ଭର୍ଚ୍ୟୁଆଲ ରାଲିରେ ଶାହାଙ୍କ ପ୍ରତିଶ୍ରୁତି: ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବୁ

ଭୁବନେଶ୍ବର: ଓଡ଼ିଶାବାସୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବେଶ୍ ଭଲ ପାଆନ୍ତି । କେନ୍ଦ୍ରରେ ଦ୍ବିତୀୟ ପାଳିରେ ନରେନ୍ଦ୍ର ମୋଦୀଙ୍କ ଯେଉଁ ସରକାର ଗଠନ ହୋଇଛି ସେଥିରେ ଓଡ଼ିଶାର ଯୋଗଦାନ ଢ଼େର ରହିଛି । ଓଡ଼ିଶାବାସୀ ୮ଟି ଲୋକସଭା ଆସନ ଓ ୩୮.୪%ରୁ ଅଧିକ ଭୋଟ ଦେଇ ମୋଦୀଙ୍କୁ ନିଜର ସମର୍ଥନ ଜଣାଇଛନ୍ତି ବୋଲି ଉଲ୍ଲେଖ କରି ଓଡ଼ିଶାକୁ ବିଜେପି ଗଡ଼ରେ ପରିଣତ କରିବାକୁ କର୍ମୀମାନଙ୍କୁ ଆହ୍ବାନ ଦେଇଛନ୍ତି । ଅନୁରୂପ ଭାବରେ ମୋଦୀଙ୍କ ଉପରେ ଓଡ଼ିଶାବାସୀଙ୍କ ଆର୍ଶୀବାଦ ରହିଛି ଓ ଓଡ଼ିଶାକୁ ବିକଶିତ ରାଜ୍ୟ କରିବା ଆମର ପ୍ରତିଶୃତି ରହିଛି । ଏହି ପ୍ରତିଶୃତିକୁ ପୂରଣ କରିବାକୁ କେନ୍ଦ୍ର ସରକାର କାର୍ଯ୍ୟ କରିୁଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି ।  ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିଣତ କରିଥିବା ଓଡ଼ିଶା ମାଟିକୁ ପ୍ରଣାମ କରି ଶ୍ରୀ ଶାହା ନିଜର ବକ୍ତବ୍ୟ ଆରମ୍ଭ କରିଥିବାବେଳେ ଜୟ ଜଗନ୍ନାଥ କହି ନିଜର ବକ୍ତବ୍ୟ ଶେଷ କରିଛନ୍ତି ।

କେନ୍ଦ୍ରରେ ମୋଦୀ ସରକାରର ଏକ ବର୍ଷ ପୂର୍ତି ଅବସରରେ ଆୟୋଜିତ ଏହି ଭର୍ଚୁଆଲ ରାଲିରେ ଉଦବୋଧନ ଦେଇ ଶ୍ରୀ ଶାହା କହିଛନ୍ତି ଯେ  ‘ଦୋ ଗଜ ଦୂରୀ’ ବିଜେପି ଓ ସାଧାରଣ ଲୋକଙ୍କ ମଧ୍ୟରେ ଦୂରତା ସୃଷ୍ଟି କରିପାରିବ ନାହିଁ । ଓଡ଼ିଶା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ରହିଛି ଓ ଓଡ଼ିଶାବାସୀ ଏହାକୁ ମହତ୍ବ ଦେଇଛନ୍ତି । ଓଡିଶାର ଭୂମି ଓ ଶ୍ରୀ ଜଗନ୍ନାଥଙ୍କୁ ମନରେ ସ୍ମରଣ କରି ଶ୍ରୀ ଶାହା ଓଡ଼ିଶାର କର୍ମକର୍ତ୍ତାଙ୍କୁ ସମ୍ବୋଧନ ଅବସରରେ ଓଡ଼ିଶାର ସମୃଦ୍ଧ ପରମ୍ପରା ଏବଂ ଭୀମଭୋଇ ,ଉତ୍କଳ ଗୌରବ ମଧୁସୂଦନ, ଉତ୍କଳମଣି ଗୋପବନ୍ଧୁ ଦାସ,  ରମା ଦେବୀ, ବକ୍ସି ଜଗବନ୍ଧୁ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି , ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଚଙ୍କୁ ମନେ ପକାଇଥିଲେ ।

ବିଜେପି ମୁଖ୍ୟାଳୟରୁ ଶ୍ରୀ ଶାହା ଏହି ଭର୍ଚୁଆଲ ରାଲିକୁ ସମ୍ବୋଧନ କରି  କହିଛନ୍ତି ଯେ  ଭାରତକୁ ବିଶ୍ୱରେ ଏକ ଗୌରବମୟ ସ୍ଥାନ ଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ କାମ କରୁଛନ୍ତି । କେନ୍ଦ୍ର ସରକାର ସିଧାସଳଖ ଭାବେ ଗରିବ ଲୋକଙ୍କ ଆକାଉଣ୍ଟରେ ଟଙ୍କା ଜମା କରୁଛନ୍ତି। ଲୋକଙ୍କୁ ଉଜ୍ଜଳାଯୋଜନାରେ ଗ୍ୟାସ । ଗାଁରେ ବିଦ୍ୟୁତ୍‌ ପହଞ୍ଚାଇ ଦେଇଛନ୍ତି । ପୂର୍ବରୁ ଜବାନଙ୍କ ଉପରେ ଆକ୍ରମଣ ହେଲେ ପୂର୍ବ ସରକାର ଚୁପ୍ ରହୁଥିଲେ । ଏବେ ମୋଦୀ ସରକାର ସର୍ଜିକାଲ ଷ୍ଟ୍ରାଇକ୍‌ ଓ ଏୟାର ଷ୍ଟ୍ରାଇକ୍‌ କରୁଛନ୍ତି ।ଘରେ ପଶି ପାକିସ୍ତାନକୁ ଜବାବ ଦେଇଛି ଭାରତ । ୩୭୦ଧାରା ହଟାଇ ମୋଦୀ ସାହସିକ ପଦକ୍ଷେପ ନେଇଛନ୍ତି ।  ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ସରକାର ପଦକ୍ଷେପ ଗ୍ରହଣ କରାଯାଇଛି ।  ତିନ ତଲାକକୁ ଉଚ୍ଛେଦ କରାଯାଇଛି । ନୂଆ ଭାରତ ନିର୍ମାଣ ପାଇଁ ସରକାର ଏବେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ମୋଦୀ ବିଶ୍ୱରେ ଭାରତର ଗୌରବକୁ ବଢ଼ାଇଛନ୍ତି । ମୋଦୀ ଏପରି ନେତା ଯାହା କହନ୍ତି, ତାହା କରନ୍ତି । ଦେଶକୁ ଆତ୍ମନିର୍ଭର କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।

ଏହି ଅବସରରେ ଶ୍ରୀ ଶାହା  କରୋନା ବିରୋଧରେ ଲଢ଼େଇରେ ସରକାର ଦେଶବାସୀ ସହ ଅଛନ୍ତି ବୋଲି କହିଛନ୍ତି ।  ଆମ ଦେଶ କରୋନା ଲଢ଼େଇରେ ଅନ୍ୟ ଦେଶ ତୁଳନାରେ ଭଲ ସ୍ଥିତିରେ ରହିଛି । ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ଆହ୍ୱାନକୁ ଦେଶବାସୀ ନିଷ୍ଠାର ସହ ପାଳନ କରିଛନ୍ତି । ଜଣେ ନେତାଙ୍କ ଆହ୍ୱାନରେ ଦେଶବାସୀ ଏହିପରି ଏକାଠି ହେବା ସେ ଦେଖିନଥିଲେ ବୋଲି କହିଛନ୍ତି । ଇତିହାସରେ ଜନତା କର୍ଫ୍ୟୁ ସ୍ୱର୍ଣ୍ଣିମ ଅକ୍ଷରରେ ଲେଖାଯିବ । ଏହି ସରକାର ୬ବର୍ଷ ମଧ୍ୟରେ ସବୁ ବର୍ଗ ପାଇଁ କାମ କରିଛି ବୋଲି ଶାହା କହିବା ସହ ଓଡ଼ିଶାକୁ ଦିଆଯାଇଥିବା ଅନୁଦାନ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି ।

ଏହି ଅବସରରେ ଶ୍ରୀ ଶାହା କଂଗ୍ରେସ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ  କଂଗ୍ରେସ ଦୁର୍ନୀତି ଓ ତୁଷ୍ଟିକରଣର ରାଜନୀତି କରିଛି । କଂଗ୍ରେସ ବଂଶବାଦ, ଦୁର୍ନୀତି, ତୁଷ୍ଟୀକରଣ ରାଜନୀତିରେ ବିଶ୍ୱାସ କରେ । ମାତ୍ର ୨୦୧୪ରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଗରିବ, ଆଦିବାସୀ, ଦଳିତଙ୍କୁ ଆଗକୁ ବଢାଇବା ଦିଗରେ କାମ କରିଥିଲେ ।  ଦେଶର ୬୦ କୋଟିରୁ ଅଧିକ ଗରିବଙ୍କ ଜୀବନରେ ଅନେକ ଉନ୍ନତି ଆଣିଛନ୍ତି । ୫୦ କୋଟି ଭାରତୀୟଙ୍କ ପାଇଁ ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ ହୋଇଛି । ୧୦ କୋଟି ଘରେ ଶୌଚାଳୟ ନିର୍ମାଣ କରାଯାଇଛି । ୨.୫ କୋଟି ଲୋକଙ୍କୁ ଘର ଦିଆଯାଇଛି । ସେମାନଙ୍କ ଘରେ ବିଜୁଳି ବ୍ୟବସ୍ଥା କରାଯାଇଛି । ୮ କୋଟି ଲୋକ ଉଜ୍ଜ୍ୱଳା ଯୋଜନାରେ ଉପକୃତ ହୋଇଛନ୍ତି ବୋଲି ସେ କହିଛନ୍ତି ।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ଅବସରରେ ଆୟୋଜିତ ଭର୍ଚୁଆଲ୍‌ ରାଲିରେ ସରକାର ଦେଶର ବିକାଶ ପାଇଁ ନେଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ସେ କହିଥିଲେ ଯେ କରୋନା ମହାମାରୀ ପାଇଁ ଆଜି ବିଶ୍ୱ ବଦଳି ଯାଇଛି,ଏଭଳି ସ୍ଥିତିରେ ଭାରତକୁ ଆତ୍ମନିର୍ଭର କରିବାକୁ ପ୍ରଧାନମନ୍ତ୍ରୀ ପ୍ରତିବଦ୍ଧ; ପ୍ରଧାନମନ୍ତ୍ରୀ କହିଥିଲେ-ମୁଁ ଆସିଲେ ବର୍ଷୱାରୀ ହିସାବ ଦେବି; ବର୍ଷୱାରୀ ହିସାବ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ପୁଣି ଆଶୀର୍ବାଦ ମିଳିଲା ।ବାତ୍ୟା ମୁକାବିଲା ପାଇଁ ଓଡ଼ିଶାକୁ ତୁରନ୍ତ ୫୦୦ କୋଟିର ସହାୟତା ଦେଇଛି କେନ୍ଦ୍ର । ହଳଧର ନାଗଙ୍କୁ ପଦ୍ମ ପୁରସ୍କାର ଦେଇ ଓଡ଼ିଶାର ସମ୍ମାନ ବଢ଼ାଇଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ ସରକାର ରାବଣ ଛାୟାକୁ ସଂସ୍କୃତିର ସମ୍ମାନ ପ୍ରଦାନ କରିଛି ବୋଲି ଉଲ୍ଲେଖ କରି ଧର୍ମେନ୍ଦ୍ର କହିଥିଲେ ଯେ ବିଶ୍ୱର ଏହି ସମୟରେ ଅନେକ ପରିବର୍ତ୍ତନ ହୋଇଛି । ଭାରତ ଏକ ନୂଆ ଆତ୍ମବିଶ୍ୱସକୁ ନେଇ ଆଗକୁ ଯାଇଛି । ଏକ ଦୃଢ ନେତୃତ୍ୱ ଯୋଗୁଁ ପୃଥିବୀରେ ଏକ ନୂଆ ସ୍ଥାନ ସୃଷ୍ଟି କରିଛି । ଗତ ନିର୍ବାଚନରେ ଦେଶର ଲୋକମାନେ ଓ ଓଡିଶାବାସୀଙ୍କ ଆଶୀର୍ବାଦ ଯୋଗୁଁ ପୁଣି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର କ୍ଷମତାକୁ ଆସିଛନ୍ତି । ସାଧାରଣ ଲୋକଙ୍କ ଦୁଃଖ କଷ୍ଟ ସମୟରେ ମୋଦୀ ସରକାର ଆର୍ଥିକ ସାହାଯ୍ୟ ଯୋଗାଇ ଦେଉଛନ୍ତି । ଦେଶର ବିକାଶ ପାଇଁ ଅନେକ ଦୃଢ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ଓଡ଼ିଶା ପ୍ରଭାରୀ ଅରୁଣ ସିଂହ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ଯୁବ ନେତା ପୃଥ୍ବୀରାଜ ହରିଚନ୍ଦନ ଏଥିରେ ଭାଗ ନେଇଥିଲେ । ଶେଷରେ ରାଜ୍ୟ ମୁଖପାତ୍ର ଗୋଲୋକ ନାୟକ ସମସ୍ତଙ୍କୁ ଶପଥପାଠ କରାଇଥିଲେ ।

Comments are closed.