ବିଜେପିର ରାହୁଲ ନାର୍ବେକର ମହାରାଷ୍ଟ୍ର ବାଚସ୍ପତି ନିର୍ବାଚିତ

ଡେସ୍କ: ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ରାହୁଲ ନାର୍ବେକର ରବିବାର ଦିନ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। ରାଜ୍ୟରେ ଏକନାଥ ସିନ୍ଦେ ସରକାର ଗଠନ ପରେ ସ୍ୱତନ୍ତ୍ର ଅଧିବେଶନରେ ହୋଇଥିବା ବାଚସ୍ପତି ନିର୍ବାଚନରେ ରାହୁଲ ନାର୍ବେକରଙ୍କୁ ସମର୍ଥନରେ ୧୬୪ଟି ଭୋଟ୍ ଏବଂ ବିରୋଧରେ ୧୦୭ଟି ଭୋଟ୍ ମିଳିଥିଲା।

ନାର୍ବେକର ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ବିଧାନସଭା ଜୟ ଭବାନୀ, ଜୟ ଶିବାଜୀ, ଜୟ ଶ୍ରୀ ରାମ, ଭାରତ ମାତା କି ଜୟ ଏବଂ ବନ୍ଦେ ମାତରମ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା। ଆଜିର ସ୍ୱତନ୍ତ୍ର ଅଧିବେଶନରେ ସମାଜବାଦୀ ପାର୍ଟି (ଏସପି) ବିଜେପି ପ୍ରାର୍ଥୀଙ୍କ ବିରୋଧରେ ମତଦାନରୁ ନିବୃତ୍ତ ହୋଇଥିଲେ। ପାର୍ଟିର ଉଭୟ ବିଧାୟକ ଆବୁ ଅଜମୀ ଏବଂ ରଇସ ଶେଖ ମୁଣ୍ଡ ଗଣତି ସମୟରେ ବସି ରହିଥିଲେ। ଅନ୍ୟପକ୍ଷରେ, ଏଆଇଏମଆଇଏମ ମଧ୍ୟ ବିଜେପିର ନାର୍ବେକରଙ୍କ ବିରୋଧରେ ଭୋଟ୍ ଦେବା ଠାରୁ ଦୂରେଇ ରହିଥିଲା। ବିଧାନସଭାରେ ଏଆଇଏମଆଇଏମର ଶାହା ଫାରୁଖ ଅନୱାର, ସମାଜବାଦୀ ପାର୍ଟିର ଦୁଇ ବିଧାୟକଙ୍କ ସମେତ ମୋଟ ତିନିଜଣ ବିଧାୟକ ମତଦାନରୁ ନିବୃତ୍ତ ଥିବାବେଳେ ଜଣେ ଏଆଇଏମ୍ଆଇଏମ୍ ବିଧାୟକ ଗୃହରେ ଅନୁପସ୍ଥିତ ଥିଲେ।

Comments are closed.