ଜାମ୍ମୁ କାଶ୍ମୀର ପୌର ନିର୍ବାଚନ: ବିଜେପି ୬୦ ଆସନରେ ବିଜୟୀ

0

ଶ୍ରୀନଗର : ଜାମ୍ମୁ କାଶ୍ମୀର ନିର୍ବାଚନୀ ଇତିହାସରେ ପ୍ରଥମ ଥର ଭାରତୀୟ ଜନତା ପାର୍ଟି (ବିଜେପି) କାଶ୍ମୀର ଘାଟିର ୭ଟି ନଗର ପାଳିକା ନିର୍ବାଚନରେ ବିଜୟୀ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଜାମ୍ମୁ କାଶ୍ମୀରରେ ପାଖାପାଖି ୭ ବର୍ଷ ପରେ ଅନୁଷ୍ଠିତ ହେଉଥିବା ପୌର ନିର୍ବାଚନରେ ବିଜେପି ପ୍ରାର୍ଥୀ ୬୦ଟି ଆସନରେ ନିଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି। ଫାରକୁ ଅବଦୁଲାଙ୍କ ଦଳ ନ୍ୟାସନାଲ କନଫ୍ରେନ୍ସ (ଏନ୍‍ସି) ଏବଂ ମେହବୁବା ମୁଫତିଙ୍କ ଦଳ ପିଡ଼ିପି ସମ୍ବିଧାନ ଧାରା ୩୫-କ ଏବଂ ଧାରା ୩୭୦ ଉଚ୍ଛେଦ ପାଇଁ ସୁପ୍ରିମକୋର୍ଟରେ ଆବେଦନକୁ ବିରୋଧ କରି ପୌର ନିର୍ବାଚନ ବର୍ଜନ କରିଥିଲେ। ରାଜ୍ୟରେ ପୌର ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ୮ରେ ଭୋଟ ଗ୍ରହଣ କରାଯିବ। ଏହାପରେ ନଭେମ୍ବର-ଡିସେମ୍ବର ମାସରେ ପଞ୍ଚାୟତ ନିର୍ବାଚନ ହେବ।
ନିର୍ବାଚନୀ ବିଗୁଲ ବାଜିବା ପରେ ଆଶୟୀ ପ୍ରାର୍ଥୀମାନେ ପ୍ରଚାର ଓ ପ୍ରସାରରେ ଲାଗିପଡ଼ନ୍ତି। ଘର ଘର ବୁଲି ଲୋକଙ୍କୁ ଭୋଟ ଦେବାକୁ ନିବେଦନ କରନ୍ତି। ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ପ୍ରାର୍ଥୀଙ୍କ ଫଟୋ ଓ ପୋଷ୍ଟରରେ ଛାଇ ଯାଇଥାଏ। କିନ୍ତୁ ଜାମ୍ମୁ କାଶ୍ମୀରରେ ଏପରି କିଛି ଦେଖିବାକୁ ମିଳୁନାହିଁ। ପ୍ରଥମ ପର୍ଯ୍ୟାୟରେ ଘାଟିର ୫୯୮ ପୌର ପରିଷଦ ଏବଂ ୪୦ ନଗରପାଳିକା ନିର୍ବାଚନ ପାଇଁ ୮୫୧ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ପ୍ରକାଶଯୋଗ୍ୟ ଯେ ଜାମ୍ମୁ କାଶ୍ମୀରର ୭୯ ନଗରପାଳିକା ଏବଂ ୧୧୪୫ ପୌରସଂସ୍ଥା ନିର୍ବାଚନ ପାଇଁ ୩୦୦୫ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପିଡ଼ିଓ ଓ ଏନ୍‍ସି ନିର୍ବାଚନ ବର୍ଜନ କରିବା ପରେ କଂଗ୍ରେସ, ବିଜେପି ଏବଂ ପିପୁଲ୍ସ କନଫ୍ରେନ୍ସ ମଧ୍ୟରେ ତ୍ରିମୁଖୀ ନିର୍ବାଚନ ହେବାକୁ ଯାଉଛି। ତେବେ ୫୯୮ ପୌର ପରିଷଦ ମଧ୍ୟରୁ ୧୭୨ଟି ପୌର ପରିଷଦ ନିର୍ବାଚନ ପାଇଁ କେହି ନାମାଙ୍କନପତ୍ର ଦାଖଲ କରିନାହାନ୍ତି। ୧୯୦ ବୋର୍ଡରେ ଜଣେ ଲେଖାଏଁ ପ୍ରାର୍ଥୀ ଅଛନ୍ତି। ୪୦ ନଗରପାଳିକାରୁ ୨୧ଟିରେ ନିର୍ବାଚନ ହେବ ନାହିଁ। ଶ୍ରୀନଗର ୭୪ଟି ପୌର ପରିଷଦ ପାଇଁ ୩୧୦ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

Leave A Reply