ଜୀବନରେଖାକୁ ଜୀବନ୍ୟାସ ଦେବାକୁ କସରତ

ବଲାଙ୍ଗିରରେ ଜଳସଂପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଓ ବରିଷ୍ଠ ଅଧିକାରୀ

-ପୁର୍ନବାସ, ଥଇଥାନ ପାଇଁ ନିଯୁକ୍ତ ହେବେ ଆଇଏଏସ୍

-ଖାଲି କର୍ମଚାରୀ ପୂରଣ, ଏକ୍ସଗ୍ରାସିଆ ନେଇ ବିଚାର

-କାମ କରିବା ପାଇଁ ନିଆଯିବ ପୁଲିସର ସହାୟତା !

ବଲାଙ୍ଗିର : ବଲାଙ୍ଗିର ଜିଲାର ଜୀବନରେଖା ଲୋୟର୍ ସୁକତେଳ ଜଳସେଚନ ପ୍ରକଳ୍ପ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବଲାଙ୍ଗିର ଜିଲାର କିଛି ବ୍ଲକ ସହ ସୋନପୁର ଜିଲାର କିଛି ବ୍ଲକର ଚାଷୀ ଉପକୃତ ହେବେ। ବଲାଙ୍ଗିର ସହରକୁ ପାନୀୟ ଜଳ ଯୋଗାଣର ବିକଳ୍ପ ପଥ ବି ସୁଗମ ହେବ। ଅନ୍ୟପଟେ ୧୪ଟି ଗାଁର ଲୋକେ ସଂପୂର୍ଣ୍ଣ ଓ ୧୫ଟି ଗାଁର ଲୋକେ ଆଂଶିକ ଭାବେ ମୋଟ ୨୯ଟି ଗାଁର ଲୋକେ ପ୍ରଭାବିତ ହେବେ। ଗତ ଦୁଇ ଦଶନ୍ଧି ଧରି ଏହି ପ୍ରକଳ୍ପ ଝୁଲା ଅବସ୍ଥାରେ ରହିଛି। ପ୍ରଥମେ ପ୍ରବଳ ବିରୋଧ ଆଉ ତା’ପରେ ସରକାର, ପ୍ରଶାସନ ଓ ପୁଲିସର ସମନ୍ୱୟରେ ପ୍ରକଳ୍ପ କାମ ଅଧାରୁ ଅଧିକ ହୋଇ ସାରିଛି। କିନ୍ତୁ କେଁ ରହିଛି ବିସ୍ଥାପନ, ଥଇଥାନ ଓ କ୍ଷତିପୂରଣକୁ ନେଇ। ଲୋକଙ୍କ ବିରୋଧ ଯୋଗୁଁ ପ୍ରକଳ୍ପ କାମ ଦୀର୍ଘ ବର୍ଷ ହେଲା ଅଟକି ରହିଛି। ପ୍ରକଳ୍ପ କାମ କରୁଥିବା ଓସିସି ମଧ୍ୟ ତାର ଯନ୍ତ୍ରାଂଶ ନେଇଯାଇଛି ଅଧାରୁ ଅଧିକ। ତେବେ ବୁଧବାର ପ୍ରକଳ୍ପ କାମକୁ କେମିତି ତ୍ୱାରାନ୍ୱିତ କରାଯିବ ସେନେଇ ଦ୍ୱିତୀୟ ଥର ପାଇଁ ଉଚ୍ଚସ୍ତରୀୟ ଟିମ୍ ବଲାଙ୍ଗିର ଆସିଛନ୍ତି। ପ୍ରଥମ ଦିନରେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା, ପର୍ଯ୍ୟାଲୋଚନା ହୋଇଥିବା ବେଳେ ପରବର୍ତ୍ତୀ କାର୍ଯ୍ୟକ୍ରମ କ’ଣ ତାହା ଜଣାପଡି ନାହିଁ।

ବଲାଙ୍ଗିର ଲାଲଟିକ୍ରା ସ୍ଥିତ ଲୋୟର ସୁକତେଲ ଜଳସେଚନ ବିଭାଗର ଅତିଥି ପ୍ରକୋଷ୍ଠରେ ଥିବା ସମ୍ମିଳନୀ କକ୍ଷରେ ଜଳସଂପଦ ବିଭାଗର ମୁଖ୍ୟଯନ୍ତ୍ରୀ ଇଂ.ଜ୍ୟୋତିର୍ମୟ ରଥ, ଓଡ଼ିଶା ସରକାରଙ୍କ କ୍ଷତିପୂରଣ, ଥଇଥାନ ଓ ପୁର୍ନବାସ ବିଭାଗର ବରିଷ୍ଠ ଅଧିକାରୀ ରାଜେନ୍ଦ୍ର ପଟ୍ଟନାୟକ, ପ୍ରକଳ୍ପ କାମ କରୁଥିବା ଓସିସିର ପରିଚାଳନା ନିର୍ଦ୍ଦେଶକ ଅସୀମ ମହାପାତ୍ର, ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ବିଭୂତି ଭୂଷଣ ଦାଶ, ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ବିଶ୍ୱରଂଜନ ମଲ୍ଲିକ, ଜୋନ୍ ଅଫିସର ନୂତନ ସେଠଙ୍କ ସହ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ବୁଧବାର ଏକାଠି ହୋଇ ପ୍ରକଳ୍ପ ନେଇ ଆଲୋଚନା କରିଥିଲେ। ତଥ୍ୟ ଅନୁସାରେ, ଓଡ଼ିଶା ଶାସନ କେନ୍ଦ୍ର କୁହାଯାଉଥିବା ତୃତୀୟ ମହଲାର ଅଧିକାରୀମାନଙ୍କ ସହ ପ୍ରଥମ ପର୍ଯ୍ୟାୟ ବୈଠକରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଜଳସଂପଦ ବିଭାଗର ମୁଖ୍ୟଯନ୍ତ୍ରୀ ଇଂ.ରଥ କହିଥିଲେ ଯେ, ଗଲା ସେପ୍ଟେମ୍ବର ମାସରେ ଉଚ୍ଚସ୍ତରୀୟ ଟିମ୍ ସର୍କିଟ ହାଉସ୍‌ରେ ବିଭିନ୍ନ ସଂଗଠନ ସହ ପ୍ରକଳ୍ପ ସଂପର୍କରେ ଆଲୋଚନା କରିଥିଲେ। ଏଥସହିତ ପ୍ରକଳ୍ପ କ୍ଷେତ୍ର ପରିଦର୍ଶନ, ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ଲୋକଙ୍କ ସହ କଥାବାର୍ତ୍ତା କରାଯାଇଥିଲା। ସେହି ସମୟର ସ୍ଥିତି ନେଇ ସମୀକ୍ଷା କରାଯିବା ପରେ କ’ଣ କରାଯିବ ସେଦିଗରେ ମାନସମନ୍ଥନ କରାଯାଇଥିଲା। ଏଥିପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ପୁଣିଥରେ ଆମେ ଆସିଛୁ ବୋଲି ମୁଖ୍ୟଯନ୍ତ୍ରୀ ଇଂ.ରଥ କହିଥିଲେ। ସେହିପରି ଆଉ ଜଣେ ଅଧିକାରୀଙ୍କ ସୂଚନାରୁ ଜଣାପଡିଛି ଯେ, ଆଗାମୀ ଦିନରେ ଜଣେ ଆଇଏଏସ୍‌କୁ କ୍ଷତିପୂରଣ, ଥଇଥାନ ଓ ପୁର୍ନବାସ ପାଇଁ ଏଠାରେ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯିବ ଖୁବଶୀଘ୍ର। ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ, ଖାଲି ପଡିଥିବା ଆର୍ଆଇ ତଥା ଅନ୍ୟାନ୍ୟ ପଦ ପୂରଣ କରାଯିବାକୁ ଗୁରୁତ୍ୱ ଦିଆଯାଉଛି। ନହେଲେ କାମ ଅଗ୍ରଗତି ହେଇପାରିବ ନାହିଁ। ଏକ୍ସଗ୍ରାସିଆ ନେଇ ଯେଉଁ ଆଶଙ୍କା ଓ ବିଭେଦ ଦେଖା ଦେଇଛି ସେ ନେଇ ବି ଆଲୋଚନା କରାଯିବ।

ବୁଧବାର ଅପରାହ୍ନରେ ଲୋୟର ସୁକତେଲ ପ୍ରକଳ୍ପ ପାଇଁ ଆସିଥିବା ଉଚ୍ଚସ୍ତରୀୟ ଟିମ୍ ବଲାଙ୍ଗିର ଜିଲାପାଳଙ୍କ ସହ ଆଲୋଚନା କରିବେ। ଏହାପରେ ରାଜ୍ୟ ଜଳସଂପଦ ବିଭାଗର ସଚିବ, ଏହି ପ୍ରକଳ୍ପ ସହ ଜଡିତ ଅନ୍ୟାନ୍ୟ ବିଭାଗର ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରାଯିବ ବୋଲି ଜଣାପଡିଛି। ବିଶେଷ କରି ଲୋକଙ୍କୁ କେମିତି ଏକ୍ସଗ୍ରାସିଆ ସଂପର୍କରେ ଅବଗତ କରାଯିବ ଓ ତାକୁ ଲୋକଙ୍କୁ କେମିତି ଦିଆଯିବ ତାର ରୂପରେଖ ପ୍ରସ୍ତୁତ କରାଯିବା ନେଇ ଆଲୋଚନା ହୋଇଛି ବୈଠକରେ। ଲୋୟର ସୁକତେଲ ପ୍ରକଳ୍ପ ଶିଳାନ୍ୟାସର ଦଶନ୍ଧି ପରେ ମାଟି ମୁଠେ ବି ପ୍ରକଳ୍ପ ସ୍ଥଳରେ ପଡି ନଥିଲା ବିରୋଧ ଯୋଗୁଁ। ଗତ ୮ ବର୍ଷ ତଳେ ଜୀବନରେଖା ପାଇଁ ଆରମ୍ଭ ହୋଇଥିବା ଆନ୍ଦୋଳନ, ବିକ୍ଷୋଭ ପରେ ସଚେତନ ହୋଇଥିଲେ ସରକାର। ଆଉ ବିରୋଧ ସତ୍ତ୍ବେ ବାରମ୍ବାର ଆଲୋଚନା, ପୁଲିସର ସୁରକ୍ଷା ବଳୟରେ ପ୍ରକଳ୍ପ କାମ କରାଯାଇଥିଲା। ବିଶ୍ୱସ୍ତ ସୂଚନା ଅନୁସାରେ, ଏଥର ଲୋକଙ୍କ ବିଶ୍ୱାସକୁ ନେଇ ସେମାନଙ୍କ ଥଇଥାନ, କ୍ଷତିପୂରଣ ଓ ପୁର୍ନବାସ ସହ ପ୍ରକଳ୍ପ କାମକୁ କେମିତି ଆଗକୁ ନିଆଯିବ ତାକୁ ଜୋର୍ ଦିଆଯାଉଛି। ଆଉ ପ୍ରକଳ୍ପକୁ ଆଗେଇ ନେବା ପାଇଁ ପୁଣିଥରେ ପୁଲିସର ବଡ ସହଯୋଗ ନିଆଯାଇପାରେ ବୋଲି ଖବର ମିଳିଛି।

Comments are closed.