ମଧ୍ୟପ୍ରଦେଶରେ ରାଜନୈତିକ ହଟଚମଟ, ଆସ୍ଥା ଭୋଟ ପାଇଁ ଦାବି କଲା ବିଜେପି

ଭୋପାଳ : ଆଉ ୨ ଦିନ ପରେ ଲୋକସଭା ନିର୍ବାଚନ ଫଳ ପ୍ରକାଶ ପାଇବ। ତେବେ ଏହା ପୂର୍ବରୁ ମଧ୍ୟପ୍ରଦେଶରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି। ମଧ୍ୟପ୍ରଦେଶର କମଳନାଥ ସରକାର ଅଳ୍ପମତରେ ରହିଛି ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି। ମଧ୍ୟପ୍ରଦେଶ ବିଜେପି ସୋମବାର ରାଜ୍ୟପାଳଙ୍କୁ ଚିଠି ଲେଖି ସଂଖ୍ୟାଗରିଷ୍ଠତାର ପ୍ରମାଣ ପାଇଁ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦାବି ରଖିଛି।
ମଧ୍ୟପ୍ରଦେଶ ବିଧାନସଭା ବିରୋଧୀ ଦଳ ନେତା ଗୋପାଳ ଭାର୍ଗବ କହିଛନ୍ତି ଯେ କଂଗ୍ରେସ ବିଧାୟକମାନେ ଦଳରେ ଖୁସି ନାହାନ୍ତି ଓ ସେମାନେ ଦଳ ଛାଡ଼ିବାକୁ ପ୍ରସ୍ତୁତ ଅଛନ୍ତି। ତେଣୁ କମଳନାଥ ସରକାର ଏବେ ଅଳ୍ପମତରେ ରହିଛି। ଏକ୍‍ଜିଟ୍‍ ପୋଲ ସର୍ବେକ୍ଷଣ ଅନୁସାରେ ମଧ୍ୟପ୍ରଦେଶର ୨୯ ଲୋକସଭା ଆସନରୁ ବିଜେପିକୁ ୨୬ରୁ ୨୭ ଆସନ ମିଳିବାର ସମ୍ଭାବନା ଅଛି। ଏହି ଜନତମତ ରାଜ୍ୟ ସରକାରଙ୍କ ବିରୋଧରେ ଆସିଛି। ତେଣୁ ରାଜ୍ୟ ସରକାର ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକି ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ଆବଶ୍ୟକ।
ମଧ୍ୟପ୍ରଦେଶରେ ଗତ ବର୍ଷ ନଭେମ୍ବର-ଡିସେମ୍ବରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କଂଗ୍ରେସ ବାଜିମାତ କରିଥିଲା। ୨୩୦ ବିଧାନସଭା ଆସନରୁ କଂଗ୍ରେସ ୧୧୪, ବିଜେପି ୧୦୯, ବିଏସ୍‍ପି ୨, ଏସ୍‍ପି ୧ ଓ ସ୍ୱାଧୀନ ଭାବେ ୪ ଜଣ ଜିତିଥିଲେ। ବିଏସ୍‍ପି ଓ ଅନ୍ୟ ସ୍ୱାଧୀନ ବିଧାୟକଙ୍କ ସହାୟତାରେ କଂଗ୍ରେସ ଦୀର୍ଘ ୧୫ ବର୍ଷ ପରେ ମଧ୍ୟପ୍ରଦେଶରେ ସରକାର ଗଠନ କରିଛି।

Comments are closed.