ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପି କାର୍ଯ୍ୟକର୍ତ୍ତା-ଚାଷୀ ହାତାହାତି, ୩ ଆହତ

ମୁଜଫରନଗର: ଉତ୍ତର ପ୍ରଦେଶର ମୁଜଫରନଗର ଅନ୍ତର୍ଗତ ସୋରମ ଗାଁରେ ସୋମବାର ବିଜେପି କାର୍ଯ୍ୟକର୍ତ୍ତା ଏବଂ କୃଷକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଉଭୟ ପକ୍ଷଙ୍କ ମଧ୍ୟରେ ହାତାହାତି ଓ ମାରପିଟ୍‌ ଯୋଗୁ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଡା. ସଞ୍ଜୀବ ବାଲିୟାନ ସୋମବାର ମୁଜଫରନଗରର ସୋରମ ଗାଁକୁ ଏକ ତ୍ରୟୋଦଶ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ। ଏହି ସମୟରେ ସ୍ଥାନୀୟ ଗ୍ରାମବାସୀ ତାଙ୍କୁ ବିରୋଧ କରିଥିଲେ। ଏହା ପରେ ଗ୍ରାମବାସୀ ଏବଂ ମନ୍ତ୍ରୀଙ୍କ ସମର୍ଥକମାନଙ୍କ ମଧ୍ୟରେ ମାରପିଟ୍‌ ହୋଇଯାଇଥିଲା। ଏଥିରେ ୩ ଜଣ ଆହତ ହୋଇଥିଲେ।

ଏହି ଘଟଣା ପରେ ଶାହପୁର ଥାନା ଅନ୍ତର୍ଗତ ସୋରମ ଗାଁରେ ପଞ୍ଚାୟତ ଆରମ୍ଭ ହୋଇଯାଇଛି। ରାଷ୍ଟ୍ରୀୟ ଲୋକ ଦଳର ଜିଲା ସଭାପତି ଅଜିତ ରାଠୀ, ପୂର୍ବତନ ମନ୍ତ୍ରୀ ଯୋଗରାଜ ସିଂହ, ପୂର୍ବତନ ବିଧାୟକ ରାଜପାଲ ବାଲିୟାନଙ୍କ ସମେତ ଅନ୍ୟାନ୍ୟ ନେତା ବି ପଞ୍ଚାୟତରେ ପହଞ୍ଚିଛନ୍ତି।

ରାଷ୍ଟ୍ରୀୟ ଲୋକ ଦଳ ଉପାଧ୍ୟକ୍ଷ ଜୟନ୍ତ ଚୌଧୁରୀ ଟ୍ବିଟ୍‌ କରି ଲେଖିଛନ୍ତି, ମୁଜଫରନଗରର ସୋରମ ଗାଁରେ ବିଜେପି ନେତା ଏବଂ କୃଷକମାନଙ୍କ ମଧ୍ୟରେ ଘଟିଥିବା ସଂଘର୍ଷରେ ଅନେକ ଲୋକ ଆହତ ହୋଇଛନ୍ତି। କୃଷକମାନଙ୍କ ସପକ୍ଷରେ ନିଷ୍ପତ୍ତି ନ ହୋଇଥିଲେ ହେଁ, ଅତି କମ୍‌ରେ ସେମାନଙ୍କ ପ୍ରତି ଭଲ ବ୍ୟବହାର କରନ୍ତୁ। କୃଷକମାନଙ୍କର ସମ୍ମାନ ତ କରନ୍ତୁ ବୋଲି ସେ ଲେଖିଛନ୍ତି।

ମନ୍ତ୍ରୀ ବାଲିୟାନ କହିଛନ୍ତି ​ ଯେ, ସେ ତ୍ରୟୋଦଶ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ। ସେ ଭିତରେ ବସିଥିଲେ, ଏହି ସମୟରେ ବାହାରୁ ୪/୫ ଜଣ ଯୁବକ ଆସି ନାରାବାଜି କରିଥିଲେ। ଗ୍ରାମବାସୀ ସେମାନଙ୍କୁ ଭଗାଇ ଦେଇଥିଲେ। ହଙ୍ଗାମା କରିଥିବା ଲୋକ ରାଷ୍ଟ୍ରୀୟ ଲୋକ ଦଳର ବୋଲି କୁହାଯାଉଛି।

Comments are closed.