ବଲାଙ୍ଗିରରେ ସ୍ପଷ୍ଟ ଦିବାଲୋକରେ ୫ଲକ୍ଷ ଲୁଟ୍‌, ପୁଲିସ ତଦନ୍ତ ଆରମ୍ଭ

ବଲାଙ୍ଗିର: ବଲାଙ୍ଗିରରେ ପୁଣି ସ୍ପଷ୍ଟ ଦିବାଲୋକରେ ଲୁଟ। କଲେଜ ଛକ ଠାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଏଡିବି ଶାଖା ସମ୍ମୁଖରୁ ଦୁଇ ଯୁବକ ପଲସର ବାଇକରେ ଆସି ପାଞ୍ଚ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ ଛଡାଇ ନେଇ ଫେରାର ମାରିଛନ୍ତି। ଖବର ପାଇବା ପରେ ଟାଉନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଗତ ୧୭ ତାରିଖରେ ହୋଇଥିବା ଏକ ଲୁଟ ଘଟଣାର ଅଭିଯୁକ୍ତ ମାନଙ୍କୁ ପୁଲିସ ଧରିନଥିବା ବେଳେ ପୁଣି ସହରର ଏକ ମୁଖ୍ୟ ଅଞ୍ଚଳରୁ ଲୁଟ ଘଟଣା ଏବେ ସହର କେତେ ଅସୁରକ୍ଷିତ ହୋଇପଡିଛି ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସ୍ପଷ୍ଟ ଦିବାଲୋକରେ ବଲାଙ୍ଗିର ସହରର ମୁଖ୍ୟ ଅଞ୍ଚଳରୁ ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଟିକ୍ରାପଡାର ବ୍ୟବସାୟୀ ସଞ୍ଜୟ ଶତପଥୀ କଲେଜ ଛକରେ ଥିବା ଭାରତୀୟଷ୍ଟେଟ ବ୍ୟାଙ୍କ ଏଡିବି ଶାଖାକୁ ଯାଇ ଟଙ୍କା ଉଠାଇଥିଲେ। ପୂର୍ବରୁ ସେ ନିଜେ ୩ଲକ୍ଷ ଟଙ୍କା ଏକ ବ୍ୟାଗରେ ଭରି ବାଇକରେ ବ୍ୟାଙ୍କକୁ ଆସିଥିଲେ । ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ସେ ବ୍ୟାଙ୍କରୁ ୨ଲକ୍ଷ ଟଙ୍କା ଉଠାଇ ବ୍ୟାଙ୍କରୁ ବାହାରିଥିଲେ । ବ୍ୟାଙ୍କ ସମ୍ମୁଖରେ ସେ ନିଜ ବାଇକରେ ବାହାରିବା କ୍ଷଣି ଶାନ୍ତିପଡା ପଟୁ ଦୁଇ ଜଣ ଯୁବକ ଏକ ବାଇକରେ ଆସି ପାଞ୍ଚ ଲକ୍ଷ ଟଙ୍କା ଭର୍ତ୍ତି ହୋଇଥିବା ବ୍ୟାଗକୁ ଛଡାଇ ନେଇ ଫେରାର ମାରିଥିଲେ । କଲେଜଛକ ସହରର ଏକ ମୁଖ୍ୟ ଅଞ୍ଚଳ ହୋଇଥିବା ବେଳେ ଏଠାରେ ଜନଗହଳି ଲାଗିରହିଥାଏ। ତେବେ କିପରି ଦୁଇ ଜଣ ଯୁବକ ଆସି ଆଖି ପିଛୁଲାକେ ଟଙ୍କା ବ୍ୟାଗ ଛଡାଇ ଫେରାର ମାରିଲେ ତାହା ସମସ୍ତଙ୍କୁ ଚକିତ କରିଛି ।
ଏହି ଘଟଣା ସହରର ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଲୁଟେରା ମାନେ କିଭଳି ସଞ୍ଜୟ ଟଙ୍କା ଉଠାଇଥିବା ଜାଣିବାକୁ ପାଇଥିଲେ । ଯଦି ତାଙ୍କୁ ପୂର୍ବରୁ ଲୁଟେରା ମାନେ ଫଲୋ କରିଥିଲେ ତେବେ ସେ ପୂର୍ବରୁ ୩ଲକ୍ଷ ଟଙ୍କା ଧରିଥିବା ବେଳେ କାହିଁକି ବ୍ୟାଗ ନେଲେନାହିଁ ପରେ ସିସିଟିଭି କ୍ୟାମେରା ସାମ୍ନାରେ ଲୁଟ କଲେ ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହିଭଳି ଅନେକ ପ୍ରଶ୍ନ ଉଠିଥିବା ବେଳେ ପୁଲିସର ପାରିବାପାଣିଆ ନେଇ ମଧ୍ୟ ଲୋକେ ପ୍ରଶ୍ନ କରିଛନ୍ତି ।
ଘଟଣା ବିଷୟରେ ଖବର ପାଇ ଟାଉନ ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ବ୍ୟାଙ୍କରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଥିବା ବେଳେ କେବେ ଅଭିଯୁକ୍ତମାନଙ୍କୁ ଧରିବାରେ ପୁଲିସ ସଫଳ ହେବ ତାକୁ ନେଇ ମଧ୍ୟ ଅନେକ ଆଶଙ୍କା ପ୍ରକାଶ ପାଇଛି।
ସୂଚନା ଯୋଗ୍ୟ ଯେ ଗତ ପ୍ରାୟ ୨୦ ଦିନ ପୂର୍ବରୁ ସହରର ଆଉ ଏକ ମୁଖ୍ୟ ଅଞ୍ଚଳ ରେଳଷ୍ଟେସନ ରାସ୍ତା ଉପରୁ ବନ୍ଧୁକ ମୁନରେ ଲୁଟ ହୋଇଥିଲା । ଏହି ଘଟଣାରେ ଟାଉନ ପୁଲିସକୁ କୈାଣସି ସଫଳତା ମିଲିନଥିବା ବେଳେ ପୁଣି ଏକ ଲୁଟ ଘଟଣା ପୁଲିସର ମୁଣ୍ଡବ୍ୟଥାର କାରଣ ପାଲଟିଛି । ତେବେ ସହର ଭିତରେ ପୁଲିସ ପେଟ୍ରୋଲିଂ ଦୁର୍ବଳ ହୋଇପଡିଥିବା ବେଳେ ଅନେକ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଲୁଟେରା ମାନେ ଖୁବଶୀଘ୍ର ଗିରଫ ହେବାନେଇ ଟାଉନ ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ଦୃଢୋକ୍ତି ପ୍ରକାଶ କରିଛନ୍ତି।

Comments are closed.