ଅଏଁଲାସାରୀ ଗୋଷ୍ଠୀ ଗଣ୍ଡଗୋଳ ଘଟଣା: ଦଳିତଙ୍କ ପରେ ୯ଖଣ୍ଡ ଗାଁଲୋକଙ୍କ ଏସପି ଅଫିସ ଘେରାଉ, ଶାନ୍ତି କମିଟି ଆଲୋଚନା ପରେ କୁହୁଲୁଛି ଅସନ୍ତୋଷ

ବଲାଙ୍ଗିର: ବଲାଙ୍ଗିର ଜିଲା ପୁଇଁନ୍ତଲା ଥାନା ଅନ୍ତର୍ଗତ ଅଏଁଲାସାରୀ ଗାଁରେ ହୋଇଥିବା ଜାତିଆଣ କନ୍ଦଳରେ ପୂର୍ଣ୍ଣଛେଦ ପଡିପାରିନାହିଁ। ଗାଁରେ ଶାନ୍ତି ପାଇଁ ଶାନ୍ତିକମିଟି ଗଠନ କରି ଆଲୋଚନା ପରେ ମଧ୍ୟ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଅସନ୍ତୋଷ ଏବେବି ରହିଛି। ସୋମବାର ଗାଁର ଦଳିତ ମହିଳା ମାନେ ଆସି ଜିଲାପାଳ ଅଫିସରେ ଧାରଣା ଦେଇଥିବା ବେଳେ ମଙ୍ଗଳବାର ବହଲପଦର ପଞ୍ଚାୟତର ୯ଖଣ୍ଡ ଗାଁର ଲୋକେ ଏସପି ଅଫିସ ଘେରାଉ କରିଛନ୍ତି। ଉଭୟ ପକ୍ଷଙ୍କ ଦାବି ହେଉଛି ନିରପେକ୍ଷ ତଦନ୍ତ ହେଉ ଓ ଦୋଷୀକୁ ଦଣ୍ଡ ମିଲୁ। ଦୋଷୀ କିଏ ଓ ଦୋଷ କାହାର ଏହି ଆଲୋଚନା ଭିତରେ ଗାଁରେ ଅସନ୍ତୋଷର ଦାନା ପୁଣିଥରେ ବାନ୍ଧିବାରେ ଲାଗିଛି।
ପୁଇଁନ୍ତଲା ଥାନା ବହଲପଦର ପଞ୍ଚାୟତର ଅଏଁଲାସାରୀ ଗାଁରେ ହୋଇଥିବା ସବର୍ଣ୍ଣ-ଅସବର୍ଣ୍ଣ ବିବାଦ ଏପର୍ଯ୍ୟନ୍ତ ଥମିନାହିଁ। ଉଭୟ ପକ୍ଷରୁ ପୁଲିସ ଗିରଫ କରିଥିବା ବେଳେ ଏହି ଘଟଣାରେ ନାଏବ ସରପଞ୍ଚଙ୍କ ସଂପୃକ୍ତି ଥିବା ଅଭିଯୋଗ କରି ଦଳିତ ପରିବାର ତାଙ୍କ ଗିରଫ ଦାବି କରିଆସୁଛନ୍ତି। ପୁଲିସର ତଦନ୍ତ ଚାଲିଥିବା ବେଳେ ଏହି ଘଟଣାକୁ ନେଇ ସୋମବାର ଗାଁର ଦଳିତ ମହିଳା ମାନେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଘଟଣାର ଏକ ନିରପେକ୍ଷ ତଦନ୍ତ କରି ତାଙ୍କ ଦାବି ପୂରଣ କରିବା ପାଇଁ ଏହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଅନ୍ୟପକ୍ଷରେ ମଙ୍ଗଳବାର ବହଲପଦର ପଞ୍ଚାୟତର ଅଏଁଲାସାରୀ, ବହଲପଦର, ମଙ୍ଗଲାମୁଣ୍ଡା, ଡୁମେରବାହାଲ, ବୁରୋଭାଡି, ବରଗାଁ, ଠେଲକୋମୁଣ୍ଡା, ବଦନବାହାଲ, ପାଙ୍କେଲବାହାଲ ଗାଁର ଲୋକମାନେ ଆସି ବଲାଙ୍ଗିର ଏସପି କାର୍ଯ୍ୟାଳୟ ଘେରାଉ କରିଥିଲେ। ୨୬ ତାରିଖରେ ହୋଇଥିବା ଏହି ଗୋଷ୍ଠୀ ଗଣ୍ଡଗୋଳ ଘଟଣାରେ ବହଲପଦର ପଞ୍ଚାୟତ ସରପଞ୍ଚ ମିନତୀ ବିଶି ଓ ନାଏବ ସରପଞ୍ଚ ପ୍ରମୋଦ ବିଶିଙ୍କ ସଂପୃକ୍ତି ନଥିବା ବେଳେ ରାଜନୈତିକ ଆକ୍ରୋଶ ରଖି ତାଙ୍କ ନାଁରେ ମାମଲା ଦାୟର କରାଯାଇଥିବା ଅଭିଯୋଗ କରିଛନ୍ତି। ଏହାଦ୍ୱାରା ଅଯଥାରେ ଅଶାନ୍ତି ସୃଷ୍ଟି ହେଉଥିବାରୁ ତାଙ୍କ ନାଁରେ ହୋଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର କରିବା, ଅଭିଯୋଗ ହୋଇଥିବା ବ୍ୟକ୍ତିଙ୍କ ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଲୋକେ ଦାବି କରିଛନ୍ତି। ସରୋଜ ମହାକୁର, ଠେରୁ ମେଶ୍ୱା, ଭୁଗୁରୁ ବାଗ, ସନ୍ତୋଷ ସାହୁ, ଜଗନ୍ନାଥ ମାଝୀ, ଘନଶ୍ୟାମ କୁଅଁରଙ୍କ ନେତୃତ୍ୱରେ ଏହି ଘେରାଉ ହୋଇଥିଲା।

Comments are closed.