ସବୁ ଲାଗିଛି ହେଲେ ଲାଇନ ଦେଖା ନାହିଁ, ୨ ବର୍ଷ ହେଲା ମହିମୁଣ୍ଡା ଗାଁ ଲୋକେ ଅସହାୟ

ବିଭାଗ କହୁଛି ସବୁ ସରିବା ଉପରେ, ଏନ୍‌ଟିପିସି ଅଧୀନରେ ୩ ସଂସ୍ଥା କରୁଛନ୍ତି କାମ

ବଲାଙ୍ଗିର : ଗାଁ ମୁଣ୍ଡରେ ଟ୍ରାନ୍ସଫର୍ମର୍ ଲାଗିଛି। ତାର ବି ଲମ୍ବିଛି ବିଦ୍ୟୁତ ଖୁଣ୍ଟ ଯାଏଁ। ଖୁଣ୍ଟରୁ ଘରକୁ ବି ସଂଯୋଗ ଦିଆଯାଇଛି। ଘରେ ସୁଇଚ୍ ବୋର୍ଡ ଲାଗିଛି। ସବୁ ଠିକ୍‌ଠାକ୍ ଅଛି। ହେଲେ ଗଲା ଦୁଇ ବର୍ଷ ହେଲା ବଲ୍‌ବ ଜଳୁନି। ସୌଭାଗ୍ୟ ଯୋଜନାରେ ବିଦ୍ୟୁତ ସଂଯୋଗ ଦିଆଯାଇଥିଲେ ହେଁ ଅଧପନ୍ତରିଆ ରହିଛି। ସବୁ ଥାଇ ବି କିଛି କାମ ଦେଉନି। ୟେ ହେଉଛି, ପୁଇଁନ୍ତଳା ବ୍ଲକ ମହିମୁଣ୍ଡା ପଞ୍ଚାୟତର ମହିମୁଣ୍ଡା ରାମଜୀ ପଡ଼ାରୁ ୪, ୫ ଓ ୬ ନମ୍ବର ୱାର୍ଡର ସ୍ଥିତି। ପ୍ରାୟ ୬୦ଜଣଙ୍କ ଘରକୁ ବିଦ୍ୟୁତ ସଂଯୋଗର ସବୁ ପ୍ରକାର ସୁବିଧା ଉପଲବ୍ଧ ଥିବା ବେଳେ କିନ୍ତୁ ଲୋକେ ଲାଇନ୍ ଦେଖିବାର ଭାଗ୍ୟ ପାଇ ନାହାନ୍ତି ଏଯାଏଁ।

ସୂଚନା ଅନୁସାରେ, ବଲାଙ୍ଗିର ଜିଲାରେ ୧୭୬୪ ପ୍ରାୟ ଗାଁ ରହିଛି। ସେଥିମଧ୍ୟରୁ ପ୍ରାୟ ୨୫ଟି ଗାଁ ଚିହ୍ନଟ ହୋଇ ପାରି ନଥିବା ବେଳେ ୧୭୪୦ ପାଖାପାଖି ଗାଁକୁ ବିଦ୍ୟୁତ ସଂଯୋଗ କରାଯାଇଛି। ଏ କଥା କହୁଛନ୍ତି ବିଦ୍ୟୁତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ରଞ୍ଜନ କୁମାର ନାଏକ। ଶ୍ରୀ ନାଏକଙ୍କ କହିବା ଅନୁସାରେ, ଜିଲାରେ କୌଣସି ଗାଁକୁ ବିଦ୍ୟୁତ ସଂଯୋଗ ହୋଇ ନାହିଁ ବୋଲି କହିବା ଭୁଲ। ସବୁ ଗାଁକୁ ବିଦ୍ୟୁତ ସଂଯୋଗ ଦିଆଯାଇଛି। କିଛି ଗାଁର ବସ୍ତି ଅଞ୍ଚଳ କି କିଛି ପରିବାର ଉଠିଯାଇ ଅନ୍ୟତ୍ର ରହୁଛନ୍ତି; ସେ ଭଳି ଅଞ୍ଚଳରେ ବିଦ୍ୟୁତ ସଂଯୋଗ କରାଯାଇ ନଥିବାର କିଛି କିଛି ଅଭିଯୋଗ ଆସି ପାରେ। ଏଭଳି ପ୍ରାୟ ୪୮ଟି ଗାଁ ଜିଲାରେ ରହିଛି, ଯେଉଁଠି ଆଂଶିକ ଭାବେ ବିଦ୍ୟୁତ ସଂଯୋଗ ହୋଇ ନଥିବା କହିଥିଲେ ଏସ୍ଇ ଶ୍ରୀ ନାଏକ।

ବଲାଙ୍ଗିର ଜିଲାରେ ସୌଭାଗ୍ୟ ଓ ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ ବିଦ୍ୟୁତ ଯୋଜନାରେ ବିଦ୍ୟୁତ ସଂଯୋଗ କରିବାକୁ ଚୁକ୍ତିବଦ୍ଧ ହୋଇଛି ଏନ୍‌ଟିପିସି। ଏନ୍‌ଟିପିସି ସିଧାସଳଖ କାମ କରୁ ନଥିବା ବେଳେ ଗୋଡ୍ରେଜ୍, ଫେଡକୋ ଓ ନୀଲଶିଖାକୁ ବିଦ୍ୟୁତ ସଂଯୋଗ କାମ ବାଣ୍ଟି ଦେଇଛି। ୮୦ହଜାର ଘରକୁ ବିଦ୍ୟୁତ ସଂଯୋଗ ଦେବାର ଯୋଜନା ରହିଛି। ଇତିମଧ୍ୟରେ ବଲାଙ୍ଗିର ଜିଲାରେ ୩ଲକ୍ଷ ୫୦ହଜାର ଉପଭୋକ୍ତା ୱେସ୍କୋର ହୋଇଥିବା ବେଳେ ଅଧିକ ସଂଖ୍ୟକ ଲୋକେ ବିଦ୍ୟୁତ ବ୍ୟବହାର କରୁଛନ୍ତି। ତେବେ ଗତ ମାର୍ଚ୍ଚ ମଧ୍ୟରେ ଏହି ୨ ଯୋଜନାରେ ବିଦ୍ୟୁତ ସଂଯୋଗ କାମ ଶେଷ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। କିନ୍ତୁ ବିଭିନ୍ନ କାରଣରୁ କାମ ଶେଷ କରିବା ପାଇଁ ମାର୍ଚ୍ଚ ୨୦୨୧କୁ ଧାର୍ଯ୍ୟ କରାଯାଇଥିବା କହିଛନ୍ତି ବିଦ୍ୟୁତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ନାଏକ। ତେବେ ମହିମୁଣ୍ଡା ଗାଁରେ ୨ ବର୍ଷରୁ ଉର୍ଦ୍ଧ୍ବ ହେବ ସବୁ କିଛି ଥାଇ ବି ବିଦ୍ୟୁତ ସଂଯୋଗ ନହେବା ଓ ଲୋକେ ଏହାର ଲାଭ ନପାଇବାର କାରଣ କ’ଣ? ଏସଂପର୍କରେ ଗାଁ ଲୋକେ ୱେସ୍କୋ ନିର୍ବାହୀ ଯନ୍ତ୍ରୀ ଆଶୁତୋଷ ଘୋଷଙ୍କ ସହ ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ନାଏକଙ୍କୁ ଭେଟି ଅଭିଯୋଗ କରିଥିଲେ ବି କୌଣସି ଲାଭ ହୋଇ ନାହିଁ। ଥରେ କି ଦି’ ଥର ନୁହେଁ, ବାରମ୍ବାର ଧାଇଁ ଧାଇଁ ଲୋକେ ଭାଗ୍ୟକୁ ଆଦରି ନେଲେଣି। କିନ୍ତୁ ବିଦ୍ୟୁତ ବିଭାଗ ଅଧିକାରୀଙ୍କ ମୁହଁ ଫୁଟାଣି ଯେ ସବୁ ଠିକ୍‌ଠାକ୍ ଅଛି। କୌଣସି ଗାଁକୁ ବିଦ୍ୟୁତ ସଂଯୋଗ ଦିଆଯାଇ ନଥିବା ଅଭିଯୋଗ ମିଛ। ତା’ହେଲେ ବିଦ୍ୟୁତ ବିଭାଗ ଆଜ୍ଞାମାନେ ମହିମୁଣ୍ଡା ବୁଲି ଆସନ୍ତୁ। ବୁଝି ଦିଅନ୍ତୁ ସମସ୍ୟା କେଉଁଠି ବୋଲି ସ୍ଥାନୀୟ କହିଛନ୍ତି।

ମହିମୁଣ୍ଡା ଗାଁ କେବଳ ଏକ ଉଦାହରଣ ମାତ୍ର। ବଲାଙ୍ଗିର ଜିଲାର ପଛୁଆ ବ୍ଲକ ଓ ସେଠାକାର ଗ୍ରାମାଞ୍ଚଳରେ ବିଦ୍ୟୁତ ସଂଯୋଗ ଓ ସରବରାହ ସାଂଘାତିକ। ସେଠାରେ ମଧ୍ୟ ଏଭଳି ବୋର୍ଡ ଓ ସଂଯୋଗ ନାଁରେ ତାଲା ଝୁଲାଇ ଦେଇ କାମ ଶେଷ କରି ଦିଆଯାଇଛି। ସୌଭାଗ୍ୟ ଓ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ ବିଦ୍ୟୁତ ଯୋଜନାରେ କାମ କରୁଥିବା ସଂସ୍ଥାଗୁଡ଼ିକୁ ଲଗାମ ନ ଲଗାଇଲେ ଏମିତି ଅଧା ଅଧୁରା ହୋଇ କାମ ସରିଯିବ। ଲୋକେ ବିଦ୍ୟୁତ ସଂଯୋଗ ପାଇବେ ନାହିଁ। ସରକାରୀ ବାବୁମାନେ ଫାଇଲ୍‌ରେ ସବୁକିଛି କରି ଦେଇଥିବା ଦେଖାଇ ବାଃ ବାଃ ନେବେ।

Comments are closed.