ଓଡ଼ିଶାରେ ୨୦୯ ବ୍ଲାକ୍ ସ୍ପଟ; ଭୁବନେଶ୍ବର-କଟକ ରାସ୍ତାରେ ୫

 ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗଢ଼ାଗଲା ୯ ଜଣିଆ କମିଟି 

ଭୁବନେଶ୍ବର: ପ୍ରତିବର୍ଷ ସଡ଼କ ଦୁର୍ଘଟଣା ବଢ଼ୁଛି । ହଜାର ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି, କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହେଉଛି । ହେଲେ ଦୁର୍ଘଟଣାପ୍ରବଣ ସ୍ଥାନ ଚିହ୍ନଟ କରି ଏହାର ସଂଶୋଧନ କରାଯିବା କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ନିଆଯାଉନାହିଁ । ବିିଡ଼ମ୍ବନା ହେଉଛି  ରାଜ୍ୟରେ ବାସ୍ତବରେ କେତେ ଦୁର୍ଘଟଣାପ୍ରବଣ ସ୍ଥାନ ରହିଛି ତାହାକୁ ନେଇ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ମେଳ ଖାଉନି ତଥ୍ୟ । ଏହି ସ୍ଥିତିରେ ରାଜ୍ୟରେ ବ୍ଲାକ ସ୍ପଟ ଗୁଡ଼ିକୁ ସଂଶୋଧନ ନିମନ୍ତେ ରାଜ୍ୟ ସରକାର ଗ୍ରହଣ କରିଛନ୍ତି ପଦକ୍ଷେପ । ଆଜି (ମଙ୍ଗଳବାର) ରାଜ୍ୟରେ ଦୁର୍ଘଟଣାପ୍ରବଣ ସ୍ଥାନ (ବ୍ଲାକ) ସ୍ପଟ୍ ସ୍ଥାନ ଚିହ୍ନଟ କରିବା ଓ ଏହାର ସଂଶୋଧନ ଲାଗି ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ଏକ କମିଟି । ଏଥିରେ ଅତିରିକ୍ତ ମୁଖ୍ୟ ସଚିବ , ସଡ଼କ ପରିବହନ ବିଭାଗ ପ୍ରମୁଖ ସଚିବ, ପୂର୍ତ ବିଭାଗ କମିଶନର ତଥା ସଚିବ, କ୍ରାଇମବ୍ରାଞ୍ଚ ଅତିରିକ୍ତ ପୁଲିସ ମହାନିର୍ଦେଶକ, ପରିବହନ କମିଶନର, ଜାତୀୟ ରାଜପଥ ପ୍ରାଧିକରଣର ମୁଖ୍ୟ ମହାପ୍ରବନ୍ଧକ, ଜାତୀୟ ରାଜପଥ ମୁଖ୍ୟ ଯନ୍ତ୍ରୀ ପ୍ରମୁଖ ସଦସ୍ୟ ରହିବେ ବୋଲି ସୂଚନା ମିଳିଛି ।

୨୦୧୬ ମସିହାରେ ତତ୍କାଳୀନ ମୁଖ୍ୟ ସଚିବ ଆଦିତ୍ୟପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ବୈଠକରେ ରାଜ୍ୟରେ ୨୦୯ଟି ଦୁର୍ଘଟଣାପ୍ରବଣ ସ୍ଥାନ ଚିହ୍ନଟ ହୋଇଥିବା କୁହାଯାଇଥିଲା । ଜାତୀୟ ରାଜପଥରେ ୧୨୦ଟି, ରାଜ୍ୟ ରାଜପଥରେ ୬୪ଟି, ମୁଖ୍ୟ ଜିଲା ସଡ଼କ (ଏମଡ଼ିଆର)ରେ ୧୫ ଓ ଅନ୍ୟ ଜିଲା ସଡ଼କ (ଓଡ଼ିଆର)ରେ ୯ଟି ଦୁର୍ଘଟଣାପ୍ରବଣ ସ୍ଥାନ ଥିବା ସେତେବେଳେ ସୂଚନା ମିଳିଥିଲା । ଏହା ମଧ୍ୟରେ କେବଳ ଭୁବନେଶ୍ବର-କଟକ ରାସ୍ତାରେ ୫ଟି ବ୍ଲାକ୍ ସ୍ପଟ ରହିଥିଲା । ଯାଁଳା ବାଟଭୂଆଶୁଣି ମନ୍ଦିର ନିକଟ ରାଜପଥକୁ ଦୁର୍ଘଟଣାପ୍ରବଣ ବୋଲି କୁହାଯାଇଥିଲା । ସେହିପରି ଆଇଗିଣିଆ, ରାଜଧାନୀର ସିଦ୍ଧାର୍ଥ ହୋଟେଲ ନିକଟ ରାସ୍ତା, ଆଚାର୍ଯ୍ୟ ବିହାର ଓଭର ବ୍ରିଜ୍ ଓ ପାହାଳ ନିକଟରେ ରାଜପଥ ବ୍ଲାକ୍ ସ୍ପଟ ବୋଲି କମିଶନରେଟ ପୁଲିସ ଚିହ୍ନଟ କରିଥିଲା ।

ମାତ୍ର ଲୋକସଭାରେ ୨୦୨୯ରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ଏକ ପ୍ରଶ୍ନର ଉତ୍ତରରେ ସାରା ଦେଶରେ ୭୮୯ଟି ବ୍ଲାକ ସ୍ପଟ ଥିବାବେଳେ ଓଡ଼ିଶାର ରାଜପଥରେ ମାତ୍ର ୧୨ଟି ବ୍ଲାକ ସ୍ପଟ ଚିହ୍ନଟ ହୋଇଥିବା ସୂଚନା ଦେଇଥିଲେ । ଏହି ୧୨ଟି ବ୍ଲାକ୍ ସ୍ପଟ ମଧ୍ୟରୁ ୪ଟି ସ୍ଥାନରେ ସଂଶୋଧନାତ୍ମକ କାର୍ଯ୍ୟ କରାଯାଇଥିବା ଉଲ୍ଲେଖ କରି ଦୁର୍ଘଟଣା ରୋକିବା ନିମନ୍ତେ ‘୪-ଇ’ର ସହାୟତା ନିଆଯାଉଛି ବୋଲି ମଧ୍ୟ ତଥ୍ୟ ରଖିଥିଲେ । ଏଜୁକେସନ, ଇଞ୍ଜିନିଅରିଂ, ଏନଫୋର୍ସମେଣ୍ଟ ଓ ଏମରଜେନ୍ସି କେୟାର ଜରିଆରେ ବ୍ଲାକସ୍ପଟ ଅଞ୍ଚଳରେ ଦୁର୍ଘଟଣା ରୋକାଯାଇ ପାରିବ ବୋଲି କହିଥିଲେ ।

Comments
Loading...