ଟିକାକରଣ କାଗଜରେ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ନେଇ ବିଜେପିର ପ୍ରତିବାଦ

ବୌଦ୍ଧ : ସାରା ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ଜୋରସୋରରେ ଚାଲିଥିବାବେଳେ କେନ୍ଦ୍ର ସରକାର ମାଗଣାରେ ଟିକା ଯୋଗାଇ ଦେଇଥିଲେ ମଧ୍ୟ ଏହି କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟମନ୍ତ୍ରୀ ନିଜର ପ୍ରଚାର ଚଳାଇଛନ୍ତି ଅଭିଯୋଗ କରି ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଛି। ବୌଦ୍ଧ ଟାଉନହଲଠାରେ ଟୀକାକରଣ କାର୍ଯ୍ୟକ୍ରମ ଚାଲିଥିବାବେଳେ ଜିଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ନେତୃତ୍ୱରେ କିଛି କର୍ମକର୍ତ୍ତା ପହଞ୍ଚି କେନ୍ଦ୍ର ସରକାର ମାଗଣାରେ ଟୀକା ଯୋଗାଇଦେଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଫଟୋ ବଦଳରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଟିକାକରଣ କାଗଜପତ୍ରରେ ରହିଥିବା ନେଇ ଅଭିଯୋଗ କରିଥିଲେ। ବିଜେପି ପକ୍ଷରୁ ଟୀକାକରଣ କେନ୍ଦ୍ରର ବିଭିନ୍ନ ସ୍ଥାନରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଏହି ଟୀକାକରଣ କରାଯାଉଥିବା ପ୍ରଚାରପତ୍ର ଲଗାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା କାଗଜପତ୍ର ହଟାଇବାକୁ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନଙ୍କୁ କହିଥିଲେ। ଯଦି ଟିକାକରଣ କେନ୍ଦ୍ରରୁ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ଟୀକାକରଣ କାଗଜପତ୍ର ହଟାନଯାଏ ବିଜେପି ପକ୍ଷରୁ ପ୍ରତିବାଦ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା ମନୋରଂଜନ ଦାଶ, ମିନାରାଣୀ ମିଶ୍ର, ନମିତାରାଣୀ ଦାଶ, ପ୍ରେମାନନ୍ଦ ମିଶ୍ର, ସତ୍ୟାନନ୍ଦ ପାଣ୍ଡେ, ଶ୍ୟାମସୁନ୍ଦର ପୁରୋହିତ ଓ ତାପସ ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ।

Comments are closed.