ଚିହ୍ନଟ ହେଉଛି ବ୍ଲାକ୍‌ସ୍ପଟ୍‌, କମୁନି ଦୁର୍ଘଟଣା

ଭୁବନେଶ୍ବର : ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଦୁର୍ଘଟଣା ହ୍ରାସ ନେଇ ବିଭିନ୍ନ ପଦକ୍ଷେପ ନିଆଯିବା ସତ୍ତ୍ବେ କମୁନାହିଁ। ଗତ ଏକବର୍ଷ ମଧ୍ୟରେ ୫୧୬ରୁ ଊର୍ଦ୍ଧ୍ବ ଦୁର୍ଘଟଣା ଘଟିଛି। ରାଜଧାନୀ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଦିନକୁ ଦିନ ବଢ଼ୁଥିବା ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଗତ ଦୁଇମାସ ମଧ୍ୟରେ ପାଖାପାଖି ୧୦ରୁ ଊର୍ଦ୍ଧ୍ବ ଦୁର୍ଘଟଣା ଘଟିଛି। ବାଟ ଭୁଆଶୁଣୀ ମନ୍ଦିର ସମ୍ମୁଖ, ଆଇଗିଣିଆ, ହୋଟେଲ ସିଦ୍ଧାର୍ଥ ସାମ୍ନା ଫ୍ଲାଏ ଓଭର, ଆଚାର୍ଯ୍ୟ ବିହାର ଫ୍ଲାଏ ଓଭର୍‌ ଓ ପାହାଳ ପାଲଟିଟିଛି ଡେଥ୍‌ ଜୋନ୍‌।
ପୁଲିସ କମିସନରଙ୍କ ନିର୍ଦେଶକ୍ରମେ ଟ୍ରାଫିକ୍‌ ଡିସିପି, ଇନ୍ସପେକ୍ଟର ପ୍ରମୁଖ ଉପରୋକ୍ତ ଦୁର୍ଘଟଣାପ୍ରବଣ ସ୍ଥାନ ବୁଲିବା ସହ ଭୁବନେଶ୍ବର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ୫ଟି ବ୍ଲାକ୍‌ସ୍ପଟ୍‌ ଚିହ୍ନଟ କରିଥିଲେ। ଆଇଗିଣିଆରୁ ପାହାଳ ପର୍ଯ୍ୟନ୍ତ ଏହି ୫ଟି ଏବଂ ପଳାଶୁଣି ଠାରୁ ଉତ୍ତରା ମଧ୍ୟରେ ୩ଟି, ଖୋର୍ଦ୍ଧା ଜିଲାରେ ମୋଟ ୨୩ଟି ବ୍ଲାକ୍‌ ସ୍ପଟ୍‌ ଚିହ୍ନଟ କରାଯାଇଥିଲା।
ବ୍ଲାକ୍‌ସ୍ପଟ୍‌ ଚିହ୍ନିତ ସ୍ଥାନରେ ଚାଳକଙ୍କୁ ଦୂରରୁ ଅବଗତ କରାଇବା ପାଇଁ ବ୍ୟବସ୍ଥା ହୋଇଥିଲା। ଯଦ୍ବାରା ଚାଳକମାନେ ‌ଯଥେଷ୍ଟ ଆଗରୁ ସଚେତନ ହେବା ସହ ଗାଡ଼ିର ଗତି ନିୟନ୍ତ୍ରଣ କରିବେ। ଷ୍ଟପ୍‌ବୋର୍ଡ କିମ୍ବା ବ୍ୟାରିକେଡ୍‌ କରାଯାଇ ଦ୍ରୁତଗତିରେ ଚଳାଉଥିବା ଚାଳକଙ୍କ ଉପରେ ରୋକ୍‌ ଲଗାଯିବା ସହିତ ଏହି ସ୍ପଟ୍‌ରେ ମଧ୍ୟ ସାଇନ୍‌ଏଜ୍‌ ବ୍ୟବସ୍ଥା କରାଯିବା ନେଇ ଯୋଜନା ରହିଥିଲା। ଯାହା ସ୍ପଟ୍‌ ବାବଦରେ ଚାଳକଙ୍କୁ ସଚେତନ କରାଇବ। ତେବେ ଜାତୀୟ ରାଜପଥରେ ଏଭଳି ବ୍ୟାରିକେଡ୍‌ ବ୍ୟବସ୍ଥା ନାହିଁ। କେବଳ ଦ୍ରୁତ ଚାଳକଙ୍କ ଉପରେ ଇଣ୍ଟରସେପ୍ଟର ଜରିଆରେ ନଜର ରଖିବା ପାଇଁ ବ୍ୟବସ୍ଥା ହେଉଥିବା ଜଣାପଡ଼ିଛି। ଅନ୍ୟ ସମସ୍ତ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ସହ କମିସନରେଟ ପୁଲିସ ଆଲୋଚନା କରିଥିଲେ ମଧ୍ୟ ଏଥିରେ କିଛି ସୁଫଳ ମିଳିନଥିବା ଜଣାପଡ଼ିଛି। ତେବେ ବିଭାଗ ମଧ୍ୟରେ ସମନ୍ବୟ ରହୁ ନଥିବାରୁ ସଡ଼କ ଭିତ୍ତିଭୂମି ବିକାଶ ହୋଇପାରୁ ନଥିବା ସାଧାରଣରେ ଆଲୋଚନା ହେଉଛି।

ଭିତ୍ତିଭୂମି ବିକାଶରେ ଅବହେଳା

ଚଳିତ ବର୍ଷ ଜାତୀୟ ସଡ଼କ ସୁରକ୍ଷା ମାସ ବ୍ୟାପୀ ପାଳନ େହଉଛି। ଜାନୁଆରୀ ୧୮ରୁ ଫେବୃଆରୀ ୧୭ ପର୍ଯ୍ୟନ୍ତ ‘ସଡ଼କ ସୁରକ୍ଷା ମାସ’ ପାଳନ କରାଯିବ। ଏ‌େନଇ ପୁଲିସ ସେବା ଭବନରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବାବେଳେ ପୁଲିସ କମିସନର, ଟ୍ରାଫିକ ଡିସିପି ଏବଂ ପରିବହନ ବିଭାଗର ପ୍ରମୁଖ ଅଧିକାରୀମାନେ ଏଥିରେ ସାମିଲ ହୋଇଥିଲେ। ବୈଠକରେ ଗାଡ଼ିଚାଳକଙ୍କୁ ସଚେତନ କରିବା ଦିଗରେ ଅଧିକ ଗୁରୁତ୍ବ ଦିଆଯିବା ନେଇ ଆଲୋଚନା ହୋଇଥିଲା। ତେବେ ଜୋରିମାନା ଆଦାୟ ନେଇ ଯେତେ ଗୁରୁତ୍ବ ପ୍ରଦାନ କରାଯାଉଛି ସେହି ତୁଳନାରେ ରାସ୍ତାଘାଟ ଭିତ୍ତିଭୂମିର ବିକାଶ ହେଉନାହିଁ, ଯାହା ଫଳରେ ଦୁର୍ଘଟଣା ଘଟୁଥିବା ମତପ୍ରକାଶ ପାଇଛି।

ହଂସପାଳ ଅଣ୍ଡରପାସ୍‌ ନିକଟରେ ବିପଦପୂର୍ଣ୍ଣ ଭାବେ ରୋଡ୍‌ ଡିଭାଇଡର୍‌ ପାର୍‌ ହେଉଛନ୍ତି ଗାଡ଼ିଚାଳକ

ମତାମତ :

ସଞ୍ଜୀବ ପଣ୍ତା(ପରିବହନ କମିସନର): ବ୍ଲାକ୍‌ସ୍ପଟ୍‌ ଭାବରେ ଚିହ୍ନିତ ସ୍ଥାନରେ ସାଇନ୍‌ଏଜ୍‌ ରହିବ। ଏହା ସ୍ପଟ୍‌ ବାବଦରେ ସମସ୍ତ ବିବରଣୀ ଦେବା ସହ ଚାଳକଙ୍କୁ ସଚେତନ କରାଇବ। ଜାତୀୟ ରାଜପଥରେ ଏଭଳି ବ୍ୟାରିକେଡ୍‌ କରାଯାଇଛି। ଦ୍ରୁତ ଚାଳକଙ୍କ ଉପରେ ଇଣ୍ଟରସେପ୍ଟର ଜରିଆରେ ଲଗାତାର ନଜର ରଖାଯାଉଛି। ବ୍ଲାକ୍‌ସ୍ପଟ୍‌ ମରାମତି ନେଇ ଉଭୟ ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥ ବିଭାଗ ନିୟମିତ କାର୍ଯ୍ୟ ଜାରି ରଖିଛି।
ସୌମ୍ୟା ମିଶ୍ର(ଟ୍ରାଫିକ୍‌ ଡିସିପି): ସଡ଼କ ଦୁର୍ଘଟଣା ରୋକିବାକୁ ହେଲେ ସବୁ ଚାଳକ ନିୟମ ମାନିବା ଦରକାର। ଯଦ୍ବାରା ଧନଜୀବନ କ୍ଷୟକ୍ଷତି ରୋକାଯାଇ ପାରିବ। ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥରେ ଚିହ୍ନଟ ହୋଇଥିବା ଦୁର୍ଘଟଣାପ୍ରବଣ ସ୍ଥାନ ମରାମତି ​ନେଇ ଉଭୟ ବିଭାଗର ଅଧିକାରୀଙ୍କୁ ଅବଗତ କରାଯାଇଛି। ସେମାନେ ଏ ଦିଗରେ କାର୍ଯ୍ୟ କରୁଛନ୍ତି।
ପଞ୍ଚାନନ ବିଶ୍ବାଳ(ଗାଡ଼ିଚାଳକ): ଦୁର୍ଘଟଣାପ୍ରବଣ ସ୍ଥାନକୁ କେବଳ ଚିହ୍ନଟ କରି ଛାଡ଼ି ଦିଆଯାଉଛି। ସେହି ସ୍ଥାନରେ ରାସ୍ତାଘାଟର ଭିତ୍ତିଭୂମି ବିକାଶ ଦିଗରେ ଗୁରୁତ୍ବ ଦିଆଯିବା ଦରକାର। ବିଭିନ୍ନ ଟ୍ରାଫିକ୍‌ ପୋ‌ଷ୍ଟ ଭଳି ସେଠାରେ ମଧ୍ୟ ଟ୍ରାଫିକ୍‌ ପୁଲିସ ନିୟୋଜିତ ହେଲେ ଦୁର୍ଘଟଣାକୁ ଅନେକ ମାତ୍ରାରେ ରୋକାଯାଇପାରିବ।

Comments are closed.