ହରିୟାଣାରେ ସରକାର ଗଢ଼ିପାରେ ବିଜେପି; ସମର୍ଥନ କଲେ ୫ ସ୍ବାଧୀନ ବିଧାୟକ

ଚଣ୍ଡୀଗଡ଼: ହରିୟାଣା ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିନାହିଁ। ୯୦ ବିଧାନସଭା ଆସନ ବିଶିଷ୍ଟ ଏହି ରାଜ୍ୟରେ ସରକାର ଗଠନ ପାଇଁ ୪୬ ବିଧାୟକ ଆବଶ୍ୟକ। କିନ୍ତୁ ବିଜେପି ଏବଂ କଂଗ୍ରେସ ପାଖରେ ଏହି ସଂଖ୍ୟା ନାହିଁ। ବିଜେପିକୁ ୪୦ ଆସନ ମିଳିଥିବା ବେଳେ କଂଗ୍ରେସକୁ ୩୧ ଆସନରେ ବିଜୟ ମିଳିଛି। ଆଞ୍ଚଳିକ ଦଳ ଜନନାୟକ ଜନତା ପାର୍ଟି(ଜେଜେପି)କୁ ୧୦ ଆସନ ମିଳିଥିବାବେଳେ ଆଇଏନଏଲଡିକୁ ୨ ଏବଂ ୮ଟି ଆସନରେ ସ୍ବାଧୀନ ବିଧାୟକ ନିର୍ବାଚିତ ହୋଇଛନ୍ତି। ଏପରି ସ୍ଥଳେ କଂଗ୍ରେସ ଜେଜେପି ଏବଂ ଅନ୍ୟ ସ୍ବାଧୀନ ବିଧାୟକଙ୍କ ସମର୍ଥନରେ ସରକାର ଗଢ଼ିବ ବୋଲି ଆଶା ରଖିଥିବାବେଳେ ବିଜେପିକୁ ୫ ସ୍ବାଧୀନ ବିଧାୟକ ସମର୍ଥନ ଘୋଷଣା କରିଛନ୍ତି। ଫଳରେ ବିଜେପି ହାତରେ ମୋଟ ୪୫ ବିଧାୟକ ରହିଛନ୍ତି। କିନ୍ତୁ ମ୍ୟାଜିକ ନମ୍ବର ପାଇଁ ଆଉ ଜଣେ ବିଧାୟକଙ୍କ ସମର୍ଥନ ଦରକାର ପଡୁଛି। ସେହି ନମ୍ବର ଯୋଗାଡ଼ରେ ବିଜେପି ଲାଗି ପଡ଼ିଛି।

ବିଜେପିକୁ ସମର୍ଥନ କରିଥିବା ୫ ସ୍ବାଧୀନ ବିଧାୟକ ରଣଧୀର ଗୋଲନ, ବଲରାଜ କୁଣ୍ଡୁ, ରଣଜିତ ସିଂହ, ରାକେଶ ଦୌଲତାବାଦ ଏବଂ ଗୋପାଳ କାଣ୍ଡା ବିଜେପି କାର୍ଯ୍ୟକାରୀ ସଭାପତି ଜେ.ପି. ନଡ୍ଡା ଏବଂ ହରିୟାଣା ବିଜେପି ପ୍ରଭାରୀ ତଥା ମହାସଚିବ ଅନୀଲ ଜୈନଙ୍କୁ ଭେଟି ହରିୟାଣାରେ ସମର୍ଥନ କରିବେ ବୋଲି ଜଣାଇଛନ୍ତି। ଶୁକ୍ରବାର ଦ୍ବିପ୍ରହରରେ ଆଉ ୨ଜଣ ସ୍ବାଧୀନ ବିଧାୟକ ସୋମବୀର ସାଙ୍ଗୱାନ ଏବଂ ଧର୍ମପାଳ ଗୋନ୍ଦର ଜେ. ପି. ନଡ୍ଡା ଏବଂ ଅନୀଲ ଜୈନଙ୍କୁ ଭେଟିବେ। ଏହା ପରେ ସମସ୍ତ ସ୍ବାଧୀନ ବିଧାୟକ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟାରଙ୍କୁ ସନ୍ଧ୍ୟାରେ ସାକ୍ଷାତ କରିବେ ବୋଲି ସୂଚନା ମିଳିଛି।

Comments are closed.