ଅବହେଲିତ କଳାକାର କାର୍ତ୍ତିକ ଜନ୍ମରୁ ଦୃଷ୍ଟିହୀନ କିନ୍ତୁ ବାଦ୍ୟଯନ୍ତ୍ରର ଯାଦୁଗର

ବଲାଙ୍ଗିର: କେଉଁ ନେତା ପାଇଁ କି କେଉଁ ବଡବାବୁ ପାଇଁ ନୁହେଁ। ସାଧାରଣ ମଣିଷ ଭଳି ଜୀବନ ବଞ୍ଚୁଥିବା ଜଣେ ସାଧାସିଧା ମଣିଷ ପାଇଁ ଆମେ କହୁଛୁ। କାନ୍ଧରେ ବ୍ୟାଗ, ହାତରେ ଆଶାବାଡି ଓ ବ୍ୟାଗ ଭିତରେ ଜୀବନ ସହ ଲଢେଇ କରିବା ପାଇଁ ଅସ୍ତ୍ର। କୈାଣସି ଧାରୁଆ ଅସ୍ତ୍ର ନୁହଁ ଏହା ଏଭଳି ଏକ ଅସ୍ତ୍ର ଯେଉଁଥିରୁ ସଂଗୀତର ସୁମଧୁର ସ୍ୱର ବାହାରିଥାଏ । ଆଉ ତାହାର ଅସଲ ସାଧକ ହେଉଛନ୍ତି ଦୃଷ୍ଟିହୀନ କାର୍ତ୍ତିକ ଖର୍ସେଲ । ପରିବାର ଚଲାଇବା ପାଇଁ ବ୍ୟାଗ ଭିତରେ ଥିବା ଖଞ୍ଜଣି, ବଂଶୀ, ଘୁବକୁଡୁ ବାଦ୍ୟ ବଜାଇ ସେ ଗାଁ ଗାଁ ବୁଲି ଭିକ୍ଷାବୃତ୍ତି କରିଥାନ୍ତି । ଯାହା କିଛି ମିଲିଲା ସେଥିରେ ତାଙ୍କର ତେଲଲୁଣର ସଂସାର ଚଲାଇଥାନ୍ତି ।
ଅବହେଳିତ କଳାକାର ଜନ୍ମରୁ ଦୃଷ୍ଟିହୀନ କାର୍ତ୍ତିକ ଖର୍ସେଲଙ୍କ ଘର ବଲାଙ୍ଗିର ଜିଲା ମୁରିବାହାଲ ବ୍ଲକ ପତ୍ରାପାଲିରେ। କିଛି ବର୍ଷ ପୂର୍ବରୁ ସେ ନିକଟସ୍ଥ ଗାଁର ସୁଜାତାଙ୍କୁ ବିବାହ କରିଥିଲେ । ସୁଜାତା ମଧ୍ୟ ଜନ୍ମରୁ ଦୃଷ୍ଟିହୀନ ଥିବା ବେଳେ ପରିବାର ଚଲାଇବା ଉଭୟଙ୍କ ପକ୍ଷେ କାଠିକର ପାଠ ହୋଇପଡିଥିଲା। ବର୍ଷକ ପରେ ତାଙ୍କ ଘରେ ପୁଅ ଓ ଝିଅ ଟିଏ ଜନ୍ମ ହୋଇଥିଲେ । ବୋଝ ଉପରେ ନଲିତା ବିଡା ଭଳି ତାଙ୍କ ସମସ୍ୟା ବି ଦିନକୁ ଦିନ ବଢିଥିଲା । ପରିବାର ଚଲାଇବା ପାଇଁ ଭଗବାନ ଦେଇଥିବା ଶକ୍ତିକୁ ସେ କାମରେ ଲଗାଇଥିଲେ । କାର୍ତ୍ତିକ ଛୋଟବେଳୁ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଇବାରେ ପାରଙ୍ଗମ । ଗାଁରେ ସେ ବାଜା ବଜାଇ ଲୋକଙ୍କ ପ୍ରଶଂସା ସାଉଁଟିଥିଲେ। ବାହାଘର ପରେ ତାକୁ ବ୍ୟବହାର କରି ସେ ପରିବାର ଚଲାଇବା ଆରମ୍ଭ କରିଥିଲେ । ପ୍ରତିଦିନ ସେ ନିଜ ଆଶାବାଡି ଧରି କେତେବେଳେ ଖଞ୍ଜଣି, କେତେବେଳ ବଂଶୀ ବଜାଇ ଗାଁ ଗାଁ ବୁଲି ଲୋକଙ୍କ ମନୋରଞ୍ଜନ କରିଥାନ୍ତି । ଖୁସିରେ ଯିଏ ଯାହା ଦେଇଥାଏ ତାକୁ ନେଇ ଘର ଚଲାଇଥାନ୍ତି।
ଗ୍ରାମବାସୀଙ୍କ କହିବା ଅନୁସାରେ ପ୍ରାୟତଃ ସବୁ ପାରମ୍ପରିକ ବାଦ୍ୟ କାର୍ତ୍ତିକ ବଜାଇପାରନ୍ତି । କିନ୍ତୁ ଏଭଳି ଜଣେ କଳାକାରର ଜୀବନ ଏବେ ଦୁର୍ବିସହ ହୋଇପଡିଛି । ଲକଡାଉନ ଯୋଗୁ ୬ ମାସ ଧରି ଘରୁ ସେ ବାହାରିନଥିବା ବେଳେ ପରିବାର ଚଲାଇବା ତାଙ୍କ ପକ୍ଷେ ନିହାତି ଭାବେ କଷ୍ଟଦାୟକ ହୋଇଥିଲା । ସ୍ତ୍ରୀ ଦୃଷ୍ଟିହୀନ ଥିବାରୁ ସେ ମଧ୍ୟ କିଛି କରିପାରୁନଥିବା ଏହି ସମସ୍ୟାକୁ ଦ୍ୱଗୁଣିତ କରିଥିଲା। ସରକାରୀ ସହାୟତା କହିଲେ କିଛି ଟଙ୍କା ଭିନ୍ନକ୍ଷମ ଭତ୍ତାରେ ଘରୁ ଚଲୁଥିବା କାର୍ତ୍ତିକ କହିଛନ୍ତି । ସୁଜାତାଙ୍କ ନାଁରେ ମିଳିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମଧ୍ୟ କେହି ହଡପ କରିନେଇଥିବା ସେ କହିଛନ୍ତି । ଏମିତିରେ ବେଶ ଦୁର୍ବିସହ ଜୀବନ ବଞ୍ଚୁଛନ୍ତି କାର୍ତ୍ତିକଙ୍କ ପରିବାର। ରାଜ୍ୟରେ କଳାକାର ମାନଙ୍କୁ ଭତ୍ତା ପ୍ରଦାନ କରିବା ପାଇଁ ସରକାର ଯୋଜନା କରିଥିବା ବେଳେ କୈାଣସି ପ୍ରକାର ପ୍ରମାଣପତ୍ର ନଥିବାରୁ ସେ ଏଥିରୁ ବଞ୍ଚିତ ଥିବା କହିଛନ୍ତି । ଏମିତିରେ ପୁଅଝିଅର ପାଠପଢାରେ ବ୍ୟାଘାତ ସୃଷ୍ଟି ହୋଇଛି । ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Comments are closed.