ଗେହଲଟଙ୍କ ଅଡୁଆ ବଢ଼ିଲା, କାଲି ବିଜେପି ଆଣିବ ଅନାସ୍ଥା ପ୍ରସ୍ତାବ

ଜୟପୁର: ରାଜସ୍ଥାନରେ କ୍ଷମତାଶୀନ ଅଶୋକ ଗେହଲଟଙ୍କ କଂଗ୍ରେସ ସରକାର ପାଇଁ ପୁଣି ଅଡୁଆ ବଢ଼ିଛି। ଆସନ୍ତା ଶୁକ୍ରବାର ବିଧାନସଭା ଅଧିବେଶନ ବସିବ। ଦଳକୁ ଫେରିଥିବା ସଚିନ ପାଇଲଟ୍‌ ଏବଂ ଗେହଲଟ ସାମ୍ନାସାମ୍ନି ହେବେ। ତେବେ ଏହା ଭିତରେ ବିଜେପି କାଲି କଂଗ୍ରେସ ସରକାର ବିରୋଧରେ ପୁଣି ଥରେ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ଘୋଷଣା କରିଛି। ବିଜେପି ଦାବି କରିଛି ଯେ ଗେହଲଟ ସରକାର ବଞ୍ଚାଇପାରିବେ ନାହିଁ। ଗୁରୁବାର ଏକ ବୈଠକରେ ବିଜେପି ଏ ନେଇ ଘୋଷଣା କରିଛି। ଫଳରେ ବହୁମତ ସାବ୍ୟସ୍ତ କରିବା ହେଗଲଟଙ୍କ ପାଇଁ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି।

ବିଧାନସଭାରେ ବିଜେପି ବିଧାୟକ ଦଳ ନେତା ଗୁଲାବଚନ୍ଦ କଟାରିୟା କହିଛନ୍ତି ଯେ, କଂଗ୍ରେସ ନିଜ ଘରେ କନା ସିଲେଇ କରି ଯୋଡ଼ିବାକୁ ଚାହୁଁଛି। କିନ୍ତୁ କନା ଫାଟି ଯାଇଛି। ଏ ସରକାର ଖୁବଶୀଘ୍ର ଭାଙ୍ଗିବାକୁ ଯାଉଛି। ବିଜେପିର ରାଜ୍ୟ ସଭାପତି ସତୀଶ ପୁନିଆ କହିଛନ୍ତି ଯେ, କଂଗ୍ରେସ ସରକାର ନିଜର ବିରୋଧାଭାସରେ ଭାଙ୍ଗିବ। ବିଜେପି ଉପରେ ମିଥ୍ୟା ଅଭିଯୋଗ ଲଗାଯାଉଛି। କିନ୍ତୁ କଂଗ୍ରେସ ଘରେ ଚାଲିଥିବା ଝଗଡ଼ାରେ ବିଜେପି କିଛି ଲେନ୍‌ଦେନ୍‌ ନାହିଁ। ସୂଚନାଯୋଗ୍ୟ, ଶୁକ୍ରବାର ବିଧାନସଭା ଆରମ୍ଭ ହେବାକୁ ଥିବାବେଳେ ଗୁରୁବାର ବିଜେପି ପକ୍ଷରୁ ଜୟପୁରଠାରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସାମିଲ ହୋଇଥିଲେ। କେନ୍ଦ୍ରୀୟ ନେତୃବୃନ୍ଦମାନେ ବି ଏଥିରେ ଯୋଗଦେଇଥିଲେ।

Comments are closed.