାର ନେଇ ଫସିଲେ 

ବଲାଙ୍ଗିର/ଟିଟିଲାଗଡ : ବଲାଙ୍ଗିର ଜିଲା ମୁରିବାହାଲ ବ୍ଲକ ବନ ବିଭାଗ ରେଞ୍ଜର ପ୍ରଶାନ୍ତ କୁମାର ନାୟକ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗୁରୁବାର ଭିଜିଲାନ୍ସ ବିଭାଗ ଚଢଉ କରିଥିଲା। ଟିଟିଲାଗଡ ହାଟପଦାପଡ଼ା, ବେଲପଦର ଫାର୍ମ ହାଉସ, ମୁରିବାହାଲ ବନ ବିଭାଗ ଅଫିସ ଓ ସରକାରୀ କ୍ୱାଟର୍ରେ ସମ୍ବଲପୁର, ବରଗଡ, ବଲାଙ୍ଗିର ଓ ସୋନପୁର ଭିଜିଲାନ୍ସ ଟିମ୍ ତଲାସି କରିଥିଲେ। ମାରଥାନ ଖୋଳତାଡ ପରେ ୧କୋଟି ୮୬ଲକ୍ଷ ୫୪ହଜାର ଟଙ୍କାର ସମ୍ପତ୍ତି ଆକଳନ କରାଯାଇଥିଲା। ଗୁରୁବାର ରାତି ୧୧ଟାରେ ଭିଜିଲାନ୍ସ ଅଧିକାରୀମାନେ ରେଞ୍ଜର ଶ୍ରୀ ନାୟକଙ୍କୁ ବଲାଙ୍ଗିର ଆଣିଥିଲେ। ଆଉ ଶୁକ୍ରବାର ରାତି ୧୦ଟାରେ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ନିକଟରେ ତାଙ୍କୁ ହାଜର କରାଯାଇଥିବା ଜଣାପଡିଛି।

୪ଟି ଜିଲାର ୨୫ଜଣିଆ ଭିଜିଲାନ୍ସ ଟିମ୍ ରେଞ୍ଜର ଶ୍ରୀ ନାୟକଙ୍କ ଘର ସହ ଅନ୍ୟ ୩ଟି ସ୍ଥାନରେ ଚଢଉ କରିଥିଲେ। ପ୍ରଥମେ ବାହାରିଥିଲା ୨ଲକ୍ଷ ୭୦ହଜାର ଟଙ୍କା ନଗଦ। ଏତେ ଟଙ୍କା କେଉଁଠୁ ଆସିଲା ତାର ହିସାବ ରେଞ୍ଜର ଶ୍ରୀ ନାୟକ କହି ପାରି ନଥିଲେ। ଏହାପରେ ଗୋଟିଏ ପରେ ଗୋଟିଏ କଳା କାରନାମାର ପେଡି ଖୋଲିଥିଲା ଭିଜିଲାନ୍ସ। ଘର, ଜମି, ୪ ଚକିଆ, ଦୁଇ ଚକିଆ, ବ୍ୟାଙ୍କ ଜମା, ବୀମା ଜମା, ସୁନା ଅଳଙ୍କାର, ଘରର ଆସବାବ ପତ୍ର ହିସାବ କରିବା ପରେ ୧କୋଟି ୮୬ଲକ୍ଷ ୫୪ହଜାର ଟଙ୍କାର ଆନୁମାନିକ ହିସାବ କରିଥିଲା ଭିଜିଲାନ୍ସ। ତେବେ ଦୁଇଟି ବୋଲେର ସେ ଉପହାର ପାଇଥିବା କହୁଥିଲେ। ସେହି ଗାଡି ୨ଟି ଅନ୍ୟ ୨ଜଣଙ୍କ ନାଁରେ ଥିଲା। ଅନ୍ୟ ନାଁରେ ଥିବା ବୋଲେରୋକୁ ସେ ଅଫିସରେ ଲଗାଇ ଭଡ଼ା ଟଙ୍କା ଖାଉଥିବା ବି ତଦନ୍ତରୁ ଜଣାପଡିଛି। ତେବେ ଭିଜିଲାନ୍ସ ଟିମ୍ ଅନ୍ୟ ନାଁରେ ଥିବା ଲୋକଙ୍କୁ ଠାବ କରିବା ସହ ସେମାନଙ୍କୁ ପଚରା ଉଚୁରା ପାଇଁ ଡାକିଥିଲେ। ରତନ ଭାଟି ନାମକ ବ୍ୟକ୍ତି କହିଥିଲେ ଯେ, ସେ ପ୍ରଥମେ ଗାଡି କିଣିଥିଲେ। ପରେ ରେଞ୍ଜରଙ୍କୁ ଗାଡି ବିକିଛନ୍ତି। କିନ୍ତୁ ଗାଡି ବିକ୍ରିର କୌଣସି ଠୋସ୍ କାଗଜପତ୍ର ମିଳି ପାରି ନଥିଲା। ଏହା ତଦନ୍ତ ପରିସର ଭୁକ୍ତ ଥିବା ବେଳେ ଘର ଭଡ଼ା ଓ ବ୍ୟାଙ୍କରୁ ସେ ଋଣ ନେଇଥିବା ଦର୍ଶାଇଥିଲେ। ଏପରିକି କପଡ଼ା ଆମଦାନୀ ଓ ରପ୍ତାନୀ କାରବାରରେ ସେ ସାମିଲ ଥିବା ଭିଜିଲାନ୍ସ ସୂତ୍ରରୁ ସୂଚନା ମିଳିଛି। ସନ୍ଦେହଜନକ ଉତ୍ତର ରେଞ୍ଜରଙ୍କଠାରୁ ମିଳୁଥିବାରୁ ଅଧିକ ତଦନ୍ତ ପାଇଁ ଶ୍ରୀ ନାୟକଙ୍କୁ ଗୁରୁବାର ରାତିରେ ଭିଜିଲାନ୍ସ ବଲାଙ୍ଗିର ଆଣିଥିଲା।

ସୂଚନା ଅନୁସାରେ ରେଞ୍ଜର ଶ୍ରୀ ନାୟକ ୧୯୯୬ ମସିହାରେ ବଲାଙ୍ଗିର ଜିଲା ମୁରିବାହାଲ ବ୍ଲକରେ ରେଞ୍ଜର ଭାବେ ଯୋଗ ଦେଇଥିଲେ। ୨୦୦୨ ଅଗଷ୍ଟ ମାସରେ ତାଙ୍କର ବଦଳି ଭବାନୀପାଟଣା ହୋଇଥିଲା। ସେଠାରେ ରେଞ୍ଜର ଭାବେ କାମ କଲା ବେଳେ ତାଙ୍କ କାର୍ଯ୍ୟକଳାପକୁ ନେଇ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ୨୦୦୫ରେ ସେ ପୁଣି ବଲାଙ୍ଗିର ବଙ୍ଗୋମୁଣ୍ଡା ରେଞ୍ଜର ଭାବେ ବଦଳି ହୋଇ ଆସିଥିଲେ। ଆଉ ୨୦୧୫ରୁ ସେ ମୁରିବାହାଲ ରେଞ୍ଜର ଭାବେ ଦାୟିତ୍ୱ ତୁଲାଉଛନ୍ତି। ଏପର୍ଯ୍ୟନ୍ତ ତାଙ୍କର ପଦୋନ୍ନତି ହୋଇ ନାହିଁ। ଅନ୍ୟପଟେ ଭିଜିଲାନ୍ସ ତାଙ୍କୁ ଆଣିବା ପରେ ଶୁକ୍ରବାର ଅଧିକ ପଚରା ଉଚୁରା ଚଳାଇଥିଲା। ଗାଡି ମାମଲାର ତଦନ୍ତ କରୁଥିବା ବେଳେ ରେଞ୍ଜରଙ୍କ ଉପହାର ବାର୍ତ୍ତାକୁ ସହଜରେ ଗ୍ରହଣ କରିପାରୁନି। ଏହା ନିଜକୁ ବଞ୍ଚାଇବାକୁ ମନଗଢା ନାଟକ ବୋଲି ଭିଜିଲାନ୍ସର ଜଣେ ଅଧିକାରୀ କହିଛନ୍ତି। ସେହିପରି ଘର ଭଡ଼ା, ଋଣ, ରୋଜଗାରକୁ ଆଧାର କଲେ ତାଙ୍କ ଆୟ ୯୨ଲକ୍ଷ ଟଙ୍କାରେ ସିମିତ ହେବା କଥା। ଆୟଠାରୁ ୧କୋଟି ୪୦ଲକ୍ଷ ଟଙ୍କା ଅଧିକ ରେଞ୍ଜର ଶ୍ରୀ ନାୟକ ରଖିଥିବା ଭିଜିଲାନ୍ସର ଏହି ଅଧିକାରୀ ସୂଚନା ଦେଇଛନ୍ତି। ଏଥିସହିତ ଫାର୍ମ ହାଉସରେ ଇଟା ଗଢୁଥିବା ବେଳେ ସେ ନିଜେ ବନ ବିଭାଗର ନିୟମ ଉଲଂଘନ କରିଥିବା, ଶାଳ ଗଣ୍ଡିକୁ ନେଇ ବି ସନ୍ଦେହ ସୃଷ୍ଟି ହୋଇଛି। ତେବେ ଶେଷ ଖବର ଅନୁସାରେ ରେଞ୍ଜର ଶ୍ରୀ ନାୟକଙ୍କୁ ଶୁକ୍ରବାର ରାତିରେ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ କୋର୍ଟରେ ହାଜର କରାଯାଇଛି। ତାଙ୍କ ଜାମିନ ଖାରଜ ହୋଇଥିବା ବେଳେ ଜେଲ୍କୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି।

Comments are closed.