ମୁଖ୍ୟମନ୍ତ୍ରୀ ପଦ ପାଇଁ ଶିବସେନାର ଦାବିକୁ ବିଜେପିର ପ୍ରତ୍ୟାଖ୍ୟାନ; ଫଡନବୀସ କହିଲେ ଆଗାମୀ ୫ବର୍ଷ ମୁଁ ରହିବି ମୁଖ୍ୟମନ୍ତ୍ରୀ

ମୁମ୍ବଇ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ବିଜେପି ଏବଂ ଶିବସେନା ମଧ୍ୟରେ ଅଙ୍କ ଛିଣ୍ଡୁନାହିଁ। ଏ ନେଇ ଉଭୟ ଦଳ ମଧ୍ୟରେ ଆନୁଷ୍ଠାନିକ ଭାବେ କୌଣସି ଆଲୋଚନା ହୋଇ ନ ଥିଲେ ଗଣମାଧ୍ୟମରେ ହେଉଥିବା ବୟାନବାଜିରୁ ଏହା ସ୍ପଷ୍ଟ ହେଉଛି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରଠାରୁ ଦୁଇ ଦଳ ମଧ୍ୟରେ ଟଣାଓଟରା ଲାଗି ରହିଥିବା ଦେଖିବାକୁ ମିଳୁଛି। ଶିବସେନା ୫୦-୫୦ ଫର୍ମୁଲାରେ ମୁଖ୍ୟମନ୍ତ୍ରୀ ପଦକୁ ଉଭୟ ଦଳ ମଧ୍ୟରେ ଅଢ଼େଇ ଲେଖାଏ ବାଣ୍ଟିଦେବାକୁ ଦାବି କରୁଥିବାବେଳେ ବିଜେପି ତାହାକୁ ପ୍ରତ୍ୟାଖ୍ୟାନ କରିଦେଇଛି। ଏପରି କି ଦାବି ଅନୁସାରେ କ୍ଷମତା ବଣ୍ଟନ ନ ହେଲେ ଅନ୍ୟ ବିକଳ୍ପ ଦେଖିବୁ ବୋଲି ଶିବସେନା ଚେତାବନୀ ଦେବା ସତ୍ବେ ବିଜେପି ତାହାକୁ ଖାତିର କରିନାହିଁ।

ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରଠାରୁ ଶିବସେନା ଗଣମାଧ୍ୟମରେ ନିଜର ଦାବିକୁ ବାରମ୍ବାର ଦୋହରାଉଛି। କିନ୍ତୁ ସିଧାସଳଖ ବିଜେପି ସହିତ ଏହି ପ୍ରସଙ୍ଗରେ କୌଣସି ଆଲୋଚନା ହୋଇ ନ ଥିବା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ କହିଛନ୍ତି। ସେ କହିଛନ୍ତି, ଶିବସେନା ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ଦାବି କରାଯାଇ ନାହିଁ। ଯଦି ତାଙ୍କ ତରଫରୁ କିଛି ଦାବି କରାଯାଏ, ତେବେ ଆମେ ତାହା ଉପରେ ଯୋଗ୍ୟତା ଆଧାରରେ ନିଷ୍ପତ୍ତି ନେବୁ। କିନ୍ତୁ ଅନ୍ୟପଟେ ସେ କହିଛନ୍ତି, ବିଜେପି ଆଗାମୀ ୫ବର୍ଷ ପର୍ଯ୍ୟନ୍ତ ମହାମେଣ୍ଟର ସ୍ଥିର ସରକାରର ନେତୃତ୍ଵ ନେବ ଏବଂ ସେ ନିଜେ ମୁଖ୍ୟମନ୍ତ୍ରୀ ରହିବେ। ଏପରି କି ସେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଶିବସେନାର ୫୦-୫୦ ଫର୍ମୁଲାରେ ସେ ସହମତ ନ ଥିବା ଫଡନବୀସ କହିଛନ୍ତି। ଦଳର ଅଧ୍ୟକ୍ଷ ଅମିତ ଶାହଙ୍କ ପକ୍ଷରୁ ମଧ୍ୟ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଶିବସେନା ସହିତ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ସେ କହିଛନ୍ତି।

Comments are closed.