ଲକଡାଉନ ଓ କର୍ଫ୍ୟୁ ସମୟରେ ମହଜୁଦକାରୀଙ୍କ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ରାଜ୍ୟ ସରକାରଙ୍କ ଖାଦ୍ୟ ଓ ଉପଭୋକ୍ତା ବ୍ୟାପାର ବିଭାଗ ପ୍ରମୁଖ ସଚିବମାନଙ୍କ ସହିତ ଜାତୀୟ ସ୍ତରର ବୈଠକ 

-ଖାଦ୍ୟସାମଗ୍ରୀ, ଔଷଧ ଉତ୍ପାଦ ଓ ଅନ୍ୟ ଜରୁରୀସେବା ସୁଲଭ ମୂଲ୍ୟରେ ଉପଲବ୍ଧ କରାଇବା ସୁନିଶ୍ଚିତ କରିବାକୁ ବିଭିନ୍ନ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ
-ଜରୁରୀ ସାମଗ୍ରୀ ଅଧିକ ମାତ୍ରାରେ କିଣିବା ଉପରେ ଅଙ୍କୁଶ ଲଗାଇବାକୁ ପ୍ରଚାର ଓ ସଚେତନ କରିବେ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ
ନୂଆଦିଲ୍ଲୀ : କରୋନା ମହାମାରୀ କାରଣରୁ ଦେଶର ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଓ ଲକଡାଉନ ଲାଗୁ ହୋଇଛି। ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦକାରୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବା ସହିତ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି କେନ୍ଦ୍ର ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।
ଏ ସଂକ୍ରାନ୍ତରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ଖାଦ୍ୟ ଓ ଉପଭୋକ୍ତା ବ୍ୟାପାର ବିଭାଗର ପ୍ରମୁଖ ସଚିବମାନଙ୍କ ସହିତ ଏକ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଅଧୀନ ଉପଭୋକ୍ତା ବ୍ୟାପାର ବିଭାଗର ଅତିରିକ୍ତ ସଚିବ ନିଧି ଖାରେ ଏହି ବୈଠକରେ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଉପଲବ୍ଧତା ଓ ମୂଲ୍ୟ ସ୍ଥିତି ସମୀକ୍ଷା କରିଥିଲେ। ରାଜ୍ୟଗୁଡ଼ିକର ବିଭିନ୍ନ ମଣ୍ଡିରେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ସହିତ ମୂଲ୍ୟ ମଧ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ପ୍ରଦାନ କରାଯାଇଥିଲା।
ଏହାବ୍ୟତୀତ ଖାଦ୍ୟ ପଦାର୍ଥ/ଔଷଧ, ସ୍ବଚ୍ଛତା ଉତ୍ପାଦ ଏବଂ ଅତ୍ୟାବଶ୍ୟକ ସେବା ସହିତ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ଉପରେ ଅଙ୍କୁଶ ଲଗାଇବା ଏବଂ ଉଚିତ ମୂଲ୍ୟରେ ଏସବୁ ଉପଲବ୍ଧ କରାଇବା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ଚାହିଦା/ଯୋଗାଣରେ ଅସନ୍ତୁଳନ ସ୍ଥିତିରୁ ରକ୍ଷା ପାଇବା ନିମନ୍ତେ ପ୍ରଭାବୀ ଅନୁଧ୍ୟାନ ଓ ପରିଚାଳନା ଗତିବିଧି ନିମନ୍ତେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ଆଞ୍ଚଳିକ ତଥା ଜିଲ୍ଲା ସ୍ତରର ଖାଦ୍ୟ ଓ ସାଧାରଣ ବଣ୍ଟନ, ବୈଧ ମାପ ଓଜନ ନିୟନ୍ତ୍ରକ, ଖାଦ୍ୟ ସୁରକ୍ଷା, ସ୍ବାସ୍ଥ୍ୟ ଓ ପୁଲିସର ମିଳିତ ଦଳ ଗଠନ କରିବା ନିମନ୍ତେ ପରାମର୍ଶ ଦିଆଯାଇଥିଲା। ତରବର ହୋଇ ଅତ୍ୟାବଶ୍ୟକ ସାମଗ୍ରୀ ଅଧିକ ମାତ୍ରାରେ କ୍ରୟ ଭଳି ସ୍ଥିତିରୁ ରକ୍ଷା ପାଇବା ନିମନ୍ତେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ପକ୍ଷରୁ ପ୍ରଚାର ଓ ସଚେତନତା ଗତିବିଧି ପରିଚାଳନା ନିମନ୍ତେ ପରାମର୍ଶ ଦିଆଯାଇଥିଲା।
ବୈଠକ ଅବସରରେ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ପ୍ରଶାସନ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀର ନିରନ୍ତର ଯୋଗାଣ ବଜାୟ ରଖିବା ନିମନ୍ତେ ଅସାଧୁ ବ୍ୟବସାୟୀ ଓ ମହଜୁଦକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର କ୍ଷମତା ଉପରେ ଗୁରୁତ୍ବ ଦିଆଯାଇଥିଲା।
ଅତ୍ୟାବଶ୍ୟକ ସାମଗ୍ରୀର ଉତ୍ପାଦନ, ଯୋଗାଣ, ବିତରଣ ଆଦି ଉପରେ ନିୟନ୍ତ୍ରଣ ଆଣିବା ଲାଗି ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୫୫ର ଧାରା ୩ରେ କ୍ଷମତା ଦିଆଯାଇଛି ଏବଂ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ମଧ୍ୟ ଏହି ଆଇନ ବଳରେ କ୍ଷମତା ପ୍ରଦାନ କରାଯାଇଛି।
କଳାବଜାରୀ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ରକ୍ଷଣାବେକ୍ଷଣ ନିବାରଣ ଆଇନ, ୧୯୮୦ର ଧାରା ୩ ଅନ୍ତର୍ଗତ ଜନସାଧାରଣଙ୍କୁ ଆବଶ୍ୟକ ସାମଗ୍ରୀ ଯୋଗାଣ ବଜାୟ ରଖିବାରେ ବାଧାସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ସର୍ବାଧିକ ୬ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ଦିଆଯିବାର ବ୍ୟବସ୍ଥା ରହିଛି।

 

Comments are closed.